ରେଳ କ୍ୱାର୍ଟରରୁ ଚୋରି, ୩ ଗିରଫ
ଜଟଣୀ : ଜଟଣୀ ଥାନା ଅନ୍ତର୍ଗତ ରେଳବାଇ ଆକାଉଣ୍ଟସ୍ କଲୋନୀର ଜଣେ ରେଳ କର୍ମଚାରୀଙ୍କ କ୍ୱାର୍ଟରର ପଛ କବାଟ ତାଲା ଭାଙ୍ଗି ଲୁଟ୍ପାଟ୍ । ଏହି ଘଟଣାରେ ପୁଲିସ ବାଛରା ପାଟଣାର ଜଗନ୍ନାଥ ବାରିକ ଓରଫ ରାଜା (୩୭), ବିଭୂତି ଦାସ ଓରଫ ଅନନ୍ତ (୩୪)ଏବଂ ଖୁଦୁପୁର ଗ୍ରାମର ସୋମନାଥ ପ୍ରଧାନ ଓରଫ ମୁନା (୨୩) ନାମକ ତିନିଜଣ ଲୁଟେରାଙ୍କୁ ଧରି ୨୭୨/୨୫ ମୂଳେ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ନୋଭଲୀନା ପାଢୀ ଗତ ୧୬ରିଖ ସନ୍ଧ୍ୟା ୮ ଟା ସମୟରେ ଘରେ ତାଲା ପକାଇ ଝିଅକୁ ଟିଉସନରୁ ଆଣିବା ପାଇଁ ଯାଇଥିଲେ । ଏହାର ସୁଯୋଗ ନେଇ ଲୁଟେରାମାନେ ଶୋଇବା ଘରେ ଥିବା ଆଲମାରୀ ଭାଙ୍ଗି ସେଥିରୁ ସୁନା ଅଳଙ୍କାର ଓ ନଗଦ ୧୫ ହଜାର ଟଙ୍କା ସହ ମୋବାଇଲ୍ ଫୋନ୍, ଦରକାରୀ କାଗଜପତ୍ର ଲୁଟି ନେଇଥିଲେ । ଏ ନେଇ ଥାନାରେ ଅଭିଯୋଗ ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ବିଶ୍ୱସ୍ତ ସୂତ୍ରରୁ ଲୁଟେରାମାନେ ରେତଙ୍ଗ କଲୋନୀର ଏକ ପଡ଼ିଆ ଠାରେ ବସି ଚୋରି ସାମଗ୍ରୀ ବାଣ୍ଟୁଥିବା ଖବର ପାଇ ପୁଲିସ ଘଟଣା ସ୍ଥଳରେ ଚଢ଼ାଉ କରି ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ସେମାନଙ୍କ ନିକଟରୁ ଗୋଟେ ସୁନା ଚେନ୍, ହଳେ କାନଫୁଲ ଏବଂ ୯ ହଜାର ଟଙ୍କା ଜବତ କରିଥିଲେ । ଜେରା ସମୟରେ ବାକି ୬ ହଜାର ଟଙ୍କା ସେମାନେ ଖର୍ଚ୍ଚ କରିଦେବା ସହ ମୋବାଇଲ ଫୋନ୍ ଏବଂ କାଗଜପତ୍ର ଫୋପାଡ଼ି ଦେଇଥିବା କହିଥିଲେ । ଏହି ତିନିଜଣ ଅଭ୍ୟାସଗତ ଲୁଟେରା ହୋଇଥିବା ଥାନାଧିକାରୀ ଷ୍ଟାଲିନ୍ ବିଶ୍ୱାଳ କହିଛନ୍ତି ।