ଇତିହାସ ରଚିବ ବିଧାନସଭା

ଇତିହାସ ରଚିବ ବିଧାନସଭା
  • ସମ୍ବୋଧିତ କରିବେ ରାଷ୍ଟ୍ରପତି
  • ପୁରୁଣା ବିଧାୟକ, ମନ୍ତ୍ରୀଙ୍କ ସହ କଥା ହେବେ
  • ରାଷ୍ଟ୍ରପତିଙ୍କ ପାଇଁ ସ୍ୱତନ୍ତ୍ର ଚାମ୍ବର
  • ଆସନ୍ତାକାଲି ଅତିରିକ୍ତ ବଜେଟ୍‌

ଭୁବନେଶ୍ୱର : ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧିତ କରିବେ । ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଥିବାରୁ ଶୀତ ଅଧିବେଶନ ଐତିହାସିକ ମୁହୂର୍ତ୍ତର ମୂକସାକ୍ଷୀ ହେବ । ଦୀର୍ଘ ଅବଧିର ଏହି ଶୀତ ଅଧିବେଶନ ଡିସେମ୍ବର ୩୧ ଯାଏଁ ଚାଲିବ ବୋଲି କାର୍ଯ୍ୟସୂଚୀ ରହିଛି । 


     ଅପରପକ୍ଷରେ ନଭେମ୍ବର ୨୮ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍‌ ଆଗତ କରିବେ । ଡିସେମ୍ବର ୪ରୁ ଅତିରିକ୍ତ ଖର୍ଚ୍ଚଦାବି ଆଲୋଚନା ହେବ । ତିନିଦିନ ଧରି ଖର୍ଚ୍ଚଦାବି ଆଲୋଚନା ହେବାପରେ ଡିସେମ୍ବର ୮ ରେ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍‌ ନେଇ ଆଲୋଚନା ହେବା ସହ ପାରିତ ହେବାର କାର୍ଯ୍ୟସୂଚୀ ରହିଛି । ଅଧିବେଶନର କାର୍ଯ୍ୟ ଅବଧି ବେଶ୍‌ ଲମ୍ବା ରହିଛି  । ୨୯ ଦିନ ଧରି ବିଧାନସଭା ଚାଲିବାର କାର୍ଯ୍ୟସୂଚୀ ଅଛି । ତେବେ ଡିସେମ୍ବର ୮ରେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍‌ ପାରିତ ହେବାର ଥିବାରୁ ଅନେକ ଦିନ ପୂର୍ବରୁ ବିଧାନସଭାର ଅଧିବେଶନ ସରିବାର ସମ୍ଭାବନା ରହିଛି । ବିଧାନସଭା ଇତିହାସରେ ଅତୀତରେ ଅନେକ ବାର ଏଭଳି ନଜିର ଦେଖିବାକୁ ମିଳିଛି । ଏହି ଶୀତ ଅଧିବେଶନ ଏକ ଐତିହାସିକ ଅଧିବେଶନ ହେବାକୁ ଯାଉଛି । ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାକୁ ଦେଶର ରାଷ୍ଟ୍ରପତି ସମ୍ବୋଧିତ କରିବେ । ଫଳରେ ଅଧିବେଶନ ପୂର୍ବରୁ ସମସ୍ତଙ୍କ ମନରେ ଉତ୍ସୁକତା ଭରିଯାଇଛି ।


     ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ବିଧାନସଭା ସଚିବାଳୟ ବି ଚଳଚଞ୍ଚଳ ହୋଇଯାଇଛି । ବିଧାନସଭାର ଇତିହାସରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାର୍ଗଦର୍ଶନ କରିବେ । ଅତୀତରେ କେବେ ରାଷ୍ଟ୍ରପତି ଓଡ଼ିଶା ବିଧାନସଭାକୁ ସମ୍ବୋଧିତ କରିନାହାନ୍ତି । ୨୦୦୦ରେ ପ୍ରଥମ ଥର ପାଇଁ ଦ୍ରୌପଦୀ ମୁର୍ମୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିଲେ । ମେଣ୍ଟ ସରକାରରେ ମନ୍ତ୍ରୀ ମଧ୍ୟ ରହିଥିଲେ । ଦୁଇ ଦଫାରେ ସେ ବାଣିଜ୍ୟ ଓ ପରିବହନ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ମନ୍ତ୍ରୀ ଥିଲେ । ୨୦୦୪ରେ ସେ ପୁନଶ୍ଚ ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିବାବେଳେ ୨୦୦୭ରେ ଶ୍ରେଷ୍ଠ ବିଧାୟିକା ଭାବେ ନୀଳକଣ୍ଠ ଦାସ ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ମନ୍ତ୍ରୀ ଥିବାବେଳେ ୧୧ ନମ୍ବର ରୁମ୍‌ରେ ସେ ବସୁଥିଲେ । ତେଣୁ ସେହି ରୁମ୍‌ରେ ରାଷ୍ଟ୍ରପତିଙ୍କ ପାଇଁ ସ୍ୱତନ୍ତ୍ର ଚାମ୍ବର କରାଯାଇଛି । ସେହି ସମୟର ବିଧାୟକ, ସାଂସଦ ଓ ମନ୍ତ୍ରୀମାନଙ୍କ ସହ ବସି ସେ ଆଲୋଚନା କରିବେ । 


   ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବଳୟର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଆଜି କାରକେଡ଼ ରିହରସେଲ୍‌ ମଧ୍ୟ କରାଯାଇଥିଲା । ଆସନ୍ତାକାଲି ବିଧାନସଭାର ଚତୁଃପାଶ୍ୱର୍ରେ କଡ଼ା ସୁରକ୍ଷା କରାଯିବା ସହ ଯାତାୟତ ଉପରେ ରୋକ ଲଗାଯାଇଛି । ବିଧାନସଭାକୁ ରାଷ୍ଟ୍ରପତି ସମ୍ବୋଧିତ କରିବା ପରେ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିବେ ବୋଲି ଜାଣିବାକୁ ମିଳିଛି ।