କଂଗ୍ରେସ ଉପରେ ବର୍ଷିଲେ ମୋଦୀ ‘ପ୍ରତିଶ୍ରୁତି ଦେବା ସହଜ, ପୂରଣ କରିବା କଷ୍ଟ'

ନୂଆଦିଲ୍ଲୀ: କଂଗ୍ରେସ ଓ ବିଜେପି ମଧ୍ୟରେ ଚାଲିଛି ବାକ୍ ଯୁଦ୍ଧ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନିର୍ବାଚନୀ ପ୍ରତିଶ୍ରୁତି ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଉପରେ ବହୁତ ବର୍ଷିଛନ୍ତି । ମୋଦୀ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କଂଗ୍ରେସର ନିର୍ବାଚନ ପ୍ରତିଶ୍ରୁତି ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ ଲେଖିଛନ୍ତି କଂଗ୍ରେସ ଦଳ ଏବେ ହୃଦୟଙ୍ଗମ କରୁଛି ଯେ ମିଥ୍ୟା ପ୍ରତିଶ୍ରୁତି ଦେବା ସହଜ, କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା ବହୁତ କଷ୍ଟକର । ପ୍ରତ୍ୟେକ ଅଭିଯାନରେ ସେମାନେ ଲୋକମାନଙ୍କୁ ଏପରି ପ୍ରତିଶ୍ରୁତି ଦିଅନ୍ତି । ସେ ଉଲ୍ଲେଖ କରି ଲେଖିଛନ୍ତି ଯେ, କଂଗ୍ରେସର କଲଚରରେ ମିଛ ପ୍ରତିଶ୍ରୁତି ରହିଛି । ଯାହା ସେମାନେ ଜାଣନ୍ତି ଯେ ସେମାନେ କଦାପି ଏହାକୁ କାର୍ଯ୍ୟକାରୀ କରିବାକୁ ସମର୍ଥ ହେବେ ନାହିଁ । ଜନସାଧାରଣଙ୍କ ସମ୍ମୁଖରେ ସେମାନେ ନିନ୍ଦିତ ହେବାରେ ଲାଗିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ଲେଖିଛନ୍ତି ଯେ, ଆଜି ଯେଉଁ ରାଜ୍ୟରେ କଂଗ୍ରେସ କ୍ଷମତାରେ ଅଛି ହିମାଚଳ ପ୍ରଦେଶ, କର୍ଣ୍ଣାଟକ ଏବଂ ତେଲେଙ୍ଗାନା ବିକାଶର ଦିଗ ଦିନକୁ ଦିନ ଖରାପ ହେବାରେ ଲାଗିଛି । ସେମାନଙ୍କର ନିର୍ବାଚନ ପୂର୍ବର ଗ୍ୟାରେଣ୍ଟି ଗୁଡିକ ଅସମ୍ପୂର୍ଣ୍ଣ ରହିଛି । ଯାହାକି ଏହି ରାଜ୍ୟ ଗୁଡିକର ଲୋକମାନଙ୍କ ପ୍ରତି ଏକ ବିଶ୍ୱାସଘାତକତା । ଏଭଳି ରାଜନୀତିର ଶିକାର ହେଉଛନ୍ତି ଗରିବ, ଯୁବକ, କୃଷକ ଏବଂ ମହିଳା । ଯେଉଁମାନେ କେବଳ ପ୍ରତିଶ୍ରୁତିର ଲାଭରୁ ବଞ୍ଚିତ ନୁହଁନ୍ତି, ବରଂ ସେମାନଙ୍କ ପାଇଁ ଚାଲୁଥିବା ଯୋଜନାଗୁଡ଼ିକ ମଧ୍ୟ ଦୁର୍ବଳ ହୋଇଯାଉଛି । ତେଣୁ କଂଗ୍ରେସ ତାର ଭୁଲକୁ ସୁଧାରୁ । ଏପରି ସୋସିଆଲ୍ ମିଡିଆରେ ନିଜର ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ମୋଦୀ ପ୍ରକାଶ କରିଛନ୍ତି ।