ନୂଆ ସରକାରର ବର୍ଷପୂର୍ତ୍ତି ପାଳନ ପ୍ରସ୍ତୁତି

 ଭୁବନେଶ୍ୱର : ଓଡ଼ିଶାରେ ବର୍ତ୍ତମାନ ସରକାରର ଏକ ବର୍ଷ ପୂର୍ତ୍ତି ପାଳନ ନେଇ ପ୍ରଶାସନିକସ୍ତରରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଗୃହ ଓ ନଗର ଉନ୍ନୟନ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉଭୟ ବିଭାଗର  ବରିଷ୍ଠ ଅଧିକାରୀମାନେ ଏଥିରେ ଯୋଗ ଦେଇ ନିଜ ନିଜର ମତାମତ ଦେଇଥିଲେ । ଶ୍ରୀମତୀ ପାଢ଼ୀ ଏହି ଉତ୍ସବକୁ ଅର୍ଥପୂର୍ଣ୍ଣ, ଅନ୍ତର୍ଭୁକ୍ତି ଓ ପ୍ରଭାବଶାଳୀ ଭାବେ ଆୟୋଜନ କରିବା ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସରକାରଙ୍କ ଏକ ବର୍ଷର ସଫଳତା ବିବରଣୀ ଏହି ଅବସରରେ ରାଜ୍ୟବାସୀଙ୍କ ସମ୍ମୁଖରେ ଉପସ୍ଥାପନ କରିବାକୁ ପରାମର୍ଶ ଦେଇଥିଲେ । ଜନସାଧାରଣ ସମ୍ପର୍କ କାର୍ଯ୍ୟକ୍ରମରେ ସମସ୍ତ ୧୧୫ ଅର୍ବନ୍ ଲୋକାଲ ବଡି (ୟୁଏଲ୍ବି), ଆରଟିଓ ଅଞ୍ଚଳ ଓ ବନ୍ଦର କ୍ଷେତ୍ରରେ ଉନ୍ନତି ଉପଲବ୍ଧି ବିଷୟରେ ଅବଗତ କରିବା, ପ୍ରଦର୍ଶନୀ ଓ ମଲ୍ଟିମିଡିଆ ଅଭିଯାନ ମାଧ୍ୟମରେ ସଫଳ କାହାଣୀ ଓ ନବ ଚେତନାତ୍ମକ ପ୍ରୟାସଗୁଡିକୁ ଦେଖାଇବା ଆଦି ଉପରେ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ସଚିବ ପରାମର୍ଶ ଦେଇଥିଲେ । ଏହାରି ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମ୍ମାନିତ କରୁଥିବା ଅନୁଷ୍ଠାନ, ବିଭିନ୍ନ କ୍ଷେତ୍ରରେ ଅବଦାନ ରଖିଥିବା ବ୍ୟକ୍ତିମାନଙ୍କୁ ସମ୍ମାନିତ କରିବା ଆଦି ଅନ୍ତର୍ଭୁକ୍ତ । ଏକ ସଂପୂର୍ଣ୍ଣ କାର୍ଯ୍ୟକ୍ରମ କ୍ୟାଲେଣ୍ଡର ତିଆରି କରିବା ଏବଂ ଏହି ଉତ୍ସବର ସଫଳତା ପାଇଁ ସମସ୍ତ ବିଭାଗ ଓ ସହଯୋଗୀଙ୍କ ମଧ୍ୟରେ ଘନିଷ୍ଠ ସମନ୍ୱୟ ରଖିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।