ବାଇକ୍ ରାଲିରେ ରାହୁଲଙ୍କୁ ଚୁମ୍ବନ ଦେଲେ ଯୁବକ
ପାଟନା: ବିହାର ଏସଆଇଆର ବିରୋଧରେ କଂଗ୍ରେସ ନେତା ରାହୁଲ ଗାନ୍ଧି ବିହାରରେ ଭୋଟର ଅଧିକାର ଯାତ୍ରା କରୁଛନ୍ତି । ତାଙ୍କ ସହିତ ଆରଜେଡିର ତେଜସ୍ୱୀ ଯାଦବ ମଧ୍ୟ ଇଣ୍ଡିଆ ମେଣ୍ଟର ସମସ୍ତ ନେତାଙ୍କ ସହିତ ଉପସ୍ଥିତ ଅଛନ୍ତି । ଆଜି ଯେତେବେଳେ ରାହୁଲ ପୁରନିଆରୁ ଆରାରିଆ ଅଭିମୁଖେ ବାଇକ ରାଲିରେ ବାହାରିଥିଲେ ପ୍ରବଳ ଭିଡ ଜମିଥିଲା । ଏହି ସମୟରେ ଜଣେ ଯୁବକ ସୁରକ୍ଷା ବଳୟ ଭାଙ୍ଗି ରାହୁଲଙ୍କ ପାଖରେ ପହଞ୍ଚି ତାଙ୍କୁ କୁଣ୍ଢେଇ ପକାଇ ତାଙ୍କ ବାମ କାନ୍ଧରେ ଚୁମ୍ବନ ଦେଇ ପଳାଇ ଯାଇଥିଲେ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, ରାହୁଲ ଏକ ବୁଲେଟ୍ ଚଲାଉଛନ୍ତି ଏବଂ ତାଙ୍କ ପଛରେ ବିହାର କଂଗ୍ରେସ ନେତା ବସିଛନ୍ତି । ତେଜସ୍ୱୀ ଯାଦବ ତାଙ୍କ ପାଖରେ ଆଉ ଏକ ବୁଲେଟ୍ ଚଲାଇ ଯାଉଛନ୍ତି । ରାହୁଲଙ୍କ ସୁରକ୍ଷାକର୍ମୀ ତାଙ୍କ ପାଖରେ ଅଛନ୍ତି । ଏହି ସମୟରେ ଜଣେ ଯୁବକ ସୁଯୋଗ ପାଇ ରାହୁଲଙ୍କ ପାଖକୁ ଯାଉଛନ୍ତି । ଯୁବକ ଜଣକ ରାହୁଲଙ୍କ ପାଖରେ ପହଞ୍ଚି ତାଙ୍କୁ ଧରି ପକାଉଛନ୍ତି । ରାହୁଲ ଅଟକି ଯାଉଛନ୍ତି । ଯୁବକ ଜଣକ ତାଙ୍କୁ କୁଣ୍ଢେଇ ପକାଇ ଚୁମ୍ବନ ଦେଉଛନ୍ତି । ସୁରକ୍ଷାକର୍ମୀମାନେ ସେଠାରେ ପହଞ୍ଚି ଯୁବକଙ୍କୁ ଟାଣି ନେଉ ଥିବାର ଭିଡିଓରେ ଦେଖିବାକୁ ମିଳୁଛି । ରବିବାର ଏହି ଯାତ୍ରା ଆରାରିଆରେ ପହଞ୍ଚିଛି । ସେଠାରୁ ରାହୁଲ ସନ୍ଧ୍ୟାରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ । ରବିବାର ରାହୁଲଙ୍କ ଏହି ଯାତ୍ରାର ଅଷ୍ଟମ ଦିନରେ ପହଞ୍ଚିଛି । ଏଥିରେ ତେଜସ୍ୱୀ ଯାଦବ, ମୁକେଶ ସାହାନୀ, ସିପିଆଇ(ଏମ୍ଏଲ୍) ନେତା ଦୀପଙ୍କର ଭଟ୍ଟାଚାର୍ଯ୍ୟ ଓ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ସାମିଲ ଥିଲେ । ଯାତ୍ରା ସମୟରେ ରାହୁଲ ଲୋକଙ୍କୁ ଭେଟୁଛନ୍ତି । କେତେବେଳେ ସେ ଢାବାରେ ଅଟକି ଯାଉଛନ୍ତି ତ ଅନ୍ୟ କେତେବେଳେ ସେ ଅଟକି ଲୋକଙ୍କ ସହ କଥା ହେଉଛନ୍ତି । ୧୬ ଦିନିଆ, ୧୩୦୦ କିଲୋମିଟର ବ୍ୟାପୀ ଭୋଟର ଅଧିକାର ଯାତ୍ରା ଅଗଷ୍ଟ ୧୭ ତାରିଖରେ ସାସାରାମରୁ ଆରମ୍ଭ ହୋଇଥିଲା ଓ ଏହାର ଲକ୍ଷ୍ୟ ବିହାରର ଭୋଟର ତାଲିକାରେ ଅଭିଯୋଗ ହୋଇଥିବା ଅନିୟମିତତା ବିଷୟରେ ଚିନ୍ତା ପ୍ରକାଶ କରିବା । ଏହି ଅଭିଯାନ ଆସନ୍ତା ୧ ତାରିଖରେ ପାଟନାରେ ଏକ ସାଧାରଣ ରାଲିରେ ଶେଷ ହେବା ପୂର୍ବରୁ ୨୦ ରୁ ଅଧିକ ଜିଲ୍ଲା ଅତିକ୍ରମ କରିବାର ଯୋଜନା ରହିଛି ।