ଉଚ୍ଚଶିକ୍ଷା ବିଭାଗର ମୁଖ୍ୟ ଶାସନ ସଚିବଙ୍କ ଜୟପୁର ଗସ୍ତ
ଜୟପୁର: ଓଡିଶା ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ମୁଖ୍ୟ ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ଜୟପୁର ଗସ୍ତରେ ଆସିଛନ୍ତି । ଜୟପୁର ବିମାନ ବନ୍ଦରରେ ସକାଳ ୯ ଘଟିକା ସମୟରେ ପହଁଞ୍ଚିବା ପରେ ଜୟପୁର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ଠାରେ ପହଞ୍ଚି ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି । ଉକ୍ତ ବୈଠକରେ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ନବ ନିଯୁକ୍ତି ପାଇଁ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ଅତି ଶୀଘ୍ର ନିଯୁକ୍ତି ଦିଆଯିବା ସହ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମିକୁ ମଧ୍ୟ ସୁଦୃଢ କରାଯିବ ବୋଲି ସଚିବ କହିଛନ୍ତି । ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରିବା ନିମନ୍ତେ ଚୁଡାନ୍ତ ପ୍ରକ୍ରିୟାରେ ଅତିଥି ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି କରାଯାଇଅଛି । ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଉପଲବ୍ଧ କରାଇ ଦିଆଯିବ ବୋଲି ସମିକ୍ଷା ବୈଠକରେ କହିଛନ୍ତକି ।ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ କୋରାପୁଟ ଜିଲ୍ଲାପାଳ ଭିକୀର୍ତ୍ତି ଭାସନ, ବିଶ୍ୱବିଦ୍ୟାଳୟ ଓଏସଡି ଦେବୀ ପ୍ରସାଦ ମିଶ୍ର, ରେଜିଷ୍ଟ୍ରାର ମହେଶ୍ୱର ଚନ୍ଦ୍ର ନାୟକ, ସ୍ନାତକୋତ୍ତର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପାତ୍ର, ପରୀକ୍ଷା ନିୟନ୍ତ୍ରକ ରଞ୍ଜନ କୁମାର ପ୍ରଧାନ, ପ୍ରଫେସର ମୋନରଞ୍ଜନ ପ୍ରଧାନଙ୍କ ସହ ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗୀୟ ମୁଖ୍ୟ ଉପସ୍ଥିତ ଥିଲେ ।