ଏତେଦିନେ ଗୃହ ସ୍ୱାଭାବିକ
ଭୁବନେଶ୍ୱର: ମାର୍ଚ୍ଚ ୭ରୁ ଅଚଳ ହୋଇ ଆସୁଥିବା ବିଧାନସଭା ଆଜି କିନ୍ତୁ ସ୍ୱାଭାବିକ ଭାବେ ଚାଲିଥିଲା । ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବୀ ପ୍ରସ୍ତାବ ସହ ଖର୍ଚ୍ଚଦାବି ଆଲୋଚନା ବି ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନରେ ୩୯ ଘଣ୍ଟା ସମୟ ନଷ୍ଟ ହୋଇଯାଇଥିବାରୁ ଗତକାଲି ବାଚସ୍ପତି ସୁରମା ପାଢ଼ୀ ଉଦ୍ବେଗ ପ୍ରକାଶ କରିଥିଲେ । କିନ୍ତୁ ଆଜି ସ୍ଥିତି ବଦଳି ଯାଇଥିଲା । ସମସ୍ତ କଂଗ୍ରେସ ବିଧାୟକ ଗୃହରୁ ନିଲମ୍ବିତ ହୋଇଥିବାରୁ ଆଜି ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିନଥିଲା । ବିଜେଡ଼ି ବିଧାୟକମାନେ ସାମାନ୍ୟ ପ୍ରତିବାଦ କରି ଗୃହକାର୍ଯ୍ୟରେ ସହଯୋଗ କରିଥିଲେ ।
ପୂର୍ବାହ୍ନ ସାଢ଼େ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାବେଳକୁ ଗୃହରେ କିନ୍ତୁ ହାତଗଣତି ବିଧାୟକ ଥିଲେ । ଉଭୟ ଶାସକ ଓ ବିରୋଧୀ ବେଞ୍ଚ ଖାଲି ଖାଲି ଲାଗୁଥିଲା । ବିଜେଡ଼ିର ମାତ୍ର ୭ ଜଣ ବିଧାୟକ ଆସିଥିଲେ । ସେପଟେ ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଜାରିରଖିଲେ । ମାତ୍ର ୧ ମିନିଟ୍ ପରେ ଅର୍ଥାତ୍ ୧୦ଟା ୩୧ରେ ବିଜେଡ଼ି ବିଧାୟକମାନେ ଗୃହକୁ ନାରାବାଜି କରି ପ୍ରବେଶ କଲେ । ହାତରେ ମାଟି କଳସୀ, ଆମ୍ବ ପତ୍ର ଧରି ଗୃହରେ ଛିଞ୍ଚôଲେ । ଅପବିତ୍ର ଗୃହକୁ ପବିତ୍ର କରୁଛନ୍ତି ବୋଲି କହୁଥିବା ଶୁଣିବାକୁ ମିଳିଥିଲା । ବିଧାନସଭା ବାହାରେ ମଧ୍ୟ ସେମାନେ ପାଣି ଛିଞ୍ଚô ଅଭିନବ ପ୍ରତିବାଦ କରିଥିଲେ । ବିରୋଧୀ କଂଗ୍ରେସର ଅନୁପସ୍ଥିତିରେ ବୋଧହୁଏ ବିଜେଡ଼ି କୌଣସି ପ୍ରସଙ୍ଗ ନେଇ ପ୍ରଶ୍ନକାଳ ଅଚଳ କରିବ ବୋଲି ମନେ ହେଉଥିଲା । କିନ୍ତୁ ବିଜେଡ଼ି ବିଧାୟକମାନଙ୍କ ଏତାଦୃଶ ଆଚରଣ ଦେଖି ବାଚସ୍ପତି କହିଥିଲେଯେ, ଗୃହକୁ ଘଡ଼ି କଳସୀ ଆଣିବା ଅଶୋଭନୀୟ । ଏଥିରୁ ନିବୃତ୍ତ ରହିବାକୁ ସେ ନିବେଦନ କରିଥିଲେ । ପରେ ବିଧାୟକମାନେ ଲବିରେ ସେସବୁ ରଖିଦେଇ ନିଜ ନିଜ ଆସନରେ ବସି ଗୃହକାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ ।
ପ୍ରଶ୍ନକାଳରେ ଦୀର୍ଘ ସମୟ ଧରି ପଡ଼ାଗ୍ରାମକୁ ରାଜସ୍ୱ ଗ୍ରାମରେ ପରିଣତ ସଂକ୍ରାନ୍ତୀୟ ପ୍ରଶ୍ନର ଉତ୍ତର ରଖିଥିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଅନେକ ଦିନ ପରେ ଆଜି ଶୂନ୍ୟକାଳରେ ଶାସକ ଓ ବିରୋଧୀ ବିଧାୟକମାନେ ଅଂଶଗ୍ରହଣ କରିଥିଲେ । ବିଧାୟକମାନେ ନିଜ ନିଜ ଅଞ୍ଚଳର ସମସ୍ୟା ସଂକ୍ରାନ୍ତରେସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପୂର୍ବଭଳି ଶୂନ୍ୟକାଳରେ କିନ୍ତୁ ଆକ୍ଷେପ ପ୍ରତିଆକ୍ଷେପ ଦେଖିବାକୁ ମିଳିନଥିଲା । ଏହାପରେ ମୁଲତବୀ ଆଲୋଚନା ବି ସୁରୁଖୁରୁରେ ହୋଇଥିଲା । ଏସସି ଏସଟି ଏବଂ ଓବିସି ବର୍ଗଙ୍କୁ ଶିକ୍ଷାନୁଷ୍ଠାନ ଓ ନିଯୁକ୍ତିରେ ଆବଶ୍ୟକୀୟ ସଂରକ୍ଷଣ ଦେବା ନେଇ ଗୃହରେ ସରଗରମ ଆଲୋଚନା ହୋଇଥିଲା । ଶାସକ ଓ ବିରୋଧୀ ପରସ୍ପରକୁ ଟାର୍ଗେଟ୍ କରିଥିଲେ । ଅପରାହ୍ନ ଅଧିବେଶନ ବି ବେଶ୍ ସୁରୁଖୁରୁରେ ସମାହିତ ହୋଇଥିଲା । ଖର୍ଚ୍ଚଦାବି ଆଲୋଚନାରେ ଶାସକ ଓ ବିରୋଧୀ ବିଧାୟକମାନେ ଅଂଶଗ୍ରହଣ କରିଥିଲେ । ମନ୍ତ୍ରୀଙ୍କ ଉତ୍ତର ପରେ ଖର୍ଚ୍ଚଦାବି ପାରିତ ହୋଇଥିଲା ।