ଇଣ୍ଡିଗୋ ଏୟାରଲାଇନ୍ସକୁ ୯୪୪ କୋଟି ଫାଇନ୍
ନୂଆଦିଲ୍ଲୀ : ଆୟକର ଠକେଇ ଅଭିଯୋଗରେ ଇଣ୍ଡିଗୋ ଏୟାରଲାଇନ୍ସ ମୂଳ କମ୍ପାନୀ ଇଣ୍ଟରଗ୍ଲୋବ୍ ଆଭିଏସନ୍ ଲିମିଟେଡ୍କୁ ୯୪୪.୨୦ କୋଟି ଟଙ୍କାର ଜରିମାନା ପକାଇଛି ଆୟକର ବିଭାଗ । ୨୦୨୧-୨୨ ଆର୍ଥିକ ବର୍ଷରେ ଆୟକର ଜମାରେ ଅବହେଳା ଅଭିଯୋଗ ଯୋଗୁ କମ୍ପାନୀକୁ ଉପରୋକ୍ତ ପରିମାଣର ଜରିମାନା ପକାଯାଇଥିବା ବେଳେ କମ୍ପାନୀ ପକ୍ଷରୁ ଏହା ସମ୍ପୂର୍ଣ୍ଣ ଭୁଲ୍ ଏବଂ ଅଯଥାରେ ଜରିମାନା ପକାଯାଇଛି ବୋଲି କୁହାଯାଇଛି । ଆୟକର ବିଭାଗର ଏହି କାର୍ଯ୍ୟାନୁଷ୍ଠାନକୁ ଚାଲେଞ୍ଜ କରି କମ୍ପାନୀ କୋର୍ଟର ଆଶ୍ରୟ ନେବ ବୋଲି ଚେତାବନୀ ଦେଇଛି । ତେବେ ଆୟକର ବିଭାଗର ଏହି ଜରିମାନା ନିଦେ୍ର୍ଦଶ କମ୍ପାନୀର ବ୍ୟବସାୟରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି ।
ଇଣ୍ଡିଗୋ ଏୟାରଲାଇନ୍ସ ଏକ ବିବୃତି ଜାରି କରି କହିଛି ଯେ, ଆୟକର କର୍ତ୍ତୃପକ୍ଷ ୨୦୨୧-୨୨ ବର୍ଷ ପାଇଁ ପକାଇଥିବା ୯୪୪.୨୦ କୋଟି ଟଙ୍କାର ଜରିମାନା ଆଦେଶ ଏକ ଭୁଲ ବୁଝାମଣା ଆଧାରରେ ଦିଆଯାଇଛି । କମ୍ପାନୀ ଧାରା ୧୪୩(୩) ଅନୁଯାୟୀ ଏହି ଆଦେଶ ବିରୁଦ୍ଧରେ ଆୟକର କମିଶନରଙ୍କ ନିକଟରେ ଯେଉଁ ଅଭିଯୋଗ ଦାଖଲ କରିଥିଲା ତାହା ଖାରଜ ହୋଇଯାଇଛି ମନେକରି ବିଭାଗ ଏହି ଜରିମାନା ପକାଇଛି । କିନ୍ତୁ କୌଣସି ପ୍ରକାରର ଆବେଦନ ଖାରଜ ହୋଇନାହିଁ ଏବଂ ମାମଲା ଏବେ ବି ବିଚାରାଧୀନ ଅଛି । ତେବେ ଏହି ନିଦେ୍ର୍ଦଶ ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ । ଏଥିପାଇଁ କମ୍ପାନୀ ଆଇନର ସହାୟତା ନେବ ବୋଲି କୁହାଯାଇଛି । ଅପରପକ୍ଷେ କମ୍ପାନୀକୁ ଜରିମାନା ପଡ଼ିବା ପରେ ସେୟାର ବଜାରରେ ଇଣ୍ଡିଗୋର ସେୟାର ୦.୩୨% ହ୍ରାସ ପାଇ ୫,୧୧୩ ଟଙ୍କାରେ ସ୍ଥିର ରହିଥିଲା । ବର୍ତ୍ତମାନର କାରବାର ଅନୁସାରେ, ଏୟାରଲାଇନ୍ସର ଷ୍ଟକ୍ରେ ସ୍ଥିରତା ଦେଖାଇଛି ଏବଂ ବର୍ଷ ତମାମ ଆଧାରରେ ପ୍ରାୟ ୧୧.୩୬% ବୃଦ୍ଧି ପାଇଛି ।