ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି
ବାଲେଶ୍ୱର : ରବିବାର ମଧ୍ୟାହ୍ନରେ ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଅଖିଳ ଭାରତ ଛାତ୍ରସଙ୍ଘ, ଉକôଳ ମହିଳା ସମିତି ପକ୍ଷରୁ ଇଣ୍ଟିଗ୍ରେଟେଡ଼୍ ବିଇଡି ଛାତ୍ରୀ ଆତ୍ମଦାହ ଘଟଣାକୁ ନିନ୍ଦା କରି ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଇସ୍ତଫା ଦାବି କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିସହ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ, ସାଂସଦ, ମନ୍ତ୍ରୀ ଓ ପୁଲିସଙ୍କୁ ପୀଡ଼ିତା ଛାତ୍ରୀ ତାଙ୍କ ଉପରେ ହୋଇଥିବା ଯୌନ ନିର୍ଯାତନା ସମ୍ବନ୍ଧରେ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଅଭ୍ୟନ୍ତରୀଣ କମିଟିର ତଦନ୍ତ ନାମରେ ଅଭିଯୋଗକୁ ଚପାଇ ଦେବାକୁ ଉଦ୍ୟମ ହେବାରୁ ଛାତ୍ରୀଜଣକ ଅସହାୟ ହୋଇ ଏପରି ଚରମ ପଦକ୍ଷେପ ନେଲେ ଏବଂ ଏବେ ସେ ମରଣ ସହ ସଂଗ୍ରାମ କରୁଛନ୍ତି । ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ସମ୍ପୃକ୍ତ ଦୋଷୀମାନଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ବିଧାନ ପାଇଁ ଛାତ୍ରସଂଘ ଦାବି କରିଛି । ଏହି କାର୍ଯ୍ୟକ୍ରମରେ ସ୍ମୃତିରେଖା ସେନାପତି, କାହ୍ନୁଚରଣ ପରିଡ଼ା, ମନୋରଞ୍ଜନ ରାଉତ, ମିର୍ଜା ତୋହିଦ ବେଗ, କାଞ୍ଚନ ପରିଡ଼ା, ନମିତା ବାରିକ, ମାନସୀ ନାୟକ, ସୁଲୋଚନା ପାତ୍ର, ବନ୍ଦନା ପାତ୍ର, ଯତୀନ ପାତ୍ର, ଆଶୁତୋଷ ପରିଡ଼ା, ତପନ ସିଟ୍, ଭାଗବତ ପ୍ରତିହାରୀ ପ୍ରମୁଖ ଉପସ୍ଥିତ ଥିଲେ ।