ଏକାଠି ଜଳିଲା ଜେଜେମା ଓ ନାତିର ଜୁଇ

ଏକାଠି ଜଳିଲା ଜେଜେମା ଓ ନାତିର ଜୁଇ

ବଲାଙ୍ଗିର : ଏକାଠି ଜଳିଲା ଜେଜେମା ଓ ନାତିର ଜୁଇ । ମୃତ୍ୟୁ କେତେବେଳେ କେମିତି ଆସେ ତାହା କହିବା ଅସମ୍ଭବ । ନାତିଙ୍କର ଅକାଳ ମୃତ୍ୟୁ ଖବର ଶୁଣିବା ପରେ ଚାଲିଯାଇଛିି ଜେଜେମାଙ୍କ ଜୀବନ । ବଲାଙ୍ଗିର  ଆରଆର କଲୋନୀରେ ଘଟିଛି ଅଭାବନୀୟ ଘଟଣା । କଲୋନୀରେ ରହୁଥିବା ସୁଧୀର ଖୁଆସଙ୍କ ପରିବାରରେ ଖେଳିଯାଇଛି ଶୋକର ଛାୟା ।
 
    ସୂଚନାଯୋଗ୍ୟ ଯେ, ୧୮ ବର୍ଷର ସୁମନ ଖୁଆସ ବିଳମ୍ବିତ ରାତିରେ ବ୍ୟାଡମିଣ୍ଟନ ଖେଳିକି ଆସି ବାପା ସୁଧୀରଙ୍କ ସହ ଶୋଇଥିଲେ । ଶୋଇଥିବା ବେଳେ  ସେ ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ହଠାତ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲର ଜରୁରୀକାଳୀନ ବିଭାଗରେ ଡାକ୍ତର ଦୁଇଟି ଇଞ୍ଜେକସନ ଦେଇ ଘରକୁ ପଠାଇ ଦେଇଥିଲେ ଓ ମଙ୍ଗଳବାର ଭୋର ସମୟରେ ସେ ଅସୁସ୍ଥ ଅନୁଭବ କରି ଗୁରୁତର ହୋଇ ପଡିଥିଲେ ଓ ପୁଣି ପରିବାର ଲୋକେ ତାଙ୍କୁ ମେଡିକାଲକୁ ନେଇଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପାଇଁ ତାଙ୍କ ମୃତଦେହକୁ ଘରକୁ ଅଣାଯାଇଥିଲା । ଘରେ ନାତିର ମୃତଦେହ ଦେଖି ଜେଜେମା ସୁନିତା ଖୁଆସ କାନ୍ଦିକାନ୍ଦି ଅସହ୍ୟ ହୋଇପଡ଼ିଥିଲେ । ଫଳରେ ତାଙ୍କ ଦେହ ଖରାପ ହୋଇଯାଇଥିଲା । ତାଙ୍କୁ ଡାକ୍ତରଖାନାକୁ ନେବାବେଳେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।