ଉଦ୍ଧବଦାସ ପୀଠରେ ବଢୁଛି ଜବରଦଖଲ
ଚିଲିକାରୁ ଭବାନୀ ଶଙ୍କର ନାୟକ : ରାଜ୍ୟର ଅନ୍ୟତମ ବୃହତ୍ତମ ଜନବସତି ଇଲାକା ଟାଙ୍ଗୀ ପଞ୍ଚାୟତ ସମିତି ଅଧୀନସ୍ଥ ଚିଲିକା ବଟଦେଶରେ ଅବସ୍ଥିତ ରୁଷଣ୍ଡପୁରର ଉଦ୍ଧବଦାସ ପର୍ଯ୍ୟଟନ ପୀଠ ପ୍ରଦୂଷଣ ବଳୟରେ ରହିଛି । ଯାହାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ପରିଲକ୍ଷିତ ହୋଇଛି । ପ୍ରକାଶ ଯେ, ବହୁପୁରାତନ କାଳରୁ ଚିଲିକା ଉପକୂଳରେ ଏକ ପାହାଡ ଉପରେ ଏହି ଉଦ୍ଧବଦାସ ପୀଠ ନିର୍ମିତ ହୋଇଥିଲା । ଏହି ପାହାଡ ଉପରୁ ଚିଲିକାର ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ କରିବାର ସମସ୍ତ ସୁବିଧା ରହିଛି । ତେଣୁ ବହୁ ପର୍ଯ୍ୟଟକମାନେ ବିଭିନ୍ନ ସମୟରେ ଏହି ପୀଠକୁ ପରିଦର୍ଶନରେ ଆସିଥାନ୍ତି । ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଉଦ୍ଧବଦାସ ପୀଠକୁ ପର୍ଯ୍ୟଟନସ୍ଥଳର ମାନ୍ୟତା ପ୍ରଦାନ କରାଯାଇଛି । ଚିଲିକାର ନୀଳ ଜଳରାଶି ସହିତ ବିଦେଶାଗତ ପକ୍ଷୀଙ୍କ ଜଳକ୍ରୀଡା ଉପଭୋଗ କରିବା ସହିତ ଚିଲିକାର ଶହ ଶହ ଡଙ୍ଗାର ଯାତାୟାତକୁ ପର୍ଯ୍ୟଟକମାନେ ଏଠାରୁ ଉପଭୋଗ କରିଥାନ୍ତି । ହେଲେ ଦୁର୍ଭାଗ୍ୟର ବିଷୟ କିଛି ଲୋକ ଏହି ପାହାଡର ଚତୁଃପାର୍ଶ୍ୱକୁ ନିଜ ଦଖଲକୁ ନେଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି । ଏଠାରେ ମଇଁଷିଙ୍କ ନିମନ୍ତେ ଗୁହାଳ ନିର୍ମିତ ହୋଇଥିବା ଯୋଗୁଁ ପରିବେଶ କ୍ରମଶଃ ପ୍ରଦୂଷିତ ହେଉଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ ପର୍ଯ୍ୟଟକଙ୍କ ମହଲରେ ଅସନ୍ତୋଷ ଦେଖାଦେଉଛି । ପୀଠଟି ଦିନକୁ ଦିନ ଆବର୍ଜନାମୟ ହୋଇଥିବାବେଳେ ତାହାକୁ ସଫା କରାଯିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଇନଥିବା ଜଣାପଡ଼ିଛି । ସେହିପରି ଏହି ପୀଠର ଚତୁଃପାର୍ଶ୍ୱରେ କରାଯାଇଥିବା ବେଆଇନ ନିର୍ମାଣ କାର୍ଯ୍ୟକୁ ଉଚ୍ଛେଦ କରିବା ପାଇଁ ଅଞ୍ଚଳର ପରିବେଶବିତ୍, ବୁଦ୍ଧିଜୀବୀ ଓ ସମାଜସେବୀଙ୍କ ପକ୍ଷରୁ ଦାବି ହେଉଛି । ଟାଙ୍ଗୀ ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅକାରୀ ତୁରନ୍ତ ହସ୍ତକ୍ଷେପ କରି ଏହାର ଉଚ୍ଛେଦ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସମାଜସେବା ସଂଗ୍ରାମ ପଟ୍ଟନାୟକ ଦାବି କରିଛନ୍ତି ।