ଇରାନ-ଇସ୍ରାଏଲ ବିବାଦ ତେଲଆଭିଭକୁ ଏୟାର ଇଣ୍ଡିଆ ଉଡାଣ ସ୍ଥଗିତ


ାା ଏଜେନ୍ସି ।ା ନୂଆଦିଲ୍ଲୀ: ଇରାନ ଓ ଇସ୍ରାଏଲ ବିବାଦ ମଧ୍ୟରେ ଏୟାର ଇଣ୍ଡିଆ ତେଲ୍ ଆଭିଭକୁ ଉଡ଼ାଣ ସ୍ଥଗିତ ରଖିଛି । ଅଗଷ୍ଟ ୮ ପର୍ଯ୍ୟନ୍ତ ତେଲ୍ ଆଭିଭକୁ କୌଣସି ବିମାନ ଚଳାଚଳ କରିବ ନାହିଁ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି । ବିମାନ ସେବା ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ ଏହି ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି ଯେ, ମଧ୍ୟପ୍ରାଚ୍ୟର କିଛି ଅଂଶରେ ଚାଲିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ତେଲ୍ ଆଭିଭକୁ ବିମାନ ଚଳାଚଳକୁ ସ୍ଥଗିତ ରଖାଯାଇଛି । ଆହୁରି କୁହାଯାଇଛି, ଆମେ ନିରନ୍ତର ପରିସ୍ଥିତି ଉପରେ ନଜର ରଖିଛୁ । ଯେଉଁ ଯାତ୍ରୀମାନେ ଏଥିପାଇଁ ଟିକେଟ୍ କରିଥିଲେ ସେମାନଙ୍କୁ ସହାୟତା ଯୋଗାଇ ଦେଉଛୁ । ଆମ ପାଇଁ ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ପ୍ରଥମ ପ୍ରାଥମିକତା ।  ଅଧିକ ସୂଚନା ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି । ଅଧିକ ସୂଚନା ପାଇଁ ୦୧୧-୬୯୩୨୯୩୩୩ / ୦୧୧-୬୯୩୨୯୯୯୯ ରେ କଲ୍ କରିପାରିବେ । 
ଗତ ବର୍ଷ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ପାଲେଷ୍ଟାଇନ ସମର୍ଥିତ ହମାସ ସଂଗଠନ । ଏହାପରେ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଏହାରି ମଧ୍ୟରେ ହମାସ ସଂଗଠନର ଟପ୍ ନେତା କୁହାଯାଉଥିବା ଇସମାଇଲ ହାନିୟାଙ୍କୁ ଇରାନରେ ହତ୍ୟା କରାଯାଇଛି । ସେ ଜୁଲାଇ ୩୧ରେ ଇରାନର ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉସôବରେ ଯୋଗଦେଇ ଫେରିବା ପରେ ତାଙ୍କୁ ହତ୍ୟା କରାଯାଇଛି । ଇରାନର ରାଜଧାନୀ ତେହରାନରେ ତାଙ୍କୁ ହତ୍ୟା କରାଯଇ ଥିବାରୁ ଏହାକୁ ନେଇ ପ୍ରତିକ୍ରିୟା ପରାୟଣ ହୋଇଛି ଇରାନ । ହାନିୟାଙ୍କ ମୃତୁ୍ୟକୁ ନେଇ ଇରାନ ଏବଂ ଏହାର ସମର୍ଥିତ ସଂଗଠନମାନେ ସିଧାସଳଖ ଇସ୍ରାଏଲକୁ ଦାୟୀ କରିଛନ୍ତି । ଇସ୍ରାଏଲ ହାନିୟାଙ୍କ ହତ୍ୟାକୁ ନେଇ ନିଜକୁ ଦାୟୀ କରିନଥିଲେ ମଧ୍ୟ ଅଭିଯୋଗକୁ ଖଣ୍ଡନ କରିନାହିଁ ।  
ଏହି ବିବାଦ ମଧ୍ୟରେ ଗତକାଲି ଇସ୍ରାଏଲ ସେନା ଏକ ସୋସିଆଲ ମିଡିଆ ପୋଷ୍ଟରେ ଦାବି କରି କହିଛି ଯେ, ସେମାନେ ହମାସର ସାମରିକ ମୁଖ୍ୟ ମହମ୍ମଦ ଡୈଫକୁ ହତ୍ୟା କରିଛନ୍ତି ।  ଏସବୁ ମଧ୍ୟରେ ଇରାନ ସର୍ବୋଚ୍ଚ ନେତା ଅୟତୋଲ୍ଲା ଅଲି ଖାମେନି ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଇରାନ ଏହାର ସମର୍ଥିତ ଲେବାନାନର ହିଜବୁଲ, ଇରାକର ଇସଲାମିକ ଜିହାଦ, ୟେମେନର ହୁତି ଏବଂ ସିରିଆର ସିଆ ଗୋଷ୍ଠୀଙ୍କ ସହାୟତାରେ ଏହି ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା କୁହାଯାଇଛି । ସେପଟେ ଇସ୍ରାଏଲ ମଧ୍ୟ ପ୍ରତି ଆକ୍ରମଣ ପାଇଁ ପ୍ରସ୍ତୁତି ଜାରି ରଖିଛି । ମଧ୍ୟପ୍ରାଚ୍ୟରେ ଚାଲିଥିବା ଏହି ବିବାଦକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ଇସ୍ରାଏଲର ତେଲ୍ ଆଭିଭକୁ ବିମାନ ଚଳାଚଳ ସ୍ଥଗିତ ରଖିଛି ।