ନିଜେ ନିଜକୁ ନିଅାଁ ଲଗାଇଥିଲେ ବଳଙ୍ଗା ପୀଡ଼ିତା
ଭୁବନେଶ୍ୱର : ବଳଙ୍ଗା ପୀଡ଼ିତା ନିଜେ ନିଜ ଉପରେ କିରୋସିନି ଢାଳି ନିଅାଁ ଲଗାଇ ଦେଇଥିଲେ । ପୀଡିତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀରେ ଲିପିବଦ୍ଧ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଘଟଣାରେ ୩ ଜଣ ଦୁର୍ବୃତ୍ତଙ୍କ ସମ୍ପୃକ୍ତି ବୋଲି ପୀଡ଼ିତା ବୟାନ ଦେଇଥିଲେ କି, ଅନ୍ୟ କେହି ସାକ୍ଷୀ ନଥିବା ଜାଣି ପୁଲିସ ପ୍ରକୃତ ଅପରାଧୀକୁ ସୁରକ୍ଷା ଦେବା ପାଇଁ ଚେଷ୍ଟା କରି ଥିଲା କି ? ବୋଲି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଜୁଲାଇ ୧୯ ତାରିଖରେ ପୁରୀ ନୂଆ ଗୋପାଳପୁର, ବଳଙ୍ଗା ନିବାସୀ ହିମତ ଅଲିଙ୍କ ପତ୍ନୀ (ପୀଡ଼ିତାଙ୍କ ମାଆ) ବଳଙ୍ଗା ଥାନାରେ ଅଭିଯୋଗ କରିଥିଲେ ଯେ, କିଛି ଅଜଣା ବ୍ୟକ୍ତି ତାଙ୍କ ଝିଅକୁ ବଳପୂର୍ବକ ନଦୀ କୂଳକୁ ନେଇ କିରୋସିନ୍ ଓ ପେଟ୍ରୋଲ ଢାଳି ହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଏହି ଆଧାରରେ ବଳଙ୍ଗା ଥାନା ମାମଲା ସଂଖ୍ୟା ୧୬୨/୨୦୨୫ ରୁଜୁ କରାଯାଇ ତଦନ୍ତ କରାଯାଇଥିଲା । ସ୍ଥାନୀୟ ଗ୍ରାମବାସୀମାନେ ପୀଡ଼ିତା ଝିଅକୁ ପୋଡ଼ିଯାଇଥିବା ଅବସ୍ଥାରେ ପିପିଲି ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ ଓ ସେହି ଦିନ ପୀଡ଼ିତାଙ୍କୁ ଭୁବନେଶ୍ୱର ଏମ୍ସକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା । ପରବର୍ତ୍ତୀ ସମୟରେ ଜୁଲାଇ ୨୦ ତାରିଖରେ ପୀଡ଼ିତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ସରକାରଙ୍କ ତରଫରୁ ବିମାନ ଯୋଗେ ଦିଲ୍ଲୀର ଏମ୍ସ୍କୁ ପଠାଯାଇଥିଲା । ଦିଲ୍ଲୀ ଏମ୍ସରେ ପ୍ରାୟ ୧୪ ଦିନ ଚିକିତ୍ସା ଚାଲିଥିବାବେଳେ ଅଗଷ୍ଟ ୨ ତାରିଖରେ ପୀଡ଼ିତା ମୃତ୍ୟୁବରଣ କରିଥିଲେ । ମୃତ୍ୟୁ ପୂର୍ବରୁ ପୀଡ଼ିତାଙ୍କ ଜମାନବନ୍ଦୀ ସାଉଥ୍ ଡିଷ୍ଟ୍ରିକ କୋର୍ଟ ନମ୍ବର-୩୭, ସକେଟ୍ ନୂଆଦିଲ୍ଲୀଙ୍କ ଦ୍ୱାରା ଧାରା ୧୮୩ ବିଏନ୍ଏସ୍ଏସ୍ ଅନୁଯାୟୀ ଲିପିବଦ୍ଧ କରାଯାଇଥିଲା । ଏତଦ୍ବ୍ୟତୀତ ଏମ୍ସର ଚିକିତ୍ସା କରୁଥିବା ଡାକ୍ତର ପୀଡ଼ିତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଲିପିବଦ୍ଧ କରିଥିଲେ । ଉଭୟ ଜମାନବନ୍ଦୀରେ ପୀଡ଼ିତା କହିଲେ ଯେ, ସେ ନିଜେ ନିଜ ଉପରେ କିରୋସିନ୍ ଢାଳି ନିଆଁ ଲଗାଇ ଦେଇଥିଲେ । ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ତଦନ୍ତ ପରିସମାପ୍ତି ପରେ ଏହି ମାମଲାକୁ ଫାଇନାଲ୍ ରିପୋର୍ଟ ମିଷ୍ଟେକ୍ ଅଫ୍ ଫ୍ୟାକ୍ଟ ଭାବରେ ବଳଙ୍ଗା ଥାନା ଫାଇନାଲ୍ ଫର୍ମ ନମ୍ବର ୧୭୧ ସେପ୍ଟେମ୍ବର ୧୭ ତାରିଖରେ ଧାରା ୧୨୭(୨)/୧୦୯/୧୨୩/୩ (୫) ବିଏନ୍ଏସ୍ ଅନୁଯାୟୀ କୋର୍ଟରେ ଦାଖଲ କରାଯାଇଛି ବୋଲି ତଥ୍ୟରେ ଦିଆଯାଇଛି।