ଓଡ଼ିଶାରେ ପହଞ୍ଚିଲେ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା

ଭୁବନେଶ୍ୱର:  ଭୁବନେଶ୍ୱର ବିମାନବନ୍ଦରରେ ଶୁକ୍ରବାର ପହଞ୍ଚିଛନ୍ତି ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା। ଆଜି ଓଡ଼ିଶା ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟରଠାରେ ଦୁଇଦିନିଆ ଜାତୀୟ ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ ଅନୁଷ୍ଠିତ ହେବ। ଏହାକୁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଉଦ୍‌ଘାଟନ କରିବେ। ୧୯୯୪ ପରେ ପ୍ରଥମ ଥର ଓଡ଼ିଶାରେ ସଂସଦୀୟ କମିଟିର ବୈଠକ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ରାଜ୍ୟସଭା ଉପାଧ୍ୟକ୍ଷ ଓ ୨ କେନ୍ଦ୍ର ମନ୍ତ୍ରୀ ଭାଗ ନେବେ। ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧି ଯୋଗଦେବେ। ବିଧାନସଭା କମିଟି ଅଧ୍ୟକ୍ଷଙ୍କ ସହ ୫ ସଦସ୍ୟ ଓ ୪ ବିଧାୟକ ଯୋଗଦେବେ। ୨୯ ଓ ୩୦ ତାରିଖ ୨ ଦିନ ଧରି ଏହି ଜାତୀୟ ସମ୍ମିଳନୀ ଚାଲିବ। ଏହି ସମ୍ମିଳନୀ ଓଡ଼ିଶା ପାଇଁ ବହୁ ଗୁରୁତ୍ୱ ବହନ କରୁଛି। ଏହି ଅବସରରେ ଆଲୋଚନା ସହ ଅନ୍ୟ ସମସ୍ତ ରାଜ୍ୟକୁ ଓଡ଼ିଶାର ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟଙ୍କ ଚାଲିଚଳଣି, ପୋଷାକ ପରିଧାନ, କାର୍ଯ୍ୟକୁଶଳତା, କାରିଗରି ବିଦ୍ୟା, ହସ୍ତଶିଳ୍ପ ସମ୍ପର୍କରେ ଅବଗତ କରାଇବା ପାଇଁ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଛି। ଓଡ଼ିଶାର ଐତିହ୍ୟ, ସଂସ୍କୃତି, ନୃତ୍ୟ-ସଂଗୀତ, ଚାରୁକଳା, କାରୁକଳା ସହିତ ଆଗନ୍ତୁକମାନଙ୍କୁ ପରିଚିତ କରାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅତିଥିମାନଙ୍କୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ, କୋଣାର୍କ, ଜନଜାତି ସଂଗ୍ରହାଳୟ ଆଦି ବୁଲାଇ ଦେଖାଇବାର ମଧ୍ୟ ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ଏବଂ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି କଲ୍ୟାଣ ସଂସଦୀୟ କମିଟିର ଅଧ୍ୟକ୍ଷ ଡ. ଫଗନ ସିଂହ କୁଲସ୍ତେ ମଧ୍ୟ ଏହି ସମାବେଶକୁ ସମ୍ବୋଧିତ କରିବେ।