ସବୁ ଆତ୍ମୀୟ ତ?

ଆଜ୍ଞା ନମସ୍କାର,
ଜୀବନରେ ଆମେ କିଛିଲୋକଙ୍କୁ ଆମର ଆତ୍ମୀୟ ବୋଲି ଭାବୁ । ଆମେ ଭଲ ଥିଲା ଯାକ ସବୁ ଆତ୍ମୀୟ, ଆମର ଅତି ଆପଣାର ହେଇକି ଥାଆନ୍ତି । ସରସା କଥା କହନ୍ତି, ଚନ୍ଦନ ବୋଳା କାକର କଥା ବୋଲନ୍ତି, ନିଜର ବୋଲି ବୋଲାନ୍ତି ।
ହେଲେ ଜୀବନର କୌଣସି ଏକ ବା ଅନେକ ଅସମୟରେ, ଅବେଳରେ ଏ ଆତ୍ମୀୟଙ୍କ ଭିତରୁ ଅଧିକାଂଶ ଏମିତି ଅଭିନୟ କରନ୍ତି ଯେ ତାହା ଆମ ବିଶ୍ୱାସର ବାହାରେ ଥାଏ ।  ଆମେ କହୁନେ "ଜୀବନରେ ଇଏ ଧୋକ୍କା ଦେବ ବୋଲି ମୁଁ କେବେ ଭାବିନଥିଲି!' "ଆହା କେଡ଼େ କଥା କଲା ସିଏ' ବୋଲି! ଏମାନେ ଖାଲି ଅଭିନୟ କରନ୍ତି ନାହିଁ, ଏମିତି ବାହାନା ମଧ୍ୟ କରନ୍ତି ସତେ ଯେମିତି ସେମାନେ ଆମକୁ ଜାଣିନାହାନ୍ତି, ଚିହ୍ନିନାହାନ୍ତି! 
ଅସମୟରେ ଆତ୍ମୀୟଙ୍କ ଅଭିନୟ ମଣିଷର ଆଖି ମଧ୍ୟ ଖୋଲିଦିଏ ।
ଆଜ୍ଞା, ଦେଖିବାକୁ ଗଲେ ମଣିଷ ଜନ୍ମରୁ ନିଜ ଶତ୍ରୁଙ୍କ ମଧ୍ୟ ଧରି ଆସିଥାଏ । ଯେତିକି ଯେତିକି ବୟସ ବଢ଼େ, କିଏ ଧନ ପାଇଁ, କିଏ ପୈତୃକ ଭାଗ ପାଇଁ କିଏ ଆଉ କଣ କଣ ପାଇଁ ଇର୍ଷାନ୍ୱିତ ହୋଇପଡ଼ନ୍ତି । ଜୀବନର ସବୁସ୍ତରରେ ବହୁ ଅସହିଷ୍ଣୁ ଆଖି ନୂଆ ନୂଆ ରୂପରେ ଶତ୍ରୁ ହୋଇ ଦେଖାଦିଅନ୍ତି । ଏଇ ଶତ୍ରୁମାନେ ସହଜେ ଚିହ୍ନା ପଡ଼ନ୍ତିନି । ଏମାନେ ଅଚିହ୍ନା ଲୋକ ନୁହଁନ୍ତି, ଏମାନେ ଆତ୍ମୀୟଙ୍କ ଭିତରୁ ଜଣେ କିମ୍ବା ପଣେ । ସମ୍ପର୍କର ଛଳନା ଓ ଅଭିନୟ କରି କଲବଲର ସବୁତକ କବାଟ ଖୋଲି ଦେଇ ଚାଲିଯାଆନ୍ତି । ପ୍ରାୟ ମଣିଷ ଯେତେ ଚେଷ୍ଟା କଲେ ବି, ଏଇ କଲବଲ ଅବସ୍ଥାରୁ ଉଦ୍ଧାର ପାଇପାରେ ନାହିଁ । 
ଜୀବନରେ କିଏ, କାହା ସହିତ କିଭଳି ଛଳନା କରୁଛି ତାହା ଜାଣିବା ଅସମ୍ଭବ । ପରିବାରରେ, ସମ୍ପର୍କରେ, ବନ୍ଧୁତାରେ, କର୍ମକ୍ଷେତ୍ରରେ, ବିଶ୍ୱାସରେ, ଭରସାରେ; ସବୁ ସ୍ତରରେ! ଛଳନାର ସମ୍ପର୍କ ଯୋଉଠି ଯୋଡ଼ି ହେଇଥାଏ, ସେଇଠି ସମୟ ଆସିଲେ ସମସ୍ତେ ନିଜକୁ ବଞ୍ଚାଇବା ପାଇଁ ଲାଗିପଡ଼ନ୍ତି । 
ଆମେ "ଅମୃତ ବିନ୍ଦୁ'ରେ ଆଜି ଯେଉଁ ଆଲୋଚନା କରୁଛେ, ତାହା କେତେ ଦୂର ଠିକ୍ ଆଉ କେତେ ଦୂର ଭୁଲ୍, ସେକଥା ଆପଣ ଟିକେ ବିଚାର କରନ୍ତୁ । କାରଣ, ଛଳନାମୟ ସମ୍ପର୍କ ଏବଂ ଛଳନାମୟ ଜୀବନ ବାବଦରେ ଆମେ ସମସ୍ତେ, ଊଣା-ଅଧିକେ ପରିଚିତ ।
କିନ୍ତୁ ଜୀବନରେ ଏମିତି ଏକ ପରିସ୍ଥିତି ଆସେ, ଯେତେବେଳେ ସମସ୍ତେ କୋଉଠି ନା କୋଉଠି ଧରା ପଡ଼ିଯାଆନ୍ତି । ଆଉ ଜୀବନର କୌଣସି ନା କୌଣସି ଏକ ପରିସ୍ଥିତିରେ ଆମେ ଅନ୍ୟ ପ୍ରତି ଯାହା ଆଚରଣ କରିଛେ ବା କରୁଛେ, ତାହା ଆମ ପାଖକୁ କୋଉ ବାଟରେ ନା କୋଉ ବାଟରେ ଲେଉଟି ଆସିବାଟା ବାଧ୍ୟ, ସୁନିଶ୍ଚିତ । 
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।