ଋଣ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ
ଛତ୍ରପୁର: ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃର ବିଜିପୁର ଶାଖାରେ ମିଥ୍ୟା ନଥିପତ୍ର ପ୍ରସ୍ତୁତ କରି ୧ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ ପରେ ପୁଣି ଛତ୍ରପୁର ଶାଖା ରେ ୭୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ନେଇ ଛତ୍ରପୁର ଥାନାରେ ମାମଲା ରୁଜୁ । ବ୍ରହ୍ମପୁର ପରେ ଏଭଳି ଘଟଣା ପଦାକୁ ଆସିଥିବା ବେଳେ ଛତ୍ରପୁର ଶାଖାରେ ପ୍ରାୟ ୭୫ ଲକ୍ଷ ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଛତ୍ରପୁର ଥାନାରେ ବର୍ତ୍ତମାନର ଶାଖା ପରିଚାଳକ ସୌରଭ କୁମାର ଦଳବେହେରା ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ଛତ୍ରପୁର ଥାନା ପୋଲିସ ୧୦୭/୨୫ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ବ୍ରହ୍ମପୁର ବିଜିପୁର ଶାଖାରେ ଏଭଳି ଅଭିଯୋଗ ପରେ ତଦନ୍ତ କରାଯାଇ ଅଭିଯୁକ୍ତ ଦେବାଶିଷ ପଟ୍ଟନାୟକଙ୍କୁ ଗିରଫ କରାଯାଇଥିଲା । ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ହୋଇଥିବା ଅଡିଟ୍ ବେଳେ ଏହା ସାମ୍ନାକୁ ଆସିଥିଲା ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୂର୍ବତନ ଶାଖା ପରିଚାଳକ ଓ ସୁପରଭାଇଜରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଏହାସହ ଏହି ଘଟଣାରେ ପୋଲିସ ଅଧିକ ଖୋଳତାଡ ଆରମ୍ଭ କରିଥିଲା । ବର୍ତ୍ତମାନ ଛତ୍ରପୁର ଶାଖାରେ ଏଭଳି ଠକେଇ ହୋଇଥିବା ଅଭିଯୋଗ ପରେ ଛତ୍ରପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଦେବାଶିଷ ପଟ୍ଟନାୟକ ପ୍ରଥମେ ବିଜିପୁର ଶାଖାରେ ରହିଥିବା ବେଳେ ଅର୍ଥ ହେରଫେର କରିଥିଲେ ପୁଣି ଛତ୍ରପୁର ବଦଳି ହୋଇଥିଲେ । ବିଭିନ୍ନ ମହିଳା ମାନଙ୍କ ଠାରୁ ଦୋକାନୀ ଏବଂ ଅନ୍ୟାନ୍ୟ ଋଣ ଦେବା ନାମରେ ଘୋଟଲା କରୁଥିଲେ ।