ଇତିହାସର ମହାନ ଗାଥାକୁ ଯୁବପିଢି ଜାଣିବା ଆବଶ୍ୟକ: ମନ୍ତ୍ରୀ
ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମ ସମୟରେ ନବରଙ୍ଗପୁରର ପାପଡାହାଣ୍ଡିର ତୁରୀ ନଦୀଠାରେ ବ୍ରିଟିଶ ପୁଲିସଙ୍କ ବର୍ବରୋଚିତ ଗୁଳିକାଣ୍ଡ ଯୋଗୁଁ ପ୍ରାୟ ୧୯ ଜଣ ସ୍ୱାଧୀନତା ସଂଗ୍ରାମୀ ନଦୀକୁ ଡେଇଁ ପ୍ରାଣ ହରାଇଥିବାବେଳେ ଅନେକ ସଂଗ୍ରାମୀ କାରାଦଣ୍ଡ ଭୋଗୁଥିବା ସମୟରେ ମୃତୁ୍ୟବରଣ କରିଥିଲେ । ତେଣୁ ଏହାକୁ ରକ୍ତତୀର୍ଥ ପାପଡାହାଣ୍ଡି ବୋଲି କୁହାଯାଏ । ଏହି ସବୁ ବଳିଦାନର କାହାଣୀ ଆଜିର ସମୟରେ ଲୋକଲୋଚନରୁ ଦୂରେଇ ଯାଉଛି । ଏଇଭଳି ସବୁ ଇତିହାସର ମହାନ ଗାଥାକୁ ଆଜିର ଯୁବପିଢି ଜାଣିବା ଆବଶ୍ୟକ । ଏହା ସେମାନଙ୍କୁ ଆମ ପୂର୍ବପୁରୁଷଙ୍କ ସଂଘର୍ଷ, ତ୍ୟାଗ ଓ ଦୃଢମନୋଭାବ ବିଷୟରେ ଅବଗତ କରାଇ ମନରେ ଦେଶପ୍ରେମର ଭାବନା ଜାଗୃତ କରିବ ବୋଲି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଶବରୀ ସାଂସ୍କୃତିକ ସଂସଦର ମିଳିତ ଆନୁକୂଲ୍ୟରେ ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ଆତ୍ମୋସôର୍ଗ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ଯେ ପାପଡାହାଣ୍ଡି ଘଟଣା ସ୍ୱାଧୀନତା ସଂଗ୍ରାମ ଇତିହାସରେ ଓଡିଶାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାକ୍ଷର । ଭାରତଛାଡ ଆନ୍ଦୋଳନର ସ୍ୱର ପାପଡାହାଣ୍ଡିରେ ତୀବ୍ର ଭାବେ ଗୁଞ୍ଜରିତ ହୋଇଥିଲା । ଏହି ସଂଗ୍ରାମୀମାନଙ୍କ ବଳିଦାନର ଭିତ୍ତିଭୂମି ଉପରେ ଆମ ଦେଶ ଭାରତବର୍ଷ ଠିଆ ହୋଇଛି ଏବଂ ଆମେ ସ୍ୱାଧୀନତାର ଆନନ୍ଦ ନେଉଛେ । ଲକ୍ଷ ଲକ୍ଷ ଭାରତୀୟଙ୍କ ତ୍ୟାଗ ଓ ବଳିଦାନର ଅବଦାନ ଆଜିର ସ୍ୱାଧୀନତାକୁ ଅକ୍ଷୁଣ୍ଣ ରଖିବା ନିମନ୍ତେ ପ୍ରତିଜ୍ଞାବଦ୍ଧ ହେବା ପାଇଁ ମନ୍ତ୍ରୀ ଶ୍ରୀ ଗଣ୍ଡ ଯୁବପିଢିଙ୍କୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅରବିନ୍ଦ ଢାଲି, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ବିଷମକଟକ ବିଧାୟକ ଶ୍ରୀ ନୀଳମାଧବ ହିଗା, ଝରିଗାଁ ବିଧାୟକ ଶ୍ରୀ ନରସିଂହ ଭତ୍ରା, ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ ଯୋଗଦେଇଥିଲେ ।