ବଜ୍ରାଘାତରେ ଦୁଇ ଚାଷୀ ଗୁରୁତର

 କୁଆଖିଆ : ବୁଧବାର କାଳବୈଶାଖୀ ଯୋଗୁଁ ରସୁଲପୁର ବ୍ଲକର ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ବେଳେ ଚାଷ ଜମିରେ କାମ କରୁଥିବା ଦୁଇ ଜଣ ଚାଷୀ ଗୁରୁତର ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ସୁଚନା ଅନୁଯାୟୀ ଏହି ବ୍ଲକ ଅନ୍ତର୍ଗତ ବଡ଼କଇଁଚି ପଞ୍ଚାୟତର ନିରଞ୍ଜନ ସାହୁ ଓ ଅଭିମନୁ୍ୟ ମଲିକ୍ ବିଲରେ କାକୁଡ଼ି ମଂଚା ସଜାଡୁ ଥିବା ସମୟରେ କାଳବୈଶାଖୀ ମାଡି ଆସିଥିଲା । ପ୍ରଚଣ୍ଡ ପବନ ସାଙ୍ଗକୁ ବର୍ଷା ଆରମ୍ଭ ହେବା ଦେଖି ସେମାନେ ବିଲରେ ଥିବା ଏକ ବୋରିଂ ହାଉସରେ ଆଶ୍ରୟ ନେଇଥିଲେ । କିନ୍ତୁ ଏଇ ସମୟରେ ପ୍ରଚଣ୍ଡ ବଜ୍ରପାତ ହେବା ଫଳରେ ହେବା ଉଭୟଙ୍କୁ ଆଘାତ ଲାଗିଥିଲା । ଯାହା ଫଳରେ ନିରଞ୍ଜନ ଓ ଅଭିମନୁ୍ୟ ସଂଜ୍ଞାହୀନ ହୋଇ ପଡିଥିଲେ । ନିକଟରେ ଥିବା ନିରଞ୍ଜନଙ୍କ ପୁଅ ଘରକୁ ଖବର ଦେଇ ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ନିମନ୍ତେ ମଧୁବନ ମେଡ଼ିକାଲ ନେଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା । ନିରଞ୍ଜନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ଅଭିମନୁ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।