କୋଟିଆ କମିଟି ଗଠନକୁ ଧର୍ମେନ୍ଦ୍ରଙ୍କ ସ୍ୱାଗତ

ଭୁବନେଶ୍ୱର : କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ । କୋଟିଆବାସୀଙ୍କ ସହ ଆମର ଭାବାବେଗ ଜଡ଼ିତ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଗ୍ରାମସମୂହର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଗଠନ ହୋଇଥିବା କମିଟିକୁ ସ୍ୱାଗତ କରିବା ଅବସରରେ କହିଛନ୍ତି ।  ଶ୍ରୀ ପ୍ରଧାନ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ, କୋରାପୁଟ ଜିଲ୍ଲା କୋଟିଆ ଗ୍ରାମସମୂହର ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ କରିବା ତଥା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ସୁବିଧା କୋଟିଆର ଜନସାଧାରଣଙ୍କ ପହଞ୍ଚାଇବା ପାଇଁ ଓଡ଼ିଶା ସରକାର ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ୧୬ ଜଣିଆ କମିଟି ଗଠନ କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇବା ସହ କହିଛନ୍ତି, ଓଡ଼ିଶାର ସୀମାକୁ ଭୌଗୋଳିକ ଓ ସାଂସ୍କୃତିକ ରୂପେ ସୁରକ୍ଷିତ ରଖିବାର ସଂକଳ୍ପନା ନେଇ ମୁଁ ପୂର୍ବରୁ କୋଟିଆ ଗସ୍ତରେ ଯାଇଥିଲି । କୋଟିଆର ସ୍ଥାୟୀ ସମାଧାନ ପାଇଁ ଅନେକ ଥର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର ତକôାଳୀନ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ପାଇଁ ଅନୁରୋଧ କରିଛି । ଅନୁରୋଧ ଓ ଦାବି ସତ୍ତ୍ୱେ ପୂର୍ବ ସରକାର ଏହି ବିଷୟରେ କର୍ଣ୍ଣପାତ କରିନଥିଲେ । ରାଜ୍ୟ ସରକାର ନେଇଥିବା ଏହି ପଦକ୍ଷେପ ଦ୍ୱାରା ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଡବଲ ଇଞ୍ଜିନ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ଲାଭ ପାଇବେ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ।