କାଶତଣ୍ଡୀର ଆଗମନରେ ଧରାପୃଷ୍ଠ ଆନମନା : ଆରମ୍ଭ ହେଲା ପାର୍ବଣ ଋତୁ, ଅବତରଣ କରିବେ ମା’

ଗୋଲାମୁଣ୍ଡା: କାଶତଣ୍ଡୀକୁ ଦେଖିଲେ ଶରତ ଋତୁର ଆଗମନ ଏବଂ ପାର୍ବଣ ଋତୁର ଆରମ୍ଭବୋଲି ସାରା ଜଗତ ଜାଣିଥାନ୍ତି । ଚଳିତବର୍ଷ ଅଗଷ୍ଟ ୨୭ରେ ଗଣେଶ ଚତୁର୍ଥୀ ଓ ୨୮ରେ ନୂଆଖାଇ ଥିବାବେଳେ ଏଠାରୁ ଆରମ୍ଭହୋଇଯିବ ପାର୍ବଣ ଋତୁ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ପାର୍ବଣ ଋତୁର ଅୟମାରମ୍ଭ ପୂର୍ବରୁ ପସରା ମେଲିଛି କାଶତଣ୍ଡୀ । ଏ ବର୍ଷ ଟିକେ ଆଗରୁ ଧରିତ୍ରୀ ବୁକୁରେ କାଶତଣ୍ଡୀ ଶୋଭା ପାଉଥିବା ବେଳେ ଦୁର୍ଗା ପୂଜା ହେବାକୁ ଆଉ କିଛି ଦିନ ବାକି ରହିଛି । ଆଶ୍ୱିନ ମାସରେ ଧରାବତରଣ କରିବେ ଜଗତଜନନୀ । ଏବେ ଗୋଲାମୁଣ୍ଡା ସମେତ କଳାହାଣ୍ଡିଜିଲ୍ଲାର ବିଭିନ୍ନ ସ୍ଥାନରେ କାଶତଣ୍ଡୀର ଶୋଭା ସମ୍ଭାର ଦେଖିବାକୁ ମିଳିଛି । ନଦୀର କୁଳୁକୁଳୁ ନାଦ, ସୁଲୁସୁଲିଆ ପବନରେ ପରିବେଶକୁ ପୁଲକିତ କରୁଛି କାଶତଣ୍ଡୀ । ଧଳା ଚାମର ଧରି ପାର୍ବଣଋତୁକୁ ସ୍ୱାଗତ କରିବା ସହିତ କାଶତଣ୍ଡୀ ଯେମିତି ମା' ଦୁର୍ଗାଙ୍କ ଆଗମନକୁ ଅପେକ୍ଷା କରି ରହିଛି । ଆକାଶର ନୀଳ ବଣ୍ଡାଜ୍ୟରେ ଖଣ୍ଡ ଖଣ୍ଡ ବାଦଲ ତଳେ ବସୁମତି ଦେହରେ ଧଳାଫୁଲ ଓ ସବୁଜ ବନାନୀକୁନେଇ ପ୍ରକୃତିର ଶୋଭା ବଢ଼ାଉଛି ଏହି ଅପୂର୍ବ ପୁଷ୍ପ । ଏବେ ପ୍ରକୃତିର ଏହି ଭରପୁର ମନୋହର ଦୃଶ୍ୟ ଦେଖି ଆନନ୍ଦରେ ବିଭୋର ହୋଇ ଉଠୁଛି ତନୁମନ । ସବୁ ନଦନଦୀ, କୃଷି କ୍ଷେତ୍ରର ହୁଡ଼ା, ଜଙ୍ଗଲ ପର୍ବତର ବିସ୍ତୀର୍ଣ୍ଣ ଭୂଭାଗରେ କାଶତଣ୍ଡୀର ପସରା । ଏହାକୁ ଦେଖି ଯିଏ ହେଲେ କିଛି ସମୟ ଅଟକି ଯାଉଛି । ଧଳା ରଙ୍ଗକୁ ଶାନ୍ତିର ପ୍ରତୀକ ଭାବେ ବିବେଚନା କରାଯାଏ । ତେଣୁ କାଶତଣ୍ଡୀ ସାରା ସଂସାରରେ ବିଞ୍ଚି ଚାଲିଛି ସତ୍ୟ ଓ ଶାନ୍ତିର ବାର୍ତ୍ତା । ପ୍ରକୃତି ରାଣୀ କାଶତଣ୍ଡୀର ଧଳା ଚଦରରେ ନିଜକୁ ଘୋଡାଇ ନେଇଛି । ସତରେ ମନକୁ ବିମୋହିତ କରିବା ଭଳି ଦୃଶ୍ୟ । ଯାହାକୁ ଥରେ ଦେଖିଲେ ମନ ପ୍ରଫୁଲ୍ଲିତ ହେବା ସହ ମନକୁ ଅପୂର୍ବ ଆନନ୍ଦ ଦେଇଥାଏ ।