"ପ୍ରଜ୍ଞାନ’ ଉନ୍ମୋଚନ ଉତ୍ସବ
ଜଗତସିଂହପୁର: ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜଗତସିଂହପୁର ଜିଲ୍ଲା ତଥା ସମଗ୍ର ଓଡ଼ିଶାରେ ପ୍ରଥମ କରି ପାଠାଗାର ପାଇଁ ଉତ୍ସର୍ଗିକୃତ "ପ୍ରଜ୍ଞାନ’ ଏକ ଅଭିନବ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ଜେ. ସୋନାଲ କହିଲେ ଶିକ୍ଷା, ସଂସ୍କୃତିରେ ଜଗତସିଂହପୁର ଜିଲ୍ଲା ସମଗ୍ର ଓଡ଼ିଶାରେ ଏକ ଆଗୁଆ ଜିଲ୍ଲା । ପାଠାଗାର ମାଧ୍ୟମରେ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଉଜ୍ଜିବିତ କରି ରଖିବା ପାଇଁ "ପ୍ରଜ୍ଞାନ’ର ଲକ୍ଷ୍ୟ । ଏହା ମାଧ୍ୟମରେ ପଠନ ଓ ଲିଖନ ନିମନ୍ତେ ଏକ ଦୃଢ ଭିତ୍ତିଭୂମି ସ୍ଥାପନ ହୋଇପାରିବ । ଛାତ୍ରଛାତ୍ରୀଙ୍କ ପଠନ କୌଶଳ ବୃଦ୍ଧି କରିବା ସହିତ ବାହ୍ୟ ଜଗତ ସମ୍ବନ୍ଧୀୟ ବିଭିନ୍ନ ଜ୍ଞାନ ଆହରଣ କରିବାରେ ସହାୟକ ହେବ ।
"ପ୍ରଜ୍ଞାନ’ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜ ଅଞ୍ଚଳ ତଥା ଓଡିÿଶାର ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟ ସମ୍ବନ୍ଧରେ ଜାଣିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ପାଇପାରିବ । ପ୍ରତ୍ୟେକ ସ୍କୁଲରେ ପାଠାଗାର କ୍ରୀୟାଶୀଳ ହେବା ସହ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ରହିବ । ସ୍କୁଲରେ ଅତିରିକ୍ତ ଶ୍ରେଣୀଗୃହ ବୃଦ୍ଧି କରାଯିବ । କଣ୍ଟିଜେନ୍ସ ଅର୍ଥରୁ କିଛି ଅର୍ଥ ବାହାର କରି ପୁସ୍ତକ କ୍ରୟ କରାଯିବ । ଆଗାମୀ ଦିନରେ ଜିଲ୍ଲାର ପ୍ରତି ପଞ୍ଚାୟତରେ ପାଠାଗାର ସ୍ଥାପନ ସହ ପ୍ରତି ବ୍ଲକ ଓ ପୌର ପରିଷଦ ମଧ୍ୟରେ ଇ-ଲାଇବ୍ରେରୀ ଖୋଲାଯିବା ପାଇଁ ଉଦ୍ୟମ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷାବିତ ମହେନ୍ଦ୍ର ଆଚାର୍ଯ୍ୟ ଯୋଗଦେଇ କହିଲେ ଜ୍ଞାନକୁ ଅନ୍ୱେଷଣ କରିବା ହେଉଛି "ପ୍ରଜ୍ଞାନ’ର ଲକ୍ଷ୍ୟ । ବିଭିନ୍ନ ବହି ପଢିଲେ ଅଧିକରୁ ଅଧିକ ଜ୍ଞାନ ଆହରଣ ହୋଇଥାଏ । ପ୍ରତ୍ୟେକ ସ୍କୁଲରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ "ପ୍ରଜ୍ଞାନ" ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ରାଜଶ୍ରୀ ସାହୁ ଯୋଗଦେଇ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କହିଲେ ଯେ, ପ୍ରଜ୍ଞାନ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ମାନସ ସନ୍ତାନ ଏବଂ ପାଠାଗାର ମାଧ୍ୟମରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ରୁଦ୍ଧିମନ୍ତ କରିବା ନିମନ୍ତେ ଏକ ସୁନ୍ଦର ପ୍ରୟାସ । ପାଠାଗାର ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପଠନ, ଲିଖନ ଓ ଚିନ୍ତନଶୀଳତାର ଅଭିବୃଦ୍ଧି ହେବା ଦ୍ୱାରା ସେମାନେ ଜୀବନବ୍ୟାପି ଶିକ୍ଷଣ ପ୍ରୟାସ ଜାରି ରଖିବେ ବୋଲି ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ । ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ "ପ୍ରଜ୍ଞାନ’ କାର୍ଯ୍ୟକ୍ରମର ଲୋଗୋ ଉନ୍ମୋଚନ କରିବା ସହିତ ପ୍ରଜ୍ଞାନ ସମ୍ପର୍କୀୟ ଏକ କ୍ଷୁଦ୍ର ପୁସ୍ତିକାକୁ ଉନ୍ମୋଚନ କରିଥିଲେ । ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜୀବନ ସାହୁ ସଭା ପରିଚାଳନା କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ରମେଶ ଚନ୍ଦ୍ର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ରାଉତ, ନିର୍ବାହୀ ଅଧିକାରୀ ରବି ନାରାୟଣ ଜେଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଶିକ୍ଷା ବିଭାଗର ଶୁଭେନ୍ଦୁ ବରାଳ, ତପନ ନନ୍ଦ, ପଦରାଜ ଉମାକାନ୍ତ ନାୟକ, ସୁମିତ୍ରା ମଲ୍ଲିକ, ପ୍ରାଚୀ ପୂର୍ଣ୍ଣତୋୟା ପଟ୍ଟନାୟକ, ଚନ୍ଦ୍ରଜିତ୍ ପରିଜା, ସଚ୍ଚିଦାନନ୍ଦ ସାହୁ ସହଯୋଗ କରିଥିଲେ ।