ରାଜ୍ୟରେ ମେଡିକାଲ ଶିକ୍ଷା ଓ ତାଲିମ ନିମନ୍ତେ ନୂଆ ନିଯୁକ୍ତି

 ଭୁବନେଶ୍ୱର  :  ଓଡ଼ିଶାରେ ମେଡିକାଲ ଶିକ୍ଷା ଓ ତାଲିମ ବିକାଶ ନିମନ୍ତେ ରାଜ୍ୟ ସରକାର ଲଗାତର ପ୍ରଚେଷ୍ଟା ଫଳରେ ଚଳିତ ବର୍ଷ ଫୁଲବାଣୀଠାରେ ସରକାରୀ ମେଡିକାଲ କଲେଜ ଓ ହସପିଟାଲ ଏବଂ ତାଳଚେରଠାରେ ପବିତ୍ର ମୋହନ ମେଡିକାଲ କଲେଜ୍ ଏବଂ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି  । ଏହା ସହିତ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରୁଥିବା ସରକାରୀ ମେଡିକାଲ କଲେଜ ଏବଂ ହସପିଟାଲ ସଂଖ୍ୟା ୧୨ ରୁ ୧୪ କୁ ବୃଦ୍ଧି ପାଇଛି  । ୨୦୨୪ ମସିହାରେ ଯାଜପୁର ଠାରେ ମହାରାଜା ଯଯାତୀ କେଶରୀ ମେଡିକାଲ କଲେଜ ଓ ହସପିଟାଲ କାର୍ଯ୍ୟକ୍ଷମ କରାଯାଇଥିଲା । ଏହାଛଡା ରାଜ୍ୟରେ କାର୍ଯ୍ୟ କରୁଥିବା ୨ ଟି ସ୍ନାତକୋତ୍ତର ମେଡିକାଲ ପ୍ରତିଷ୍ଠାନ ଯଥା ପି.ଜି.ଆଇ.ଏମ୍.ଇ.ଆର ଭୁବନେଶ୍ୱର ଏବଂ ଏ.ଏଚ.ପି.ଜି.ଆଇ.ସି, କଟକରେ ମଧ୍ୟ ନୂଆ ପ୍ରଫେସର ନିଯୁକ୍ତି ଦିଆଯାଇଛି । 
ଇତି ମଧ୍ୟରେ ସରକାର ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ମେଡିକାଲମାନଙ୍କରେ ୯୧  ଜଣ ଆସୋସିଏଟ ପ୍ରଫେସର (୨୩ ଟି ବିଶେଷଜ୍ଞ ବିଭାଗରେ) ଏବଂ ୭ ଜଣ ଆସୋସିଏଟ ପ୍ରଫେସର (୬ ଟି ସୁପରସ୍ପେସାଲିଟି ବିଭାଗରେ) ଙ୍କୁ ନିଯୁକ୍ତି ଦେଇଛନ୍ତି । ଏସସିବି ମେଡିକାଲ କଲେଜରେ ୧୫ ଜଣ ସ୍ପେସିଆଲିଷ୍ଟ୍ ଓ ୪ ଜଣ ସୁପର ସ୍ପେସିଆଲିଷ୍ଟ୍, ଏମ.କେ.ସି.ଜି ବ୍ରହ୍ମପୁରରେ ୧୯ ଜଣ ସ୍ପେସିଆଲିଷ୍ଟ୍ ଓ ୩ ଜଣ ସୁପର ସ୍ପେସିଆଲିଷ୍ଟ୍, ପି.ଆର.ଏମ ମେଡିକାଲ କଲେଜ୍ ବାରିପଦାରେ ୬ ଜଣ, ଏସ.ଏଲ୍.ଏନ୍ ମେଡିକାଲ କଲେଜ୍ କୋରାପୁଟରେ ୧୦ ଜଣ, ଏଫ୍.ଏମ୍ ମେଡିକାଲ କଲେଜ ବାଲେଶ୍ୱରରେ ୬ ଜଣ, ବି.ବି ମେଡିକାଲ କଲେଜ ବଲାଙ୍ଗୀରରେ ଜଣେ, ଶ୍ରୀ ଜଗନ୍ନାଥ ମେଡ଼ିକାଲ କଲେଜ ପୁରୀରେ ୨ ଜଣ, ସରକାରୀ ମେଡିକାଲ କଲେଜ ସୁନ୍ଦରଗଡ଼ରେ ୬ ଜଣ, ଡି.ଡି ମେଡିକାଲ କଲେଜ୍ କେନ୍ଦୁଝରରେ ୫ ଜଣ, ଏସ୍.ଆର.ଏମ ମେଡିକାଲ କଲେଜ୍ ଭବାନୀପାଟଣାରେ ୭ ଜଣ, ଏମ୍.ଜି.କେ ମେଡିକାଲ କଲେଜ୍ ଯାଜପୁରରେ ୨ ଜଣ, ପି.ଏମ.ପି ମେଡିକାଲ କଲେଜ୍ ତାଳଚେରରେ ୮ ଜଣ, ସରକାରୀ ମେଡିକାଲ କଲେଜ ଫୁଲବାଣୀରେ ୫ ଜଣ, ପି.ଜି.ଆଇ.ଏମ୍.ଇ .ଆର କ୍ୟାପିଟାଲ ହସ୍ପିଟାଲରେ ୮ ଜଣ ଆସୋସିଏଟ୍ ପ୍ରଫେସରଙ୍କୁ ନୂଆ ନିଯୁକ୍ତି ଦିଆଯାଇଛି । ଏହାଛଡା ବିଭିନ୍ନ ମେଡିକାଲ କଲେଜରେ ୩୮ ଟି ପ୍ରଫେସର୍ ଏବଂ ୨୭ ଟି ଆସୋସିଏଟ ପ୍ରଫେସର୍ ପଦବୀକୁ ବିଭାଗୀୟ ପଦୋନ୍ନତି ମାଧ୍ୟମରେ ପୂରଣ କରାଯାଇଛି । କଟକ ସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କ୍ୟାନସର ପ୍ରତିଷ୍ଠାନରେ ନୂଆ ୧୦ ଜଣ ସୁପର ସ୍ପେସିଆଲିଷ୍ଟ ଆସୋସିଏଟ୍ ପ୍ରଫେସର୍ ନିଯୁକ୍ତି କରାଯାଇଛି ।  ଏହି ପ୍ରତିଷ୍ଠାନରେ ଗୋଟିଏ ପ୍ରଫେସର୍ ଓ ୨ ଟି ଆସୋସିଏଟ୍ ପ୍ରଫେସର୍ ପଦବୀକୁ ପଦୋନ୍ନତି ମାଧ୍ୟମରେ ପୂରଣ କରାଯାଇଛି ।