ଲୋକଲୋଚନ ଆଢୁଆଳରେ ରଞ୍ଜାଗୋଳ ମଠ


ଢେଙ୍କାନାଳରୁ ଲକ୍ଷ୍ମୀନାରାୟଣ ତ୍ରିପାଠୀ :  ଅସଂଖ୍ୟ ମଠ, ମନ୍ଦିର ଓ ଉପାସନା ପୀଠମାନଙ୍କୁ ନେଇ ସମୃଦ୍ଧ ଆମର ସଂସ୍କୃତି । ଆମ ରାଜ୍ୟର କୋଣ ଅନୁକୋଣରେ ଏମିତି ଅନେକ ମଠ ଓ ମନ୍ଦିର ରହିଛି, ଯେଉଁ ଗୁଡିକ ପ୍ରଚାର ପ୍ରସାର ଅଭାବରୁ ଲୋକଲୋଚନର ଅନ୍ତରାଳରେ ରହି ଆସିଛି । ଅଥଚ ସେଗୁଡିକ ଯେ ଆମ ସାଂସ୍କୃତିକ ଜୀବନଧାରାକୁ ଏଯାବତ୍ ପ୍ରଭାବିତ କରି ଆସୁଛି, ଏଥିରେ ସନେ୍ଦହ କରିବାର ଅବକାଶ ନାହିଁ । ସେମିତି ଏକ ଅନନ୍ୟ ମଠ ହେଉଛି ଢେଙ୍କାନାଳ ଜିଲ୍ଲା ହିନେ୍ଦାଳ ଉପଖଣ୍ଡର ବାଲିମି ଥାନା ଅନ୍ତର୍ଗତ ରଞ୍ଜାଗୋଳ ଗ୍ରାମରେ ଅବସ୍ଥିତ ଧୂନିଘର ମଠ । ଏହା ରଞ୍ଜାଗୋଳ ମଠ ଭାବରେ ପରିତିତ । ମନୋରମ ପରିବେଶରେ ଅବସ୍ଥିତ ଏହି ମଠର ଏକ ପାଶ୍ୱର୍ରେ ୮ ଏକର ପରିମିତ ପୁଷ୍କରିଣୀ ଓ ଅନ୍ୟ ପାଶ୍ୱର୍ରେ ଘଞ୍ଚ ଜଙ୍ଗଲର ପରିବେଶ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅଧିକ ସୁନ୍ଦର କରୁଛି । ମଠ ସମ୍ପର୍କରେ ରହିଛି ଅନେକ ରୋଚକ ତଥ୍ୟ ଓ କିମ୍ବଦନ୍ତୀ । ଏହାର ସଠିକ ଲିଖିତ ଇତିହାସ ନ ଥିଲେ ମଧ୍ୟ ଏହି ମଠଟି ଆନୁମାନିକ ତିନିଶହ ବର୍ଷର ପ୍ରାଚୀନ କୀର୍ତ୍ତି । ଏହାର ସ୍ଥାପୟିତା ହେଉଛନ୍ତି ବ୍ରହ୍ମ ଉପାସକ ବାଙ୍କଟ ବିହାରୀ ଦାସ ନାମକ ଜଣେ ସିଦ୍ଧ ସାଧକ ।  ଏଠାରେ ଏକ ଅଖଣ୍ଡ ଧୂନି ସ୍ଥାପନ କରି ବାଙ୍କଟ ବିହାରୀ ଯୋଗ ସାଧନା ବଳରେ ଅଲୌକିକ ଶକ୍ତି ପ୍ରାପ୍ତ ହୋଇଥିବା କଥା ଅଂଚଳବାସୀଙ୍କ ଠାରୁ ଶୁଣିବାକୁ ମିଳେ । ତତ୍କାଳୀନ ସମୟରେ ବାବାଙ୍କ ମହିମାରେ ଆକୃଷ୍ଟ ହୋଇ ହିନେ୍ଦାଳ ଗଡଜାତର ରାଜାଙ୍କ ପୁତ୍ରଲାଭ ପରେ ମଠ ପାଇଁ ଅନେକ ଭୂସମ୍ପତି ଖଞ୍ଜା କରି ଦେଇଥିଲେ ତତ୍କାଳୀନ ହିନେ୍ଦାଳ ଗଡର ରାଜା । ଏହି ମଠ ପରିସରରେ ଧୂନି ମନ୍ଦିର, ଭିନ୍ନ ଭିନ୍ନ ଆକୃତିର ତେରଖମ୍ବ ବିଶିଷ୍ଟ ମୁକ୍ତି ମଣ୍ଡପ,ଏକ ମନୋରମ ପାବଚ୍ଛ କୂପ ବା ବାମ୍ଫି, ଅଷ୍ଟଶମ୍ଭୁ ଓ ବ୍ରହ୍ମା ମନ୍ଦିର, ଜଗନ୍ନାଥ ମନ୍ଦିର, ମଠ ମହନ୍ତଙ୍କ ଆବାସ ଓ ଧ୍ୟାନଗୃହ ରହିଛି । ଏହାରି ମଧ୍ୟରେ ମଠର ସ୍ଥାପୟିତା ବାବା ବାଙ୍କଟ ବିହାରୀ ଜୀବନ୍ତ ସମାଧି ନେଇଥିଲେ ଓ ସେହି ସମାଧି ଗୃହଟି ପଥର କାନ୍ଥ ଦ୍ୱାରା ଚତୁଃପାର୍ଶ୍ୱରୁ ବନ୍ଦ ହୋଇ ଏବେ ବି ମଠର କୀର୍ତ୍ତିରାଜି ଭାବେ ରହିଛି । ଏତଦ୍ବ୍ୟତୀତ ଧୂନିଘର ମଧ୍ୟରେ ବାବା ବାଙ୍କଟ ବିହାରୀଙ୍କ ବ୍ୟବହୃତ କଠଉ, କୌପୀନ, ଗଡୁ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ପୂଜା ପାଇ ଆସୁଛି । ପ୍ରତିବର୍ଷ ରଜ ସଂକ୍ରାନ୍ତି ଦିନ ବ୍ରାହ୍ମ ମୁହୂର୍ତ୍ତରେ ଧୂନିଘରୁ ଏଗୁଡିକୁ ବାହାର କରି ବିଶୁଦ୍ଧ ଜଳରେ ଶୋଧନ କରି ପୁଣି ଯଥାସ୍ଥାନରେ ସେଗୁଡିକୁ ରଖି ଦିଆଯାଇଥାଏ । ଏହା ଏକ ବୈଷ୍ଣବ ମଠ ହୋଇଥିଲେ ମଧ୍ୟ ମଠର କୌଣସି ମନ୍ଦିରରେ ପତାକା ବନ୍ଧା ନ ଯିବା ଏହାର ଏକ ସ୍ୱତନ୍ତ୍ରତା ।  ଏଠାରେ ଥିବା ଅଖଣ୍ଡ ଧୂନିରୁ ବାହାରୁଥିବା ବିଭୁତି ଧାରଣକଲେ ଯାତ୍ରା ସଫଳ ହେବା ସହିତ ଶରୀରରୁ ସମସ୍ତ ରୋଗ ଦୂରହୁଏ ବୋଲି  ସ୍ଥାନୀୟ ଅଞ୍ଚଳବାସୀଙ୍କ ବିଶ୍ୱାସ ।  ରଜ ଚାରିଦିନ ଏଠାରେ ଏକ ବିରାଟ ମେଳା ଅନୁଷ୍ଠିତ ହୁଏ । ଏହା ଆମ୍ବ ପଣସ ଯାତ୍ରା ଭାବରେ ଖ୍ୟାତ । ଏକ ପ୍ରାଚୀନ ଐତିହ୍ୟସମ୍ପନ୍ନ କୀର୍ତ୍ତି ହୋଇଥିଲେ ବି ଏହା ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଆଜି ପର୍ଯ୍ୟନ୍ତ ପାଇପାରି ନାହିଁ । ଅଥଚ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବା ପାଇଁ ଏହି ପୀଠଟିର ସମସ୍ତ ଯୋଗ୍ୟତା ରହିଛି । ଯଦିଓ ଏହା ଦେବୋତ୍ତର ଅଧିନରେ ରହିଛି, ତେବେ ବିଭାଗ ପକ୍ଷରୁ ବା ସରକାରଙ୍କ ପକ୍ଷରୁ କେବେ କୌଣସି ସାହାଯ୍ୟ ସହଯୋଗ ମିଳୁନଥିବା ଜଣାଯାଏ । ସ୍ଥାନୀୟ ଅଞ୍ଚଳବାସୀଙ୍କ ସଗଯୋଗ ତଥା ଟ୍ରଷ୍ଟି ପକ୍ଷରୁ ଯତ୍କିଂଚିତ ସାହାଯ୍ୟରେ ମଠ ଦାୟିତ୍ୱରେ ଥିବା ମହନ୍ତ ୨ଜଣ ଜୀବିକା ନିର୍ବାହ କରୁଛନ୍ତି । ତେଣୁ ଏହାକୁ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ସହ ସ୍ଥାନୀୟ ମଠର ବିକାଶ ଦିଗରେ ପ୍ରଶାସନ ତଥା ସରକାର ବିଚାର କରିବା ଆବଶ୍ୟକ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ଆଲୋଚନା ପ୍ରସଙ୍ଗରେ ନିଜର ମତ ଉପସ୍ଥାପନ କରଥିଲେ । ଢେଙ୍କାନାଳ ଐତିହ୍ୟ ପଦଯାତ୍ରାର ଆବାହକ ସୁରେଶ ପ୍ରସାଦ ମିଶ୍ରଙ୍କ ଆବାହକତ୍ୱରେ ୪୫ଜଣ ଐତିହ୍ୟ ପଦଯାତ୍ରୀ ଧୂନିଘର ମଠରେ ପହଞ୍ଚôବା ପରେ ସେଠାରେ ମଠର ମହନ୍ତ ମାଧବାନନ୍ଦ ଦାସ, ସ୍ଥାନୀୟ ସରପଞ୍ଚ ରମେଶ ଚନ୍ଦ୍ର ବିଶ୍ୱାଳ, ଟ୍ରଷ୍ଟବୋର୍ଡର ସଭାପତି ବାସୁଦେବ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଗଣ ପଦଯାତ୍ରୀ ମାନଙ୍କୁ ଅଭ୍ୟର୍ଥନା ଜଣାଇଥିଲେ । ଆଜିର ପଦଯାତ୍ରାରେ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ପ୍ରସନ୍ନ କୁମାର ପଟ୍ଟନାୟକ, ଶିକ୍ଷାବିତ ବିପିନ ବିହାରୀ ପାଣି, ଅବସରପ୍ରାପ୍ତ ପ୍ରାଧ୍ୟାପକ ରମେଶ ଚନ୍ଦ୍ର ସାହୁ, ସ୍ଥାନୀୟ ଖଜୁରିଆକଟା ମହାବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ବିମଳ ପ୍ରଧାନ, କବି ଅକ୍ଷୟ ପାତ୍ର, ନାରାୟଣ ପଟ୍ଟନାୟକ, ପ୍ରଶାନ୍ତ ତ୍ରିପାଠୀ, ଲକ୍ଷ୍ମୀ ନାରାୟଣ ତ୍ରିପାଠୀ, ସ୍ୱର୍ଣ୍ଣପ୍ରଭା ସେଠୀ, ସୁନୀତା ମହାପାତ୍ର, ବିକାଶ ପ୍ରଧାନ, ରମେଶ ଚନ୍ଦ୍ର ପତି, ମେଘା ମୌସୁମୀ ସାହୁ, ଆଦିତ୍ୟ ମିଶ୍ର, ଆଦର୍ଶ ପଟ୍ଟନାୟକ, ଆୟୁଷ ମହାନ୍ତି, ଦିବ୍ୟରଞ୍ଜନ ସାହୁ, ସୁଜିତ ଦେବତା, ବିଶ୍ୱଜିତ ଶତପଥୀ, ଜ୍ଞାନରଂଜନ ପ୍ରଧାନ, ବଦ୍ରିନାଥ ଜେନା ଓ ଢେଙ୍କାନାଳ ମହାବିଦ୍ୟାଳୟର ଅନେକ ଛାତ୍ର ଯୋଗ ଦେଇଥିଲେ । ପଦଯାତ୍ରା ଶେଷରେ ମଠର ମହନ୍ତ, ସରପଞ୍ଚ, ମଠ ପରିଚାଳନା କମିଟିକୁ ଐତିହ୍ୟ ପଦଯାତ୍ରା ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।