ଗାଁ ପୋଖରୀରୁ କୁମ୍ଭୀର ମାଛ ଖାଇଥିବା ଅଭିଯୋଗ 

 ରାଜନଗର : ରାଜନଗର ବ୍ଲକ ବଙ୍ଗୋପସାଗର ତଟବର୍ତୀ ହାତିନା ପଞ୍ଚାୟତ ପେଣ୍ଠ ଗ୍ରାମରେ କୁମ୍ଭୀର ଉପଦ୍ରବ କରୁଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଗ୍ରାମର ନୀଳକଣ୍ଠେଶ୍ୱର ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାଙ୍କ ସମେତ ଗ୍ରାମବାସୀ ରାଜନଗର ମଣ୍ଡଳ ଉନ୍ନୟନ ଅଧିକାରୀ ଓ ରାଜନଗର ବନଖଣ୍ଡ ଅଧିକାରୀଙ୍କୁ ଦାବିପତ୍ର ଦେଇଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ, ପେଣ୍ଠ ଗ୍ରାମରେ ଥିବା ପଞ୍ଚାୟତ ପୋଖରୀକୁ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ନିଲାମ ଆଣି ମାଛ ଚାଷ କରୁଛନ୍ତି । ଦୀର୍ଘ ୫ମାସ ହେବ ଏହି ପୋଖରୀରେ କୁମ୍ଭୀର ପଶି ମାଛ ଖାଇଯାଉଛି । ଏସମ୍ପର୍କରେ ବନବିଭାଗକୁ ବିଭିନ୍ନ ସମୟରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଯାହାଦ୍ୱାରା ଗୋଷ୍ଠୀର ୨ଲକ୍ଷ ଟଙ୍କାର ଊଦ୍ଧ୍ୱର୍ ମୂଲ୍ୟର ମାଛ କୁମ୍ଭୀର ଖାଇଦେଇଛି । ପ୍ରାୟ ୧୦ ଫୁଟ ଲମ୍ବର କୁମ୍ଭୀରଟି ପେଣ୍ଠ ଗ୍ରାମର ଆଖପାଖ ନାଳ ଓ ପୋଖରୀରେ ୩ ବର୍ଷ ହେଲାଣି ରହି ଏଭଳି ଉପଦ୍ରବ କରୁଛି । ଏହି କୁମ୍ଭୀରର ଫଟୋ ଓ ଭିଡିଓ ବନବିଭାଗକୁ ପଠାଇଥିଲେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଯାହାଫଳରେ ଗାଈଗୋରୁ, ଛେଳିମେଣ୍ଢା ଓ ମଣିଷର ଜୀବନ ଅସୁରକ୍ଷିତ ହୋଇପଡିଛି । ଏହି କୁମ୍ଭୀରକୁ ଏଠାରୁ ଧରି ନେବାକୁ ମିନତୀ ବଳ, ପୁଷ୍ପ ମଣ୍ଡଳ, କୁଂଜଲତା ଧଳ, ମମତା ବଳ, ଶାନ୍ତିଲତା ପାଣି, ଜୟନ୍ତୀ ନାୟକ, ଦେବକୀ ବେହେରା, ତୂଳସୀ ବେହେରାଙ୍କ ସହ ଗ୍ରାମବାସୀ ଦାବି କରିଛନ୍ତି ।