ଓଡିଶା ଡାଟା, ପଲିସି ଓ ଇନୋଭେସନ ସେଣ୍ଟରର ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ
ଭୁବନେଶ୍ୱର: ଓଡ଼ିଶା କମ୍ପୁ୍ୟଟର ଆପ୍ଲିକେଶନ ସେଣ୍ଟର (ଓକାକ) ପରିସରରେ ଡାଟା, ପଲିସି ଆଣ୍ଡ ଇନୋଭେସନ୍ ସେଣ୍ଟର (ଡିପିଆଇସି)ର ନୂତନ କାର୍ଯ୍ୟାଳୟ ଚିକାଗୋ ବିଶ୍ୱବିଦ୍ୟାଳୟର ନୋବେଲ ବିଜେତା ପ୍ରଫେସର ମାଇକେଲ କ୍ରେମରଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ସ୍ୱତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା, ଅତିରିକ୍ତ ଶାସନ ସଚିବ-ତଥା-ସିଇଓ ଓକାକ ଡ଼ ପ୍ରଦୀପ କୁମାର ରାଉତ, ଡିପିଆଇସିର ମୁଖ୍ୟ ପରିଚାଳିକା ଉର୍ମିଳା ଚାଟାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ ।
ଓଡ଼ିଶାର ଏହି ଆଧୁନିକ ଡାଟା ଆନାଲିଟିକ୍ସ ହବ୍ ବିଭିନ୍ନ ଉସôରୁ ତଥ୍ୟ ସଂଗ୍ରହ ଉପରେ ଗୁରୁତ୍ୱ ଦେବା ସହିତ ସଂଗୃହିତ ତଥ୍ୟର ବ୍ୟବହାର ଦ୍ୱାରା ପ୍ରଚଳିତ କାର୍ଯ୍ୟକ୍ରମଗୁଡ଼ିକ କିପରି ଅଧିକ ଫଳପ୍ରଦ ହୋଇପାରିବ ଏବଂ ନୀତି ନିର୍ଦ୍ଧାରଣରେ କିପରି ଅଧିକ ଉନ୍ନତି ଆସିପାରିବ ସେ ଦିଗରେ କାର୍ଯ୍ୟ କରିବ । ଶକ୍ତି, ପରିବେଶ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଏବଂ ଜଳ ଓ ପରିମଳ ଇତ୍ୟାଦି କ୍ଷେତ୍ରରେ ଗବେଷଣା, ତଦାରଖ ଓ ପ୍ରଭାବ ମୂଲ୍ୟାଙ୍କନ ଆଦି କ୍ଷେତ୍ରରେ ସରକାରଙ୍କୁ ତଥ୍ୟ ପ୍ରଦାନ କରିବ । ଏହି ପ୍ରୟାସ ଦ୍ୱାରା ପ୍ରଚଳିତ ବ୍ୟବସ୍ଥାରେ ଉନ୍ନତି କରାଯାଇପାରିବ । ଓଡ଼ିଶା ସରକାର ଏବଂ ୟୁନିଭର୍ସିଟି ଅଫ୍ ସିକାଗୋ ଟ୍ରଷ୍ଟ (ଡିପିଆଇସି)ର କାର୍ଯ୍ୟକାରିତାକୁ ପ୍ରଶଂସା କରିବା ସହିତ ଭବିଷ୍ୟତରେ ନୀତି ନିର୍ଦ୍ଧାରଣରେ ଆହୁରି ଉନ୍ନତି ଆସିପାରିବ ବୋଲି ପ୍ରଫେସର କ୍ରେମର ମତବ୍ୟକ୍ତ କରିଥିଲେ । ଏହା ସହ ସେ ରାଜ୍ୟରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ହେଉଥିବା ଅଭିବୃଦ୍ଧିକୁ ପ୍ରଶଂସା କରିଥିଲେ ।