ଏ-୧ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
କେନ୍ଦୁଝର : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, କେନ୍ଦୁଝରଗଡ ପକ୍ଷରୁ ବିଦ୍ୟାଳୟର ଗୌରବ ବଢାଇଥିବା ୯ ଜଣ ଏ-୧ ଛାତ୍ରଛାତ୍ରୀଙ୍କୁ ପରିଚାଳନା ସମିତି ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶିକ୍ଷାବର୍ଷ ୨୦୨୪-୨୫ରେ ବିଦ୍ୟାଳୟରୁ ମୋଟ ୧୬୨ ଜଣ ଛାତ୍ରଛାତ୍ରୀ ହାଇସ୍କୁଲ ପରୀକ୍ଷା ଦେଇ ସମସ୍ତେ ପାସ୍ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ସେଥିମଧ୍ୟରୁ ଏ-୧ ଗ୍ରେଡରେ ୯ ଜଣ, ଏ-୨ ଗ୍ରେଡରେ ୨୭ ଜଣ, ବି-୧ ଗ୍ରେଡରେ ୩୮ ଜଣ, ବି-୨ ଗ୍ରେଡରେ ୫୨ ଜଣ, ସି ଗ୍ରେଡରେ ୨୭ ଜଣ, ଡି ଗ୍ରେଡରେ ୭ ଜଣ ଓ ଇ ଗ୍ରେଡରେ ୨ ଜଣ ଉତ୍ତିର୍ଣ୍ଣ ହୋଇଛନ୍ତି । ଆୟୋଜିତ ଏକ ସଭାରେ ବିଦ୍ୟାଳୟ ପରିଚାଳନା ସମିତିର ସଂପାଦକ ସୁଧାଂଶୁ ଶେଖର ପଣ୍ଡା, ଯୁଗ୍ମ-ସଂପାଦକ ଦୀପକ କୁମାର ମହାକୁଳ, କୋଷାଧ୍ୟକ୍ଷ ବିଜୟ କୁମାର ଦୀକ୍ଷିତ୍ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ଉଚ୍ଚ ଶିକ୍ଷିତ ହୋଇ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ନିଜ ନିଜ ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଅଲେଖ ମହାନ୍ତ ଅତିଥିଙ୍କ ପରିଚୟ ପ୍ରଦାନ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏ-୧ ଶ୍ରେଣୀରେ ଉତ୍ତିର୍ଣ୍ଣ ହୋଇଥିବା ଶୁଚିସ୍ମିତା ମହାନ୍ତ, ଦେବସ୍ମିତା ସାହୁ, ଅଭିଲିପ୍ସା ବାରିକ୍, ମୌସୁମୀ ମଧୁସ୍ମିତା ଜେନା, ସାଇପ୍ରିତମ୍ ରଣା, ମମୀ ନାଏକ, ଶଶୀରେଖା ଜେନା, ଆୟୁଷ୍ମାନ ଜେନା ଓ ଶିଖାରାଣୀ ଜେନା ଅତିଥିଙ୍କ ଦ୍ୱାରା ପୁଷ୍ପଗୁଚ୍ଛ ସହିତ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାମନ୍ଦିର ବିଭାଗର ପର୍ଯ୍ୟାୟ ପ୍ରମୁଖ ଦେବାଶିଷ ସାମଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।