କମିଲା ବର୍ଷା, ଖସିଲା ନଦୀ
ଭୁବନେଶ୍ୱର : ସାରା ରାଜ୍ୟରେ ବର୍ଷାର ପ୍ରକୋପ ହ୍ରାସପାଇଛି । ଫଳରେ ଅନେକ ନଦୀର ଜଳସ୍ତର ଖସିଯାଇଛି । ଅପରପକ୍ଷରେ ବନ୍ୟାପ୍ଳାବିତ ଅଞ୍ଚଳରେ ପାଣି ଖସିଯାଇଥିଲେବି ଲୋକଙ୍କ ଦୁର୍ଦ୍ଦଶା କିନ୍ତୁ କମିନାହିଁ । ଏବେବି ଲୋକମାନେ ଦହଗଞ୍ଜ ହେଉଛନ୍ତି । ତେବେ ବନ୍ୟାର ପ୍ରକୋପ କମିଯିବା ଲୋକଙ୍କୁ କିଛିମାତ୍ରାରେ ଆଶ୍ୱସ୍ତ କରିଛି ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତାକାଲି ମୟୂରଭଞ୍ଜର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ଘଣ୍ଟାପ୍ରତି ଝଟକାପବନ ୩୦ରୁ ୪୦ କିମି ବେଗରେ ବହିବା ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିର ଗୋଟିଏ ବା ଦୁଇଟି ସ୍ଥାନରେ ୩୦ର ୪୦ କିମି ବେଗରେ ବହିବା ସହ ବଜ୍ରପାତର ସମ୍ଭାବନା ଅଛନ୍ତି । ଏହିସବୁ ଜିଳ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଅପରପକ୍ଷରେ ବର୍ଷା କମି ଯାଇଥିବାରୁ ନଦୀର ଜଳସ୍ତର ବି ହ୍ରାସ ପାଇବାରେ ଲାଗିଛି । ମହାନଦୀ କମିଥିଲେ ବି ନରାଜ ନିକଟରେ ବିପଦସଂକେତ ପାଖାପାଖି ରହିଛି । ହୀରାକୁଦର ୨୦ ଗେଟ୍ ଖୋଲାଥିବାରୁ ତାହା ଉପରେ ସତର୍କ ଦୃଷ୍ଟି ରଖାଯାଇଛି । ଇନ୍ଦୁପୁର ଠାରେ ବ୍ରାହ୍ମଣୀ ବଢୁଛି । ବିପଦସଂକେତ ଠାରୁ ଏହା ୧ ମିଟର ତଳେ ପ୍ରବାହିତ ହେଉଛି । ଅପରପକ୍ଷରେ ଅନ୍ୟସବୁ ନଦୀର ଜଳସ୍ତର ବିଭିନ୍ନ ଗଜ ଷ୍ଟେସନରେ ସ୍ଥିର ଅଥବା ହ୍ରାସ ପାଉଥିବା ପରିଲକ୍ଷିତ ହେଉଛି । ଆଗାମୀ ଅଗଷ୍ଟ ୩ ପର୍ଯ୍ୟନ୍ତ ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଓଡ଼ିଶାର କିଛି ଜିଲ୍ଲାରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ତେବେ କୌଣସି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇନାହିଁ ।