ବଢୁଛି ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ :୨୧ରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
ନୀଳଗିରି: କିଛି ଦିନ ଧରି ନୀଳଗିରି ଅଞ୍ଚଳରେ ଲଘୁ ଖଣିଜ ଦ୍ରବ୍ୟ ଚୋରାରେ ଚାଲୁଥିବାବେଳେ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ କ୍ଷତି ସହୁଛି ବୋଲି ନୀଳଗିରିର ପୂର୍ବତନ ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଏକ ପ୍ରେସ୍ ଇସ୍ତାହାରରେ ପ୍ରକାଶ କରିଛନ୍ତି । ନୀଳଗିରି ତହସିଲ ଅନ୍ତର୍ଗତ ଡେଙ୍ଗା ସାହି, ଭଉରିଆବାଡ, ମାଟିଆଳି ଆଦି ଅଞ୍ଚଳରେ ଚୋରା ମୋରମ ଚାଲୁ ରହିଛି । ସେହିପରି ନୀଳଗିରି ତହସିଲ ଅଧିନସ୍ଥ ବାଘମରାରେ ଦିନରାତି ଚୋରାରେ ପଥର ଚାଲାଣ କରାଯାଇଛି । ଅନୁରୂପ ଭାବେ ସୋନନଦୀରୁ ଦିନରାତି ବାଲି ଚୋରି ଚାଲିଛି । ଏମାନେ ଖୁଲମ ଖୋଲା ସରକାରୀ ନିୟମକୁ ଉଲ୍ଲଘଂନ କରୁଛନ୍ତି ବୋଲି ନୀଳଗିରିର ପୂର୍ବତନ ବିଧାୟକ ଶ୍ରୀ ନାୟକ ପ୍ରକାଶ କରିଛନ୍ତି । ସେହିପରି ମିରିଗିଣି ପ୍ରସ୍ତାବିତ ପଥର ଖାଦାନକୁ ବହୁଦେଶୀୟ କମ୍ପାନୀକୁ ନ ଦେବା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ତତ୍ସହିତ ଜିଲ୍ଲା ଖଣି ଅଧିକାରୀଣି ବାଲେଶ୍ୱର ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଡିଏଫଓ ବାଲେଶ୍ୱର, ତହସିଲଦାର ନୀଳଗିରି, ଏସଡିପିଓ ଓ ଆଇଆଇସି, ନୀଳଗିରିଙ୍କୁ ଚିଠି ଲେଖି ଜଣାଇଛନ୍ତି । ସାତ ଦିନ ମଧ୍ୟରେ ପ୍ରତିକାର ନ ହେଲେ ଆସନ୍ତା ୨୧ତାରିଖ ଦିବା ୧୦ଟା ସମୟରେ ନୀଳଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ।