ଏନ୍ଏଚ୍ରେ ଜମୁଛି ଆଣ୍ଠୁଏ ଉଚ୍ଚର ପାଣି: ଯାତାୟାତ ବାଧାପ୍ରାପ୍ତ, ପ୍ରଶାସନର ନିଘା ନାହିଁ

 ତାଳଚେର : ତାଳଚେର ୧୪୯ନମ୍ବର ଜାତୀୟ ରାଜପଥ ତାଳବେଡ଼ା ଠାରୁ ଆରମ୍ଭ କରି ବହ୍ଲର ଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ ଅବସ୍ଥା ହୋଇଥିବା ବେଳେ ଅଳ୍ପ ବର୍ଷା ଯୋଗୁଁ ବାଙ୍କଧରା ଛକ ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହୁଛି । ଫଳରେ ଭାରୀଯାନ ଗୁଡ଼ିକ ଉକ୍ତ ସ୍ଥାନରେ ଫସି ରହିଥିବାରୁ ଆଜକୁ ତିନିଦିନ ହେବ ଟ୍ରାଫିକ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୂଷୁଡ଼ି ପଡ଼ିଥିବା ଅଭିଯୋଗ ହୋଇଛି । ଏହି ରାଜପଥରେ ହଜାର ହଜାର ସଂଖ୍ୟକ ଭାରୀଯାନ ଚଳାଚଳ ଯୋଗୁଁ ରାସ୍ତାରେ ସବୁବେଳେ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଥିଲେ ହେଁ ସ୍ଥାନୀୟ ନେତା ଓ ଏନଏଚଆଇ ବିଭାଗ କିପରି ଓ କାହିଁକି ନୀରବଦ୍ରଷ୍ଟା ସାଜିଛନ୍ତି ଏହାକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ବୃଦ୍ଧି ପାଇଛି । ଏହି ରାଜପଥ ପାଇଁ ଦୁଇ ଦୁଇ ଥର ଟେଣ୍ଡର ପ୍ରକି୍ରୟା ସରକାରଙ୍କ ପକ୍ଷରୁ ହୋଇଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ଜମି ଅଧିଗ୍ରହଣ ହେଉନଥିବାରୁ ରାସ୍ତାଟି ୪ଥାକିଆ ହୋଇ ପାରୁନାହିଁ । ଏହି ୪ଥାକିଆ ରାସ୍ତା ନିର୍ମାଣର ଆହେତୁକ ବିଳମ୍ବ ହେଉଥିବାରୁ ଗତକାଲି ଜନବିକାଶ କଲ୍ୟାଣ ସଂଘ ପକ୍ଷରୁ ଏ ନେଇ ପାଲଲହଡ଼ା ଠାରେ ନିର୍ବାହୀଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ରାଜପଥ ଅବସ୍ଥାକୁ ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ମଧ୍ୟ ନୂତନ ରାସ୍ତା ନିର୍ମାଣ ହୋଇ ପାରୁନଥିବା ତାଳଚେରବାସୀଙ୍କ ପାଇଁ ଅଭିଶପ୍ତ ପାଲଟି ଯାଇଛି । ଏଠାରୁ ରାଜ୍ୟ ଓ କେନ୍ଦ୍ର ସରକାର ଦୈନିକ କୋଟି କୋଟି ଟଙ୍କା ରାଜସ୍ୱ ନେଉଥିଲେ ମଧ୍ୟ ଏହି ଜାତୀୟ ରାଜପଥ ସମେତ ଲୋକଙ୍କର ମୌଳିକ ଅଧିକାରୀ ପ୍ରତି ସରକାର ଧ୍ୟାନ ଦେଉନଥିବାରୁ ଏହାକୁ ନେଇ ଅଞ୍ଚଳବାସୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକି୍ରୟା ପ୍ରକାଶ ପାଇଛି । ତେଣୁ ତୁରନ୍ତ ଏନ୍ଏଚଆଇ ବିଭାଗ ଏହି ରାଜପଥକୁ ଦୃଷ୍ଟି ଦେବାକୁୁ ସାଧାରଣରେ ଦାବି ହେଉଛି ।