ମଦ ବୋତଲ ଯୋଗୁଁ ହୋଇପାରୁନି ଚାଷକାମ
ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇର ରାସ୍ତାକଡ ଚାଷଜମିରେ ଧାନ ରୁଆହୋଇପାରୁ ନାହିଁ । ଚାଷଜମିରେ ମାଳମାଳ ମଦବୋତଲ ପଡିଛି । ରାସ୍ତାଉପରେ ମଦ ପିଇ ବୋତଲକୁ ଜମିକୁ ଫିଙ୍ଗିଦେବା ପରେଏପରି ପରିସ୍ଥିତି ସୃଷ୍ଟିହୋଇଛି । ଟ୍ରାକଟର ହଳକରିବା ପରେ ମଦ ବୋତଲ ଭାଙ୍ଗି ଯିବାରୁ ଧାନ ତଳି ରୋଇବା ସମୟରେ ଚାଷୀଙ୍କ ଗୋଡ କଟି ଲହୁଲୁହାଣ ହେଉଛନ୍ତି । ଏଭଳି ପରିସ୍ଥିତି ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ଦେଖାଦେବାସହ ଚାଷୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଚାଷୀମାନେ କାହାକୁ ଗୁହାରିକରି ବି ଜାଣିପାରୁ ନାହାନ୍ତି । ଖବର ନେବାରେ ଜଣାପଡିଛି ଯେ, ପଟ୍ଟାମୁଣ୍ଡାଇ ବ୍ଲକର ଉତିକଣ ଅଂଚଳକୁ ଭାତହାଣ୍ଡି ବୋଲି କୁହାଯାଉଥାଏ । ଚୋରାମଦର ବିକ୍ରି ବ୍ୟପକ ହେଉଥିବାରୁ ପ୍ରତିଗାଁରେ ମଦ ସହଜରେ ମିଳୁଛି । ସନ୍ଧ୍ୟାହେଲେ ପଟ୍ଟାମୁଣ୍ଡାଇ ବ୍ଲକ୍ ଓ ପୌରାଚଂଳର ଚାଷଜମି ନିକଟ ଯାଇଥିବା ବିଭିନ୍ନ ରାସ୍ତାରେ ମଦ୍ୟପଙ୍କ ଭିଡି ଜମିବା ଦେଖିବାକୁ ମିଳୁଛି । ସେମାନେ ମଦ ପିଇଖାଲି ବୋତଲକୁ ଜମି ଭିତରକୁ ଫୋପାଡି ଦେବାଯୋଗୁ ବହୁ ଚାଷଜମି ପଡିଆ ପଡିଛି । ଚାଷୀମାନେ ବହୁସ୍ଥାନରେ ପ୍ରତିବାଦ କରିବାରୁ ମଦ୍ୟପ ଓ ଚାଷୀଙ୍କ ମଧ୍ୟରେ ମୁଁହାଁମୁହିଁ ପରିସ୍ଥିତି ଦେଖାଦେଇଛି । ଏବିଷୟରେ ପୁଲିସ କିମ୍ବା ଅବକାରୀ ବିଭାଗ ନୀରବଦ୍ରଷ୍ଟା ସାଜିଥିବାର ଚାଷୀମାନେ ଅଭିଯୋଗ କରିଛନ୍ତି ।