ତହସିଳଦାର କାର୍ଯ୍ୟାଳୟରେ ଜନ୍ମଦିନ ପାଳନ: ବିଭିନ୍ନ ସଂଙ୍ଗଠନ ପକ୍ଷରୁ ସୋସିଆଲ ମିଡିଆରେ ସମାଲୋଚନା 

 ଖୋର୍ଦ୍ଧା : ତହସିଲ କାର୍ଯ୍ୟାଳୟରେ ଚାଲିଛି ଜନ୍ମଦିନ ପାଳନ । ବାବୁଙ୍କ ଜନ୍ମଦିନ ପାଳନ ଅବସରରେ ଟେବୁଲ ଉପରେ କେକ କାଟି ମଉଜ କରୁଛନ୍ତି ଅଧିକାରୀ ଏବଂ କର୍ମଚାରୀ । ଆଉ ସେପଟେ ଗୁରୁତ୍ୱପୂର୍ଣ କାମ ନେଇ ଆସିଥିବା ସାଧାରଣ ଜନତା ଅପେକ୍ଷା କରି କରି ନିରାଶ ହୋଇ ଫେରିଛନ୍ତି । ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲ କାର୍ଯ୍ୟାଳୟରେ । ବୋଲଗଡ଼ ତହସିଲଦାର ବିଜୟ କୁମାର ସେଠୀ ବେଗୁନିଆ ତହସିଲଦାର ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି । ଗୁରୁବାର ବିଜୟ ସେଠୀ ନିଜ ଜନ୍ମଦିନ ପାଳନ ପାଇଁ ବେଗୁନିଆ କାର୍ଯ୍ୟାଳୟକୁ ବାଛିଥିଲେ । ଆଜି ତହସିଲଦାରଙ୍କ ନିଦେ୍ର୍ଧଶ ମୁତାବକ ପୂର୍ବରୁ ବରାଦ ହୋଇ ଆସିଥିଲା ଦାମୀ କେକ, ରସଗୋଲା ।ତହସିଲଦାର ରାଜକୀୟ ଢଙ୍ଗରେ ସୁସଜ୍ଜିତ ଥିବା କେକ କାଟି ଜନ୍ମଦିନ ପାଳନ କରିଥିଲେ । ସେପଟେ ଦୂର ଦୁରାନ୍ତରୁ ନିଜର ବ୍ୟକ୍ତିଗତ ଓ ସାମୁହିକ କାର୍ଯ୍ୟ ନେଇ ଆସିଥିବା ଜନସାଧାରଣ ଦୀର୍ଘସମୟ ଅପେକ୍ଷା କରି କେତେକ ନିରାଶ ହୋଇ ଫେରିଯାଇଥିଲେ । ସେହିପରି ବେଗୁନିଆ ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକର୍ତା ସାମୁହିକ କାର୍ଯ୍ୟରେ ତହସିଲଦାରଙ୍କୁ ଭେଟିବାକୁ ଆସିଥିବା ବେଳେ ତହସିଲ ଦାରଙ୍କ ଜନ୍ମଦିନ ପାଳନ ହେଉଥିବା ଜାଣି ଦୀର୍ଘ ସମୟ ଅପେକ୍ଷା କରି ସରକାରୀ କାର୍ଯ୍ୟାଳୟରେ ଏଭଳି କାର୍ଯ୍ୟକୁ ନାପସନ୍ଦ କରିଥିଲେ ।  ତହସିଲଦାର ନିଜ କାର୍ଯ୍ୟାଳୟରେ କିପରି ଜନ୍ମଦିନ ପାଳନ କରୁଛନ୍ତି ଏବଂ ଜନସାଧାରଣ କିପରି ବାହାରେ ଅପେକ୍ଷା କରିଛନ୍ତି ତାର ଫଟୋ ନିଜ ସୋସିଆଲ ମିଡ଼ିଆ ପେଜ ଏକ୍ସରେ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କୁ ଅବଗତ କରିଛନ୍ତି  । ନାମଲେଖା ଋତୁ ଆରମ୍ଭ ହୋଇଥିବା ବେଳେ ଆବଶ୍ୟକ ପଡୁଥିବା ଜାତିଗତ ପ୍ରମାନପତ୍ର, ସ୍ଥାୟୀ ବାସିନ୍ଦା, ଆୟ ପ୍ରମାଣପତ୍ର ଠିକ ସମୟରେ ମିଳୁନଥିବାରୁ ଛାତ୍ରଛାତ୍ରୀ ମାନେ ହଇରାଣ ହେଉଥିବା ଅଭିଯୋଗ ହେଉଛି । ସେହିପରି ଜମିଜମା କାର୍ଯ୍ୟ ପାଇଁ ଲୋକମାନେ ବାରମ୍ବାର କାର୍ଯ୍ୟାଳୟ କୁ ଆସି ନିରାଶ ହେଉଛନ୍ତି । ତହସିଲଦାର ଠିକ ସମୟରେ ଆସୁନଥିବାରୁ ବହୁ ସଂଖ୍ୟକ ଫାଇଲ ଦସ୍ତଖତ ନହୋଇ ପଡି ରହିଥିବା ସାଧାରଣରେ ଅଭିଯୋଗ ହୋଇଛି । ସେପଟେ ଘଟଣା ସମ୍ପର୍କରେ ବେଗୁନିଆ ଦାୟିତ୍ୱରେ ଥିବା ତହସିଲଦାର ବିଜୟ କୁମାର ସେଠି କହିଛନ୍ତି ମୁଁ କାହାକୁ ଜନ୍ମ ଦିବସ ପାଳନ କରିବାକୁ କହି ନାହିଁକି କି ନିଦେ୍ର୍ଧଶ ଦେଇନାହିଁ । କାର୍ଯ୍ୟାଳୟ ଟେବୁଲରେ କେକ କଟାଯାଇ ନାହିଁ, କର୍ମଚାରୀମାନେ କେକ ଆଣିଥିଲେ ସତ ମୁଁ କିନ୍ତୁ ମନା  କରିଥିଲି । ସେମାନେ ବାହାରେ କେକ କାଟି ଖାଇଥିଲେ ବୋଲି ପ୍ରକାଶ କରିଛନ୍ତି ।