ପାନୀୟ ଜଳ ପାଇପ୍ ଲାଇନ ପାଇଁ ରାସ୍ତା ନଷ୍ଟ

 ଖଣ୍ଡପଡ଼ା : ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକୁ ନେଇ ସାଧାର ଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ୪ ବର୍ଷ ପରେ ବି ମେଗା ପାନୀୟଜଳ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ମେଗା ପାନୀୟଜଳ ପ୍ରକଳ୍ପ ପକ୍ଷରୁ ମୁଖ୍ୟ ରାସ୍ତା ପାର୍ଶ୍ୱ ତଳେ ପାଇପ ଲାଇନ ବିଛାଇବା କାର୍ଯ୍ୟ ଚାଲୁ ରହିଛି । ଖଣ୍ଡପଡ଼ାରୁ ନୟାଗଡକୁ ସଂଯୋଗ କରୁଥିବା ରାସ୍ତାର  ଗୋଟିଏ ପାର୍ଶ୍ୱକୁ ଜେସିବି ମେସିନ ଯୋଗେ ଖୋଳତାଡ କରି ମାଟି ତଳେ କାଷ୍ଟ ଆଇରନ ପାଇପ ପକାଯାଇଛି । ମାଟି ତଳେ ପାଇପ ପୋତା ଯିବା ପରେ ଉକ୍ତ  ସ୍ଥାନରେ ଠିକ୍ ରୁପେ ବାଲି ଫିଲିଂ କରାନଯାଇ ରାସ୍ତା ପାର୍ଶ୍ୱ ସିମେଣ୍ଟ କଂକ୍ରିଟକରଣ କରାଯାଉଥିବାରୁ ଭାରି ଯାନବାହାନ ଚଳାଚଳ ବେଳେ ରାସ୍ତା ପାର୍ଶ୍ୱ ଦବିଯାଇ ଏବେ ବିପଦଶଙ୍କୁଳ ହୋଇ ପଡିଛି । ଫଳରେ ସାମାନ୍ୟ ବର୍ଷା ହେଲେ ରାସ୍ତା ପାର୍ଶ୍ୱରେ ପାଣି ଜମି ରହୁଥିବା ନଜରକୁ ଆସୁଛି ।ଗତବର୍ଷ ଖଣ୍ଡପଡ଼ା ସହରର ତ୍ରିନାଥ ଛକ ଠାରୁ ନୟାଗଡ ସହରକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ କାର୍ଯ୍ୟ ଲକ୍ଷାଧିକ ଟଙ୍କା ବ୍ୟୟରେ ଶେଷ ହୋଇଥିଲା । ଏବେ କିନ୍ତୁ ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ଯୋଗୁଁ ରାସ୍ତା ନଷ୍ଟ ହେବାସହ ରାସ୍ତା ପାର୍ଶ୍ୱରେ ପାଣି ଜମି ରହୁଛି । ଏଥିପ୍ରତି ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଓ ନୟାଗଡ ଜନସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଖଣ୍ଡପଡ଼ା ସହରବାସୀ ଦାବି କରିଛନ୍ତି ।