ଏନଏସି ଦାବି ପୂରଣ କରିବାକୁ ଅପରାଜିତାଙ୍କ ନିକଟରେ ଦାବି
କାକଟପୁର : ପୁରୀ ଜିଲ୍ଲା କାକଟପୁରକୁ ଏନ୍ଏସି ଘୋଷଣା କରିବା ପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗି ନିଜ ଅଫିସିଆଲ୍ ଲେଟର ପ୍ୟାଡ୍ରେ ମୁଖ୍ୟମନ୍ତ୍ରୀ ମୋହନ୍ ଚରଣ ମାଝିଙ୍କୁ ଦାବୀପତ୍ର ଦେଇ ଅନୁରୋଧ କରିଛନ୍ତି । କିନ୍ତୁ ଜଗତସିଂହପୁର ସାଂସଦ ଡ଼ା. ବିଭୁ ପ୍ରସାଦ ତରାଇ ଓ କାକଟପୁର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଦାବୀପତ୍ର ପ୍ରଦାନ କିମ୍ବା ବିଧାନସଭାର ପ୍ରଶ୍ନକାଳ ସମୟରେ ଏନ୍ଏସି ବିଷୟରେ ଚର୍ଚ୍ଚା କରାଯାଇନାହିଁ । ଯାହାକି ସ୍ଥାନୀୟ ଲୋକଙ୍କ ଅସନ୍ତୋଷର ପ୍ରଧାନ କାରଣ ପାଲଟିଛି । ସାଂସଦ ଡ଼ା. ବିଭୁ ପ୍ରସାଦ ତରାଇ, ଯେତେବେଳେ ବିରୋଧୀ ଦଳରେ ଥିଲେ, ସେହି ସମୟରେ କାକଟପୁର ବନ୍ଦ କରି ଏନ୍.ଏ.ସି ଘୋଷଣା ଦାବୀରେ ଆନେ୍ଦାଳନ କରିଥିଲେ । କିନ୍ତୁ ବିଜେପି ସରକାର ଆସିବା ପରେ ଓ ସେ ଶାସନ ଗାଦିରେ ବସିବା ପରେ ନିଜ ଅଞ୍ଚଳକୁ ଭୁଲି ଯାଇଛନ୍ତି । ଦଳର ସର୍ବୋଚ୍ଚ ପଦବୀରେ ତିବା ସତ୍ତ୍ୱେ କାକଟପୁର ଏନ୍ଏସି ବିଷୟରେ କୌଣସି ପଦକ୍ଷେପ ନେଉନଥିବା ଗ୍ରାମବାସୀ କହିଛନ୍ତି । ଯଦି ଏବେ ସରକାରରେ ଥିବା ସତ୍ତ୍ୱେ ଗ୍ରାମ ପାଇଁ କିଛି ହେଇପାରୁନୀ “ତା’ଲେ ସେତେବେଳେ ଆନେ୍ଦାଳନ କାହିଁକି? ଆଜି ନୀରବ କାହିଁକି?” – ଏହାର ଉତ୍ତର ମାଗୁଛନ୍ତି କାକଟପୁରବାସୀ । କାକଟପୁର କେବଳ ପ୍ରଶାସନୀୟ କ୍ଷେତ୍ରରୁ ନୁହେଁ, ସାମ୍ପ୍ରଦାୟିକ ଓ ଧାର୍ମିକ ଦୃଷ୍ଟିକୋଣରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ପ୍ରାଚୀନ ପ୍ରାଚୀ ନଦୀ ଏଠାରେ ଅବସ୍ଥିତ, ଯାହାର କୂଳରେ ଅଛି ମା ମଙ୍ଗଳାଙ୍କ ପ୍ରସିଦ୍ଧ ଶକ୍ତିପୀଠ । କିନ୍ତୁ ଏନ୍.ଏ.ସି ଘୋଷଣା କେବେ ହେବ, ତାହା ନେଇ ଅନିଶ୍ଚିତତା ରହିଛି ।