ଏନ୍ଏସି ଘୋଷଣା ଦାବିରେ କଂଗ୍ରେସର ତହସିଲ ଘେରାଉ

 ରାଜକନିକା : ରାଜକନିକା ବ୍ଲକର ସମସ୍ତ ଭିତ୍ତିଭୂମି ଥାଇ ମଧ୍ୟ ଏହାକୁ ଏନ୍ଏସି ଘୋଷଣା କରା ନ ଯିବା ପ୍ରତିବାଦରେ ରାଜକନିକା ବ୍ଲକ୍ କଂଗ୍ରେସ ପକ୍ଷରୁ କନିକା ତହସିଲ ଘେରାଉ କରାଯାଇ ଏକ ପ୍ରତିବାଦ ସଭା କରାଯିବା ସହ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ରାଜକନିକା ବ୍ଲକ କଂଗ୍ରେସ ସଭାପତି ମଙ୍ଗୁଳି ଚରଣ ବେହେରାଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଓ ସାଧାରଣ ଜନତା ଅଶୋକ ବଜାରସ୍ଥିତ କଂଗ୍ରେସ କାର୍ଯ୍ୟାଳୟରୁ ଏକାଠି ହୋଇ ଏକ ଶୋଭାଯାତ୍ରାରେ ଆସି କନିକା ତହସିଲ ଘେରାଉ କରିବା ସହିତ ପ୍ରତିବାଦ କରିଥିଲେ । ସରକାରଙ୍କ ପକ୍ଷରୁ ୭ଟି ଜିଲ୍ଲାର ୧୨ଟି ସ୍ଥାନକୁ ନୂତନ ଏନ୍ଏସି ଘୋଷଣା ପାଇଁ ନୋଟିଫିକେସନ ବାହାରିଥିବା ବେଳେ, ରାଜକନିକା ବ୍ଲକ୍ ସମସ୍ତ ସର୍ତ୍ତାବଳୀ ପୂରଣକରି ଆସୁଥିଲେ ମଧ୍ୟ ଏହି ବ୍ଲକ୍ ପ୍ରତି ବାରମ୍ବାର ବୈମାତୃକ ମନୋଭାବ ରଖାଯାଇ ଏହାକୁ ଏନ୍ଏସିରୁ ବାଦ କରାଯାଉଥିବା କଂଗ୍ରେସ ଅଭିଯୋଗ କରିଛି । ତେବେ ଯଥାଶୀଘ୍ର ରାଜକନିକାକୁ ଏନ୍ଏସି ଘୋଷଣା କରିବା ପାଇଁ କନିକାର ଅତିରିକ୍ତ ତହସିଲଦାରଙ୍କ ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସମ୍ପାଦିକା ଡ. ଦେବସ୍ମିତା ଶର୍ମା, ଜିଲ୍ଲା କଂଗ୍ରେସ ସଂଯୋଜକ ପ୍ରଫୁଲ୍ଲ ଦାସ, ପୂର୍ବତନ ପିସିସି ସଭ୍ୟ ବାବୁରାମ ଜେନା, ସତ୍ୟ ପରିଡା, ପ୍ରମିଳା ସାହୁ, ଶରତ ରାଉତ, ଦୁର୍ୟ୍ୟଧନ ମହାନ୍ତି, ମୁରଲୀଧର ବେହେରା, ଲଷ୍ମୀପ୍ରିୟା ନାୟକ, ଅଜୟ ଦାସ ଓ ରଞ୍ଜନ ସେଠି ପ୍ରମୁଖ ଉପସ୍ଥିତ ଥିଲେ ।