ବାଟରୁ ଫେରେଇ ଦେଇଥିଲେ ପାଖରେ କୋଳେଇ ନେଲେ ; ୩ମାସ କସରତ ପରେ ପଦ୍ମ ଧରିଲେ ବିଷ୍ଣୁ 

ଯାଜପୁର : ତିନି ମାସ ତଳେ ପଟୁଆର ନେଇ ବିଜେପିରେ ମିଶିବାକୁ ଯାଇଥିଲେ । କିନ୍ତୁ ବାଟରୁ ଫେରେଇ ଦେଇଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ପଟୁଆରରେ ଯାଇଥିବା ବିଷ୍ଣୁ ଚରଣ ମହାପାତ୍ର ଏବଂ ତାଙ୍କ ସମର୍ଥକ ଧର୍ମଶାଳା ମଞ୍ଚରେ ବସି ଫେରିଥିଲେ । ସେ ସମୟରେ ଆଶଙ୍କା ପ୍ରକାଶ ପାଇଥିଲା ବିଷ୍ଣୁଙ୍କୁ ବିଜେପି କୋଳେଇ ନେଉଛି ନା ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିବ  । ଦୁର୍ନୀତିରେ ଲିପ୍ତ ଅଭିଯୋଗ ବିଜେଡିରୁ ନିଲମ୍ବିତ ହୋଇଥିବା ବିଷ୍ଣୁଙ୍କୁ ବାଟରୁ ଫେରେଇ ଦେଇଥିବା ବିଜେପି ପାଖରେ ପହଞ୍ଚି କୋଳେଇ ନେଇଛି । ଗୁରୁବାର ବିଞ୍ଜାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନନ୍ଦିପୁର ଠାରେ ବିଜେପି ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ରାଜ୍ୟ ସଭାପତି ମନମୋହନ ସାମଲ ବିଷ୍ଣୁ ଚରଣଙ୍କୁ ଉତ୍ତରୀୟ ଓ ଦଳୀୟ ଟୋପି ପିନ୍ଧାଇ ବିଜେପିରେ ସାମିଲ କରାଇଥିଲେ। ବିଜେଡିରୁ ବହିଷ୍କୃତ ପରେ ପଦ୍ମ ଧରିବାକୁ ବିଷ୍ଣୁଙ୍କୁ ୩ ମାସ କସରତ କରିବାକୁ ପଡ଼ିଥିଲା । ବିଷ୍ଣୁ ଚରଣ ପଦ୍ମଧରିବା ପରେ ବିଜେପିକୁ କେତେ ବଳ ମିଳିବ ତାହା ଭିନ୍ନକଥା କିନ୍ତୁ ସବୁ ଅପେକ୍ଷା ଏବଂ ବାଦବିବାଦର ପୂର୍ଣ୍ଣଛେଦ ପଡ଼ିଲା ବୋଲି କୁହାଯାଇପାରିବ । ବିଜେଡ଼ିରୁ ବିଦା ପରେ ବିଜେପିରେ ସାମିଲ୍‌ ହେବା ପରେ ବିଷ୍ଣୁ ଚରଣ ଦୁଇ ଦୁଇ ଥର ସାମିଲ୍‌ ହେବାକୁ ଯାଇ ନିରାଶ ହୋଇଥିଲେ । କାରଣ ନନ୍ଦିପୁର ଓ ବିରୁହାର ପୁରୁଣା ଓ ଆଗ ଧାଡ଼ିର ବିଜେପି କର୍ମୀ ବିଷ୍ଣୁଙ୍କୁ ବିରୋଧ କରିଆସୁଥିଲେ  । ଆଉ ସମବାୟ ଦୁର୍ନୀତିରେ ଅର୍ଥ ହେରଫେର, ନନ୍ଦିପୁର ପଂଚାୟତ ପୋଡି ଘଟଣା ଓ ବିରୁହା ଓ ନନ୍ଦିପୁର ପଂଚାୟତରେ ମନରେଗା ଦୁର୍ନୀତିରେ ସାମିଲ୍‌ ବୋଲି ଅଭିଯୋଗ ଆଣିଥିଲେ ପୁରୁଣା ବିଜେପି କର୍ମୀ । ହେଲେ ଏଭଳି ଅଭିଯୋଗକୁ ଏଡେ଼ଇ ଦେଇ ବିଷ୍ଣୁ ଚରଣଙ୍କୁ କୋଳେଇ ନେଇଛି ବିଜେପି । ଅପରପକ୍ଷରେ ବିଷ୍ଣୁ ଚରଣଙ୍କ ବିଜେପିରେ ଯୋଗଦାନକୁ ନେଇ କଟାକ୍ଷ କରିଛନ୍ତି ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲିକ । ବିଜେପି ସର୍ବଦା ଦୁର୍ନୀତିକୁ ବିରୋଧ କରେ କହି ଲୋକଙ୍କୁ ଭୁଆଁ ବୁଲାଇ ଭୋଟ ହାତେଇଛି  । ହେଲେ ଅନେକ ଦୁର୍ନୀତିରେ ସାମିଲ୍‌ ଥିବା ବିଷ୍ଣୁ ଚରଣଙ୍କୁ ଜାଣି ତଡ଼ି ଦେଲୁ ଆଉ ବିଜେପି କୋଳେଇ ନେବାକୁ ଆଗଭର ହୋଇଗଲା । ତେବେ ଦୁର୍ନୀତିକୁ ବିରୋଧ କରୁଥିବା ଦଳ ଦୁର୍ନୀତି ଖୋରଙ୍କୁ କୋଳେଇ ନେଉଛି କେମିତି ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା । ବିଷ୍ଣୁ ଚରଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ଆଗାମୀ ଦିନରେ ସରକାରଙ୍କୁ ଘେରିବା ସହ ବିଧାନସଭାରେ ଏପ୍ରସଙ୍ଗକୁ ଉପସ୍ଥାପନ କରିବ ବୋଲି ପ୍ରମିଳା କହିଛନ୍ତି । ନିଜ ଦୁର୍ନୀତିକୁ ବଞ୍ଚାଇବା ପାଇଁ ବିଜେପି ଶରଣରେ ବିଷ୍ଣୁ ଲୁଚୁଥିବା ବିଜେଡି କହିଛି । ତେବେ ବିଷ୍ଣୁ ଚରଣଙ୍କ ମିଶ୍ରଣ ପରେ ବିଞ୍ଝାରପୁରରେ ବିଜେପିର କେତେ ଉନ୍ନତି ହେଉଛି କେବଳ ସମୟ ସାପେକ୍ଷ ।