ମନ୍ଥର ଗତିରେ ଚାଲିଛି ସେତୁ ନିର୍ମାଣ
setu
ଭୁବନେଶ୍ୱର: ମନ୍ଥର ଗତିରେ ଚାଲିଛି ଜାତୀୟ ରାଜପଥ ସେତୁ ନିର୍ମାଣ କାର୍ଯ୍ୟ । ପ୍ରକାଶ ଯେ, ମାଲକାନଗିରି ଜିଲ୍ଲା ଜାତୀୟ ରାଜପଥ ଉପବିଭାଜନ ଦ୍ୱାରା ୯ ଗୋଟି ସେତୁ ନିର୍ମାଣ ଚାଲିଥିବା ବେଳେ ବର୍ଷା ଋତୁ ଯୋଗୁଁ କାର୍ଯ୍ୟ ସ୍ଥଗିତ ଥିଲା । ବର୍ତ୍ତମାନ ବର୍ଷା ଋତୁ ସମସ୍ତ ହୋଇ ଶୀତ ଋତୁ ଆରମ୍ଭ ହୋଇଥିଲେ ମଧ୍ୟ ସେତୁ କାର୍ଯ୍ୟ ଆରମ୍ଭ ହୋଇନଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁସାରେ, ବିଳାସପୁର ବ୍ରିଜେଶ ଅଗ୍ରୱାଲ କମ୍ପାନୀ ୫ ଗୋଟି ସେତୁ ନିର୍ମାଣ ଲାଗି ୭୯ କୋଟି ଟଙ୍କାର ଟେଣ୍ଡର ନେଇଥିବା ବେଳେ ୨.୭.୨୦୨୨ ତାରିଖ ଠାରୁ କାର୍ଯ୍ୟ ଆରମ୍ଭ କରି ୩୦.୬.୨୦୨୪ ରେପାଙ୍ଗାମ, ପଟେରୁ, କାଙ୍ଗୁରକୋଣ୍ଡା, ଏମ୍ ଭି -୯୦ ଏବଂ ଏମ୍ ଭି-୯୬ କାର୍ଯ୍ୟ ସମାପ୍ତ ଲାଗି ଚୁକ୍ତିନାମା ସ୍ୱାକ୍ଷର କରିଥିଲା । ବର୍ତ୍ତମାନ ଏହି ନିର୍ମାଣ କାର୍ଯ୍ୟର ସମୟ ସୀମା ଅତିକ୍ରମ କରିଥିଲେ ସୁଦ୍ଧା ମାତ୍ର ୨୫ ପ୍ରତିଶତ କାର୍ଯ୍ୟ ସମ୍ପନ୍ନ ହୋଇ ୭୫ ପ୍ରତିଶତ କାର୍ଯ୍ୟ ବାକି ରହିଛି । ପାଙ୍ଗାମ ସେତୁ ପାଇଁ ଫାଉଣ୍ଡେସନ ଓ ୪ଟି ପିଲର୍ ନିର୍ମାଣ ହୋଇଛି । ପଟେରୁ ସେତୁ ପାଇଁ ୮ ଟି ପିଲର ଆବଶ୍ୟକ ଥିବା ବେଳେ ମାତ୍ର ୨ଟି ପିଲର୍ ନିର୍ମାଣ ହୋଇଛି । ସେହିପରି କାଙ୍ଗୁରକୋଣ୍ଡା, ଏମ୍ ଭି-୯୦ ଓ ଏମ୍ ଭି -୯୬ ଫାଉଣ୍ଡେସନ ଏବଂ ପିଲର୍ ନିର୍ମାଣ ସମାପ୍ତ ହୋଇଥିଲେ ମଧ୍ୟ ଉପର କଂକ୍ରିଟ ଛାତ ବାକି ରହୁଛି । ସେହିପରି ଶିବଶକ୍ତି ଇଂଜିନିୟରିଂ ୱାର୍କ ବିଜାପୁର ୪ ଟି ସେତୁ ନିର୍ମାଣ ଲାଗି ୩୭ କୋଟି ଟଙ୍କାର ଟେଣ୍ଡର ନେଇଥିବା ବେଳେ ୨୦.୫.୨୦୨୩ ରୁ କାର୍ଯ୍ୟ ଆରମ୍ଭ କରି ୧୮.୫.୨୦୨୫ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ଚୁକ୍ତିପତ୍ର ସ୍ୱାକ୍ଷର କରିଛି । ଅଁଳା ଯୋଡି, ଏମ୍ ଭି-୭, ଏମ୍ ଭି -୧୯ ଏବଂ ମହାରାଜା ପଲ୍ଲୀ ଠାରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଏମ୍ ଭି-୭ ଏବଂ ଏମ୍ ଭି -୧୯ ଠାରେ ଫାଉଣ୍ଡେସନ ଓ ପିଲର୍ କାର୍ଯ୍ୟ ଶେଷ ହୋଇଛିା କିନ୍ତୁ ଅନ୍ୟ ସେତୁ କାର୍ଯ୍ୟ ଆରମ୍ଭ ହୋଇ ନାହିଁ । ଅଁଳା ଯୋଡି ଏବଂ ମହାରାଜାପଲ୍ଲୀ ସେତୁ ନିର୍ମାଣ ଲାଗି ବୃକ୍ଷ ଛେଦନ ଲାଗି ବନ ବିଭାଗ ଅନୁମତି ପ୍ରଦାନ କରିନଥିବା ଜଣାପଡ଼ିଛି । ଏଠାରେ ୨୫ ପ୍ରତିଶତ କାର୍ଯ୍ୟ ସମ୍ପନ୍ନ ହୋଇ ଥିବା ବେଳେ ୭୫ ପ୍ରତିଶତ କାର୍ଯ୍ୟ ବାକି ରହିଛି । ସେତୁ ନିର୍ମାଣ ଲାଗି ବେସରକାରୀ ଜମି ଯଥାକ୍ରମେ ୧୭.୧୨୪ ହେକ୍ଟର ଏବଂ ୬.୨ହେକ୍ଟର ଆବଶ୍ୟକ ହେଉଥିବାରୁ ସରକାର ୧୯.୭୨ କୋଟି ଏବଂ ୧୨.୬୨ କୋଟି ଜମି କ୍ଷତିଗ୍ରସ୍ତଙ୍କୁ ପ୍ରଦାନ କରାଯାଇଛି । ସେହିପରି ୬୮୮ ଗୋଟି ବୃକ୍ଷ ଛେଦନ କରାଯାଇ ଓଡ଼ିଶା ଫରେଷ୍ଟ କର୍ପୋରେସନଙ୍କୁ ବୃକ୍ଷ ରୋପଣ ପାଇଁ ଆର୍ଥôକ ସହାୟତା ଯୋଗାଇ ଦିଆଯାଇଛି । ତଥାପି ଏହି ସମସ୍ତ ସେତୁ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳିନ ଭିତିରେ ନ ହେବା ଯୋଗୁଁ ବର୍ଷା ଋତୁରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।