ଷଷ୍ଠୀ ଓଷା ଓ ସୋମନାଥ ବ୍ରତ

ଭାଦ୍ରବ ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଷଷ୍ଠୀ ଓଷା କରାଯାଏ । ଏହାକୁ ଷଠୀ ବୁଢ଼ି ବା ଷଠି ଠାକୁରାଣୀ ଦେବୀ ପୂବା ବୋଲି ମଧ୍ୟ କୁହାଯାଏ । ଏହି ପର୍ବରେ ଠାକୁରାଣୀ ସହ ଘରର ପିଲାମାନଙ୍କୁ ବନ୍ଦାପନା କରାଯିବାର ମଧ୍ୟ ବିଧି ପ୍ରଚଳିତ ରହିଛି । ଷଷ୍ଠୀ ଦେବୀ ଶିଶୁମାନଙ୍କ ସୁରକ୍ଷା କବଚ ସାଜି ସେମାନଙ୍କୁ ସୁରକ୍ଷା କରିଥାନ୍ତି । ଏହି ମନୋସ୍କାମନା ଏବଂ ବିଶ୍ୱାସ ନେଇ ଷଷ୍ଠୀ ଠାକୁରାଣୀ ପୂଜା କରାଯାଇଥାଏ । ଷଷ୍ଠୀ ଦେବୀଙ୍କ ସନ୍ତୁଷ୍ଟକରିବା ଲାଗି କାନ୍ଥରେ ଷଠୀ ଘର ଅଙ୍କା ଯାଇଥାଏ । ସନ୍ତାନ ମାନଙ୍କ ଦୀର୍ଘ ତଥା ନିରାମୟ ଜୀବନ କାମନା କରି ଷଠୀ ବ୍ରତ କରାଯାଏ । ଗହ୍ମାବେଦୀ ମାଟି ଓ ହଳଦୀରେ ବାରଟି ମୂର୍ତ୍ତି ଗଢ଼ି ସେଥିରେ ହଳଦିଆ ବସ୍ତ୍ର ପିନ୍ଧାଯାଇ ଫୁଲ, ଚନ୍ଦନ, ଧୂପ, ଦୀପ ଆଦି ଦେଇ ବନ୍ଦା ଯାଇଥାଏ । ଏଥିରେ ବିଭିନ୍ନ ପ୍ରକାରର ଭୋଗ ମଧ୍ୟ ଲଗାଯାଇଥାଏ । ଠାକୁରାଣୀଙ୍କ ସମ୍ମୁଖରେ ଭୋଗ ଲଗାଯାଇ ପୂଜା କରାଯାଇଥାଏ । ପୂଜା ପରେ ଭୋଗ ପିଲାମାନଙ୍କୁ ଖାଇବାକୁ ଦିଆଯାଇଥାଏ । ଏହାପରେ ଷଠୀ ବାଡ଼ିରେ ସନ୍ତାନମାନଙ୍କୁ ପିଟାଯାଇଥାଏ । ଏହାଦ୍ୱାରା ପିଲାମାନେ ଦୀର୍ଘାୟୁ ହୋଇଥାଆନ୍ତି ବୋଲି ବିଶ୍ୱାସ ରହିଛି । ସେହିପରି ଭାଦ୍ରବ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ଠାରୁ ଆଶ୍ୱୀନ ଶୁକ୍ଳ ଦଶମୀ ମଧ୍ୟରେ ସୋମନାଥ ବ୍ରତ ପାଳନ କରାଯାଇଥାଏ । ଏହି ବ୍ରତରେ ଦେବ ଦେବ ମହାଦେବଙ୍କୁ ପୂଜା କରାଯାଇଥାଏ । ମହାଦେବଙ୍କ କୃପାରୁ ବ୍ରତଧାରୀ ଧନଧାନ୍ୟ, ସୁଖଶାନ୍ତି,ଐଶ୍ୱର୍ଯ୍ୟ ଲାଭ କରିଥାଏ । ଏହି ବ୍ରତ ସମ୍ପର୍କରେ ସ୍କନ୍ଧ ପୁରାଣରେ ବର୍ଣ୍ଣନା ରହିଛି । ଭଗବାନ ଶିବ ଦେବୀ ପାର୍ବତୀଙ୍କୁ ଏହି ବ୍ରତ ସମ୍ପର୍କରେ କହିଛନ୍ତି ବେଦବ୍ୟାସୀ ନାମକ ଜଣେ ବ୍ରାହ୍ମଣ ଦ୍ୱାରା ମର୍ତ୍ତ୍ୟଲୋକରେ ଏହି ବ୍ରତ ଆରମ୍ଭ ହୋଇଥିଲା । ବେଦବ୍ୟାସୀ ପୂର୍ବ ଜନ୍ମରେ ଜଣେ ଶିବ ଭକ୍ତ ଥିଲା । ମାତ୍ର ଏ ଜନ୍ମରେ ସେ ଦରିଦ୍ର ହୋଇ ଜନ୍ମ ହୋଇଥିଲା । ଥରେ ସେ ଭଗବାନ ସୋମନାଥଙ୍କ ଦର୍ଶନ ନିମନ୍ତେ ଘରୁ ବାହାରିଥିଲା । କ୍ଷୁଧା, ତୃଷ୍ଣାରେ ଅତି କଷ୍ଟ ସହି ଦୁର୍ଗମ ପଥ ଅତିକ୍ରମ କରି ସେ ସୋମନାଥ ଭଗବାନଙ୍କ ଦର୍ଶନ ଲାଭ କରିବାରେ ସୌଭାଗ୍ୟ ପ୍ରାପ୍ତି କରିଥିଲା । ଏହି ପୂଣ୍ୟ ବଳରେ ସେ ରାଜା ହେବାର ସୌଭାଗ୍ୟ ଲାଭ କରିଥିଲା । ଭଗବାନ ସୋମନାଥ ତାକୁ ଦର୍ଶନ ଦେବା ସହ ତା ଦ୍ୱାରା ମର୍ତ୍ତ୍ୟରେ ସୋମନାଥ ବ୍ରତର ମହିମା ପ୍ରସାର କରାଇଥିଲେ । ଏହି ବ୍ରତରେ ମହାଦେବଙ୍କୁ ଦଶ ପ୍ରକାର ଫୁଲ, ଦଶ ପ୍ରକାର ଫଳ ଆଦି ମହାଦେବଙ୍କୁ ଅର୍ପଣ କରି ପୂଜା କରିବାର ବିଧି ରହିଛି । ଭାଦ୍ରବ ମାସ ଶୁକ୍ଳ ଷଷ୍ଠୀରେ ପ୍ରଥମେ ବ୍ରତ ଧାରଣ କରି ବିଧି ମୁତାବକ ଶିବ ପୂଜା କରାଯାଇଥାଏ । ଓଡ଼ିଆ ଜନଜୀବନରେ ସୋମନାଥ ବ୍ରତର ଆଧ୍ୟାତ୍ମିକ ତାତ୍ପର୍ଯ୍ୟତା ଯୁଗେ ଯୁଗେ ସ୍ମରଣୀୟ ହୋଇ ରହିବ । ଆଜିକାଲି ସୋମନାଥ ବ୍ରତ ପ୍ରାୟତଃ ଶୈବକ୍ଷେତ୍ରରେ ଅନୁଷ୍ଠିତ ହେଉଛି । ଏହି ଦିବସଯିକୁ ଶ୍ରଦ୍ଧାଳୁମାନେ ଅତ୍ୟନ୍ତ ଆଧ୍ୟାତ୍ମିକ ଭାବଧାରର ବିଚାର ଓ ଚିନ୍ତନ ସହ ପାଳନ କରିଥାନ୍ତି । କେହି କେହି ବେଲପତ୍ର ସମର୍ପଣ ସହ କେହି କେହି ନାରାୟଣ ସେବାର ଆୟୋଜନ କରିଥାନ୍ତି । ଏହି ଦିନ ଭୋଳାଶଙ୍କର ହର ହର ମହାଦେବଙ୍କୁ ପୂଜା କଲେ ସେ ସମସ୍ତଙ୍କର ଇପ୍ସିତ ସଂକଳ୍ପକୁ ଗ୍ରହଣ କରିଥାନ୍ତି ବୋଲି ଲୋକ ବିଶ୍ୱାସ ରହିଛି । ତାହାଭିତରୁ ଏହି ବ୍ରତର ମାହାତ୍ମ୍ୟ ଶୀର୍ଷକ ପୁସ୍ତକଟି ଅନ୍ୟତମ । ଭଗବାନ ଆମ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ ଏହା ହିଁ କାମନା ।
ଅଜୟ କୁମାର ବେହେରା,ମୋ : ୯୪୩୭୦୩୧୨୫୩