୮୩ତମ ସହିଦ୍ ଦିବସ ପାଳିତ
ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମରେ ଯାଜପୁର ଜିଲ୍ଲାର ଅବଦାନ ବିଶେଷ ମହତ୍ୱ ରଖେ । ସ୍ୱାଧୀନତା ସଂଗ୍ରାମରେ ଯାଜପୁର ଜିଲ୍ଲାର ୪ ଜଣ ମହାନ ଦେଶ ଭକ୍ତ ଦେଶ ପାଇଁ ସହିଦ ହୋଇଛନ୍ତି । ସେମାନେ ସମସ୍ତେ ବରୀ ଅଞ୍ଚଳର । ଏହି ମହାନ ଦେଶ ଭକ୍ତ ମାନେ ହେଲେ ସାଉଁଟି ମଳିକ, ସାନନ୍ଦ ସ୍ୱାଇଁ, ହାଡିବନ୍ଧୁ ପଣ୍ଡା ଓ ମାୟାଧର ଭୂୟାଁ । ହେଲେ ବିଡମ୍ବନାର ବିଷୟ ଯେ ଏହି ସହିଦମାନଙ୍କର ବଳିଦାନକୁ ମନେ ରଖିବା ପାଇଁ ଉପଯୁକ୍ତ ପଦକ୍ଷେପ ଏ ପର୍ଯ୍ୟନ୍ତ ନିଆଯାଇନାହିଁ କିମ୍ବା ସେମାନଙ୍କ ସ୍ମୃତିରକ୍ଷା ପାଇଁ ଏ ପର୍ଯ୍ୟନ୍ତ କିଛି ଠୋସ୍ କାର୍ଯ୍ୟକ୍ରମ ସରକାରଙ୍କ ତରଫରୁ ନିଆଯାଇନାହିଁ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ଶନିବାର ଦିନ ମତବ୍ୟକ୍ତ କରିଛନ୍ତି ।
ଭୁବନେଶ୍ୱରସ୍ଥ ସହିଦ ସ୍ମୃତି ପରିଷଦ ଦ୍ୱାରା ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ ଡକ୍ଟର ସର୍ବେଶ୍ୱର ଶତପଥୀଙ୍କ ସଭାପତିତ୍ୱ ତଥା ଅନୁଷ୍ଠାନର ଉପସଭାପତି ରବି ରାୟଙ୍କ ଆବାହାକତ୍ୱରେ ଆୟୋଜିତ ୮୩ ତମ ସହିଦ ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବରୀ ବିଧାୟକ ବିଶ୍ୱରଂଜନ ମଲ୍ଲିକ କହିଲେ ଯେ ସହିଦମାନଙ୍କର ଉପଯୁକ୍ତ ସ୍ମୃତି ରକ୍ଷାର କରିପାରିଲେ ତାହା ବର୍ତ୍ତମାନ ଓ ଉତ୍ତରପିଢିକୁ ଦେଶପ୍ରେମ ଓ ଜାତୀୟତାବୋଧ ଭାବନାରେ ବିଜଡିତ କରିଥାଏ ।
ମୁଖ୍ୟବକ୍ତା ଭାବରେ ଯୋଗଦେଇ ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ନିଦେ୍ର୍ଦଶକ ସରୋଜ କୁମାର ସାମଲ ସ୍ୱାଧୀନତା ସଂଗ୍ରାମରେ ବରୀ ଅଞ୍ଚଳର ସଂଗ୍ରାମୀମାନଙ୍କର ଭୂମିକା ଉପରେ ଆଲୋକପାତ କରି କହିଲେ ଯେ ଏଠାକାର ସଂଗ୍ରାମ ସାରା ଓଡିଶାରେ ଜାତୀୟତାବୋଧ ଭାବନା ସୃଷ୍ଟି କରିବା ସହିତ ରାଜ୍ୟରେ ବ୍ରିଟିଶମାନଙ୍କ ବିରୋଧରେ ଦୃୃଢ ଆନେ୍ଦାଳନ କରିବା ପାଇଁ ପ୍ରେରିତ କରିଥିଲା ।ସମ୍ମାନିତ ବକ୍ତା ଭାବରେ ଯୋଗଦେଇ ବରିଷ୍ଠ ସମ୍ବାଦିକ ଅକ୍ଷୟ କୁମାର ସାହୁ କହିଲେ ଯେ ରାଜ୍ୟସରକାର ଏହି ସହିଦମାନଙ୍କର ଉପଯୁକ୍ତ ସ୍ମୃତିରକ୍ଷା କରିପାରିଲେ, ତାହା ହିଁ ହେବ ସେମାନଙ୍କ ଲାଗି ଶ୍ରେଷ୍ଠ ଶ୍ରଦ୍ଧାଞ୍ଚଳି । ବିଶିଷ୍ଟ ସାହ୍ୟିତିକ ପୂର୍ବତନ ମନ୍ତ୍ରୀ ଶରତ ରାଉତ, ଶରତ ବିଶ୍ୱାଳ, ଡକ୍ଟର ଗୌରାଙ୍ଗ ପରିଡା, ଅନୁଷ୍ଠାନର ସମ୍ପାଦକ ରମେଶ ମହାନ୍ତି ପ୍ରମୁଖ ସହିଦମାନଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।