ବିଡିଏର ୪୩ତମ ପ୍ରତିଷ୍ଠା ଦିବସ : ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ସହରରେ ପରିଣତ କରିବାକୁ ଲକ୍ଷ୍ୟ
ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ୪୩ତମ ପ୍ରତିଷ୍ଠା ଦିବସ ସୋମବାର ଜୟଦେବ ଭବନରେ ପାଳିତ ହୋଇଯାଇଛି । ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଓ ସାଧାରଣ ଉଦ୍ୟୋଗ ବିଭାଗର ମନ୍ତ୍ରୀ ତଥା ବିଡିଏ ଅଧ୍ୟକ୍ଷ ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମେୟର ସୁଲୋଚନା ଦାସ, ଏକାମ୍ର ଭୁବନେଶ୍ୱରର ବିଧାୟକ ବାବୁ ସିଂ, ବିଡିଏ ଉପାଧ୍ୟକ୍ଷ ଡା.ଏନ୍ ତିରୁମାଲା ନାୟକ, ବିଡିଏ ସଚିବ ମାନସ ରଞ୍ଜନ ପାଢ଼ୀ ଓ ବିଡିଏ କର୍ମଚାରୀ ଇଉନାଇଟେଡ଼ ଫୋରମର ସଭାପତି ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ମନ୍ତ୍ରୀ ଶ୍ରୀ ମହାପାତ୍ର ତାଙ୍କ ଅଭିଭାଷଣରେ ଭୁବନେଶ୍ୱରର ଦ୍ରୁତ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ନଜରରେ ରଖି ସହରୀ ଯୋଜନାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ସେ ଭୁବନେଶ୍ୱରକୁ ଏକ ବିଶ୍ୱସ୍ତରୀୟ ସହରରେ ରୂପାନ୍ତରିତ କରିବାର ସ୍ୱପ୍ନ ସହିତ, ସହରର ଅଭିବୃଦ୍ଧି, ରାଜଧାନୀରେ ନିଜର ସ୍ୱପ୍ନର ଘର ଗ?ିବା ପାଇଁ ଚାହୁଁଥିବା ଲୋକଙ୍କ ସ୍ୱପ୍ନକୁ ସଫଳ କରିବା ଦିଗରେ ବିଡିଏର ପ୍ରତିବଦ୍ଧତା ବିଷୟରେ ସେ କହିଥିଲେ । ଏବଂ ପରିବେଶର ସବୁଜିମା ସଂରକ୍ଷଣ ଏବଂ ସ୍ୱେରେଜ୍ ତଥା ଜଳ ନିଷ୍କାସନ ବ୍ୟବସ୍ଥାରେ ଉନ୍ନୟନ ଆଣିବା ପାଇଁ ପ୍ରଶାସନ ଓ ସାଧାରଣ ଲୋକଙ୍କ ମଧ୍ୟରେ ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ମେୟର ସୁଲୋଚନା ଦାସ ଭୁବନେଶ୍ୱରକୁ ସମସ୍ତଙ୍କ ପାଇଁ ଉପଯୁକ୍ତ ସହରରେ ଗଢିବାରେ ବିଡିଏର ମୁଖ୍ୟ ଭୂମିକା ଉପରେ ଆଲୋକପାତ କରିଥିଲେ । ସହରର ଦ୍ରୁତ ଅଭିବୃଦ୍ଧି ଓ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସହରାଞ୍ଚଳ ବାସହୀନଙ୍କୁ ଆଶ୍ରୟ ପ୍ରଦାନ କରୁଥିବା ପ୍ରକଳ୍ପଗୁଡ଼ିକୁ ପ୍ରାଥମିକତା ଦେବାକୁ ଏକାମ୍ର ବିଧାୟକ ବାବୁ ସିଂହ ବିଡିଏକୁ କହିଥିଲେ । ବିଡିଏ ଉପାଧ୍ୟକ୍ଷ ସହରର ବ୍ୟାପକ ବିକାଶ ଓ ବାସିନ୍ଦାଙ୍କ ଜୀବନଧାରଣ ମାନ ବୃଦ୍ଧି ଦିଗରେ କର୍ତ୍ତୃପକ୍ଷଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ ।”ବିଡିଏ କର୍ମଚାରୀ ଇଉନାଇଟେଡ଼ ଫୋରମର ସଭାପତି ସମୀର ମହାନ୍ତି ବିଡିଏ କର୍ମଚାରୀଙ୍କ ପାଇଁ ପେନସନ୍ ଯୋଜନା କାର୍ଯ୍ୟକାରୀ କରିବାକୁ ଦାବି ଦୋହରାଇଛନ୍ତି । ପ୍ରତିଷ୍ଠା ଦିବସ ଅବସରରେ ମନ୍ତ୍ରୀ ମହାପାତ୍ର କଳିଙ୍ଗ ବିହାର କେ୯ବି ଅଞ୍ଚଳରେ ଏକ ଖେଳପଡିଆ ଓ ପାର୍କର ଉଦଘାଟନ କରିଥିଲେ । ଏହି ଖେଳପଡିଆ ୨.୩ ଏକର ଏବଂ ପାର୍କ ୧.୩୬ ଏକର ଜାଗାରେ ନିର୍ମିତ ହୋଇଛି । ଅନ୍ୟପଟେ ବିଡିଏ ପକ୍ଷରୁ ବର୍ତ୍ତମାନ କେ୯ବି ଖେଳପଡିଆ ସମେତ ମୋଟ ୨୦ଟି ଖେଳପଡିଆ ପ୍ରାୟ ୯୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରୁଛି । ବାକି ୧୯ଟି ଖେଳପଡିଆର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି ।