ଜମି କିଣାବିକା କେଳେଙ୍କାରୀ : ଜେଲ ଗଲେ ମୁଖ୍ୟ ଅଭିଯୁକ୍ତ
ଯାଜପୁର ଟାଉନ : ଯାଜପୁର ଜିଲ୍ଲା ସବ୍ରେଜିଷ୍ଟାର କାର୍ଯ୍ୟାଳୟରେ ଜମିକିଣା ବିକାରେ ହୋଇଥିବା ବ୍ୟାପକ କେଳେଙ୍କାରୀ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଯିବାକୁ ପଡ଼ିଛି ଜେଲ । କେଳେଙ୍କାରୀ ଘଟଣାରେ ପୂର୍ବରୁ ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ କର୍ଣ୍ଣାଟ କେଶରୀ ଦାସଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଖବର ମତେ ଯାଜପୁର ଥାନା କପାସି ଅଞ୍ଚଳ ୨ଗୋଟି ପ୍ଲଟ୍ ଅଧିନରେ ଥିବା୧୪ ଡିସ୍ମିଲ୍ ଜମିକୁ ୨ଜଣ ବ୍ୟକ୍ତି ଅନ୍ୟ ୨ଜଣଙ୍କ ଜମିକୁ ବିକ୍ରି କରି ଦେଇଥିବା ଜଣାପଡ଼ିଥିଲା । କପାସି ମୌଜା ଅନ୍ତର୍ଗତ ଖାତା ନଂ.୫୦୬/୧୪୪, ଖସଡ଼ା ନଂ.୫୯୨ ରକବା ୭ଡି. ଜମିର ମାଲିକ ବରୀ ଅଞ୍ଚଳର ହଳଦିଅନ୍ତା ଗ୍ରାମର ଅନନ୍ତ ଜେନାଙ୍କ ପୁଅ ଜୟନ୍ତ ହୋଇଥିବା ବେଳେ ତାଙ୍କ ଜମିକୁ ବିକ୍ରି କରିବା ପାଇଁ ଇନ୍ଦାସ ଗ୍ରାମର ଦୀପକ ଓରଫ ମଂଟୁ ଜେନା କପାସି ଗ୍ରାମର ପ୍ରଦୀପ୍ତ କୁମାର ମହାନ୍ତିଙ୍କୁ ପ୍ରଥମେ ପ୍ରସ୍ତାବ ଦେଇଥିଲେ । ଜମିର ମୂଲ୍ୟ ୧୨ଲକ୍ଷ ଟଙ୍କା ହୋଇଥିବା ବେଳେ ଜମିଟି ତାଙ୍କ ପିଉସା ପୁଅ ଭାଇଙ୍କର ବୋଲି ଜଣାଇଥିଲେ । ମାତ୍ର ଏହି ଜମିଟି ଅନୁସୂଚୀତ ଜାତିର ହୋଇଥିବାରୁ ପ୍ରଦୀପ୍ତ ପ୍ରଥମେ ଅନୁମତି ଦରକାର ବୋଲି ମଂଟୁଙ୍କୁ କହିଥିଲେ । ମଂଟୁ କୌଣସି ଏକ ଅନୁସୂଚୀତ ଜାତିର ଲୋକଙ୍କ ନାଁରେ କିଣିବା ପାଇଁ ପ୍ରଦୀପ୍ତଙ୍କୁ ପ୍ରସ୍ତାବ ଦେବାରୁ ସେ ତାଙ୍କ ଗ୍ରାମର ବାସୁଦେବ ଜେନା ନାଁରେ କିଣିବା ପାଇଁ ପ୍ରସ୍ତୁତ ହୋଇଥିଲେ । ଜମିର ମୂଲ୍ୟ ଛିଡ଼ିବା ପରେ ପ୍ରଥମେ ଅଗ୍ରୀମ ଆକାରରେ ୧ଲକ୍ଷ ଟଙ୍କା ନଗଦ,ଚେକ୍ରେ ୪ଲକ୍ଷ ୫୦ହଜାର ଟଙ୍କା ପରେ ୧୩.୦୬.୨୪ ରେ ମଂଟୁଙ୍କ ସ୍ତ୍ରୀ ନାମରେ ଥିବା ଏସ୍ବିଆଇ ଏକାଉଂଟରେ ୫ଲକ୍ଷ ୫୦ହଜାର ଏବଂ ଫୋନ୍-ପେରେ ୧ଲକ୍ଷ ଟଙ୍କା ନେଇଥିଲେ । ଅର୍ଥ ପାଇବା ପରେ ଏହି ଜମିକୁ ବାସୁଦେବଙ୍କ ନାମରେ ପଞ୍ଜିକରଣ କରିଥିଲେ । କିଛିଦିନ ପରେ ସେହି ଜମିକୁ ଲାଗି କୁରୁଳି ଗ୍ରାମର ଆଦିକନ୍ଦ ସେଠୀଙ୍କର ୭ ଡି. ଜମିକୁ କିଣିବା ପାଇଁ ଦୀପକ ଓରଫ ମଂଟୁ ପ୍ରଦୀପ୍ତଙ୍କୁ ପୁର୍ନବାର ପ୍ରବର୍ତାଇ ଥିଲେ । ଖାତା ନଂ.୫୦୬/୩୯୯, ପ୍ଲଟ୍ ନଂ.୫୯୨/୨୨୪୦, ରକବା ୭ଡି. ଜମିକୁ ୧୨ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଯୋଜନା ମୁତାବକ ପ୍ରଦୀପ୍ତଙ୍କ ଠାରୁ ପ୍ରଥମେ ଅଗ୍ରୀମ ଆକାରରେ ୨ଲକ୍ଷ ଟଙ୍କା ନେବା ପରେ ତା୬ା୭ା୨୪ରେ ଜମି ରେଜେଷ୍ଟି୍ର କରାଯାଇଥିଲା । ସେଠାରେ ବାକି ଥିବା ନଗଦ ଟଙ୍କା ପ୍ରଦୀପ୍ତ ଦେଇଥିଲେ । ଜମି କିଣାବିକା ପରେ ମଂଟୁର ନିଜ ଦାଦା ପ୍ରଦୀପ୍ତକୁ ଯେଉଁ ଲୋକ ଜମିକୁ ବିକ୍ରି କଲେ ତାଙ୍କ ନାମରେ ଜମିନଥିବା ପ୍ରଦୀପ୍ତଙ୍କ ଆଗରେ ପ୍ରକାଶ କରିଥିଲେ । ପ୍ରଦୀପ୍ତ ଏହି ଘଟଣା ଶୁଣିବା ପରେ ତାଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା । ପ୍ରଦୀପ୍ତଙ୍କ ସନେ୍ଦହ ହେବାରୁ ସେ ବରୀ ଅଞ୍ଚଳକୁ ଯାଇ ଅନନ୍ତଙ୍କ ପୁଅ ଜୟନ୍ତଙ୍କୁ ଯୋଗାଯୋଗ କରିବାରୁ ଯେଉଁ ଲୋକ ଜୟନ୍ତହୋଇ ଜମି ପଞ୍ଜିକରଣ କରିଥିଲା ସେ ପ୍ରକୃତ ଜୟନ୍ତ ନଥିଲା ବୋଲି ଜାଣିବାକୁ ପାଇଥିଲେ । ପରେ କୁରୁଳି ଗ୍ରାମରେ ଅନୁସନ୍ଧାନ କରି ଆଦିକନ୍ଦ ସେଠୀଙ୍କ ପାଖରେ ପହଁଚି ଜାଣିବାକୁ ପାଇଲେ ଯେଉଁ ଲୋକ ଆଦିକନ୍ଦ ସେଠୀ ନାମରେ ଜମି ପଞ୍ଜିକରଣ କରିଥିଲେ ସେ ମଧ୍ୟ ପ୍ରକୃତ ଆଦିକନ୍ଦ ନୁହଁନ୍ତି । ପରେ ଦୀପକ ଓ ଓରଫ ମଂଟୁଙ୍କୁ ଧରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରି ପୂର୍ବରୁ ମଂଟୁ ଆଉ ଏକ ଜମି ବିକ୍ରି କରିବାକୁ କହିଥିବାରୁ ସେହି ଜମିକୁ କିଣିବା ପାଇଁ ପ୍ରସ୍ତୁତ ଅଛି ବୋଲି କହି ମଂଟୁକୁ ପ୍ରଦୀପ୍ତ ଗତ ଅକ୍ଟୋବର ମାସ ୧ତାରିଖ ଦିନ ପେଟ୍ରୋଲ ପମ୍ପକୁ ଡକାଇଥିଲେ । ମଂଟୁ ଜମିର ମାଲିକାଣୀ ବଜୟନ୍ତୀଲତା ଜେନା ବୋଲି ଜନୈକା ମହିଳାଙ୍କୁ ଆଣି ତାଙ୍କର ଜମି ବୋଲି କହି ତାଙ୍କୁ ଅଗ୍ରୀମ ଟଙ୍କା ଦେବା ପାଇଁ କହିଥିଲେ । ପ୍ରଦୀପ୍ତ ୨ଲକ୍ଷ ଟଙ୍କା ନଗଦ ମଂଟୁଙ୍କ ଉପସ୍ଥିତିରେ ମହିଳାଙ୍କୁ ଦେଇ ଭିଡିଓ ରେକଡିଂ କରି ପ୍ରମାଣ ରଖିଥିଲେ । ପରେ ମଂଟୁ ସେଠାରୁ ଯିବା ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଲୋକମାନେ ମଂଟୁଙ୍କୁ ଅଟକାଇ ଥିଲେ । ମଂଟୁ ଗ୍ରାମର ୪୦/୫୦ଜଣଙ୍କ ଲୋକଙ୍କ ଉପସ୍ଥିତିରେ ସମସ୍ତ ଘଟଣାକୁ ମାନି ନକଲି ଲୋକ ଦେଇ ଜମି ପଞ୍ଜିକରଣ କରିଥିଲେ ବୋଲି କହିଥିଲେ । ଏହି ଜାଲିଆତିରେ ମଂଟୁ ଯେଉଁ ଅର୍ଥ ପ୍ରଦୀପ୍ତଙ୍କ ଠାରୁ ନେଇଥିଲେ ଜମି ଜାଲିଆତିର ମାଷ୍ଟର ମାଇଣ୍ଡ ପରଦା ପଛରେ ଥିବା କପାସି ଗ୍ରାମର ପୂର୍ବତନ ସରପଞ୍ଚ ଉକ୍ରଳ କେଶରୀ ଦାସଙ୍କ ପୁଅ କର୍ଣ୍ଣାଟ କେଶରଙ୍କୁ ପ୍ରଦାନ କରିଥିଲେ ବୋଲି ମାନିଥିଲେ । କର୍ଣ୍ଣାଟ ସେହି ଗ୍ରାମର ପୂର୍ବତନ ସରପଞ୍ଚଙ୍କ ପୁଅ ହୋଇଥିବାବେଳେ ସେ ପୂର୍ବରୁ କୁରୁଳି ଗ୍ରାମର ଆଦିକନ୍ଦ ସେଠୀଙ୍କ ଠାରୁ ଛେଳି ଲୋନ୍ କରାଇ ଦେବା ପାଇଁ ଜମିର ଅସଲି ପଟ୍ଟା ଓ ଆଧାର କାର୍ଡ଼ ଆଣିଥିଲେ । ଏହାଛଡ଼ା ବରୀ ଅଞ୍ଚଳର ଜୟନ୍ତଙ୍କ ଠାରୁ ମଧ୍ୟ ଲୋନ୍ କରାଇ ଦେବା ପାଇଁ ମଂଟୁଙ୍କ ସହ ଯାଇ ଅସଲି ପଟ୍ଟା ଓ ଆଧାରକାର୍ଡ଼ ଆଣିଥିଲେ । ଏହି ଆଧାରକାର୍ଡ଼ରେ କର୍ଣ୍ଣାଟ ଫଟୋ ପରିବର୍ତନ କରି ଅନ୍ୟ ୨ଜଣଙ୍କୁ ଜମି ମାଲିକ ଭାବେ ଠିଆ କରାଇ ଜମିକୁ ପଞ୍ଜିକରଣ କରିଥିଲେ ବୋଲି ମଂଟୁ ଓ କର୍ଣ୍ଣାଟ ସ୍ୱୀକାର କରିଥିଲେ । ପରେ କର୍ଣ୍ଣାଟ ସେଠାରୁ ଖସି ଯାଇଥିବା ବେଳେ ମଂଟୁକୁ କାବୁ କରି ଯାଜପୁର ଟାଉନ ଥାନାରେ ହାଜର କରାଇଥିଲେ । ପ୍ରଦୀପ୍ତ ଏସମ୍ପର୍କରେ ଯାଜପୁର ଥାନାରେ ଏକ ଲିଖିତ ଏତଲା ପ୍ରଦାନ କରିଥିଲେ । ଏତଲାକୁ ଭିତି କରି ପୁଲିସ ଏକ ମାମଲା ତା୨୫.୯.୨୪ରିଖରେ କେଶନଂ .୩୮୧/୨୪, ଦଫା ୩୧୯(୨)/୩୧୮(୪)/୩୩୬(୨)/୩୩୮/୩୪୦(୨)/୩୫୧(୨) ଓ ୩ (୫) ଭାତରୀୟ ନ୍ୟାୟ ସଂହିତା ରୁଜୁ କରି ଅଭିଯୁକ୍ତ ଦୀପକ ଓରଫ ମଂଟୁକୁ କୋର୍ଟ ଚାଲାଣ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ କର୍ଣ୍ଣାଟ ଫେରାର ହୋଇଯାଇଥିଲେ । ଜମି ଜାଲିଆତିରେ ଅନୂନ୍ୟ ୪/୫ଜଣ ସଂପୃକ୍ତ ଥିବା ବେଳେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କର୍ଣ୍ଣାଟ ଫେରାର ହୋଇ ହାଇକୋର୍ଟରୁ ଆଗୁଆ ଜାମିନ୍ ଆଣିଥିବା ବେଳେ ମାନ୍ୟବର ହାଇକୋର୍ଟ ଏସଡିଜେଏମ୍ଙ୍କ କୋର୍ଟରେ ଜାମିନ୍ ଆବେଦନ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ମାତ୍ର ସୋମବାରଏସଡିଜେଏମ କୋର୍ଟ ଜାମିନର ଶୁଣାଣି କରି ଜାମିନ୍କୁ ନାମଂଜୁର କରିଦେଇଛନ୍ତି । ଫଳରେ କର୍ଣ୍ଣାଟ କେଶରୀଙ୍କୁ ଯାଜପୁର ଜିଲା ଜେଲ୍କୁ ପଠାଇ ଦିଆଯାଇଛି ।