ଓଡିଶା ଦିବସ ପାଇଁ ପ୍ରସ୍ତୁତି ବୈଠକ

 ଚମ୍ପୁଆ : ଚମ୍ପୁଆ ଧରଣୀଧର ନଗର ଭବନ ଠାରେ ଆସନ୍ତା ଏପ୍ରିଲ ୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଓଡିଶା ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଜିଲାପାଳ ଉମାକାନ୍ତ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ତହସିଲଦାର ସଜତ ମାର୍କେ, ଏସିଏଫ୍ ଅକ୍ଷୟ ଛତ୍ରିୟା, ଏବିଡିଓ ଚୁନୁ ହାଁସଦା, ଡ଼ ଧର୍ମପଦ ଦାସ ମହାପାତ୍ର, ଏବିଓ ନରେନ୍ଦ୍ର ନାଏକ ପ୍ରମୁଖ ଯୋଗ ଦେଇଥିବା ବେଳେ ବିଭିନ୍ନ ବିଦ୍ୟାଳୟ ପ୍ରମୁଖ ସ୍ଥାନିୟ ବୁଦ୍ଧିଜୀବି ଓ ଗଣମାଧ୍ୟମ ପ୍ରତିନିଧି ଏବଂ ବିଭିନ୍ନ ସଂଗଠନ ଓ ସ୍ଥାନୀୟ କର୍ମଚାରୀ ଯୋଗ ଦେଇଥିଲେ । ଓଡିଶା ଦିବସକୁ ଆଡମ୍ବର ସହ ପାଳନ ପାଇଁ ପୂର୍ବରୁ ପ୍ରଚଳିତ ବିଭିନ୍ନ କାର୍ଯ୍ୟକ୍ରମକୁ ପୁନରାବୃତି କରାଯିବା ସହିତ ଚଳିତ ଗ୍ରୀଷ୍ମକୁ ଆଖି ଆଗରେ ରଖି ଦିନ ସାରା ହେବାକୁ ଥିବା କାର୍ଯ୍ୟକ୍ରମକୁ ଦିନ ୧ ଘଟିକା ମଧ୍ୟରେ ଶେଷ କରିବାକୁ ପ୍ରସ୍ତାବ ପାରିତ ହୋଇଥିଲା । ଏହି ପରୀପ୍ରେକ୍ଷୀରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତା ଓ କାର୍ଯ୍ୟକ୍ରମକୁ ସୂଚାର ରୂପେ ପରିଚାଳନା ପାଇଁ ଶିକ୍ଷା ବିଭାଗକୁ ପରାମର୍ଶ ପ୍ରଦାନ କରାଯିବା ସହିତ ଦିବସ ଉପଲକ୍ଷେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ପ୍ରତିଯୋଗୀଙ୍କୁ ସୁଯୋଗ ଦେବା ପାଇଁ ଉପଜିଲାପାଳ ଶ୍ରୀ ପରିଡା ସୂଚନା ଦେଇଥିଲେ । ଏହି ଦିବସ ଦିନ ଅନୁଷ୍ଠିତ ହେବାକୁ ଥିବା ସାହିତ୍ୟ ଆସରରେ ବ୍ୟାଙ୍ଗାତ୍ମକ କବିତା ପାଠକୁ ସ୍ଥାନ ଦେବା ପାଇଁ ପରାମର୍ଶ ପ୍ରଦାନ କରାଯାଇଥିଲା । ଏବଂ ଓଡିଆ ଜାତିର ଗୌରବ ପାଇଁ ଅନୁଷ୍ଠିତ ହେବାକୁ ଥିବା  ଗଣଦୌଡରେ ସବୁ ବର୍ଗର ଲୋକଙ୍କୁ ସାମିଲ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା । ଭାରପ୍ରାପ୍ତ ସୂଚନା ଲୋକସମ୍ପର୍କ ଅଧିକାରୀ ବିଜୟ କୁମାର ନାଏକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପ୍ରକାଶ ଚନ୍ଦ୍ର କୁଣ୍ଡୁ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ।