ପ୍ରଶାସନର ଦୃଷ୍ଟି ଆଢୁଆଳରେ କଳାକାର: ଜଗବନ୍ଧୁ ମିଳୁନି କଳାକାର କି ବରିଷ୍ଠ ନାଗରିକ ଭତ୍ତା

ଦାନଗଦୀରୁ ଶ୍ରୀକାନ୍ତ ମହାପାତ୍ର  : କଥାରେ ଅଛି କିଏ କେବେ ଦେଖିଛ କି କଳାକାର କାନ୍ଦିବାର । ଯେଭଳି ବଣର ମଲ୍ଲୀ ବଣରେ ଫୁଟି ମଉଳି ଯାଏ ସେପରି ଦାନଗଦୀ ବ୍ଲକ ଅନ୍ତର୍ଗତ ଚିତ୍ରୀ ପଞ୍ଚାୟତର ବର୍ଷୀୟାନ କଳାକାର ଆଜି ରହିଯାଇଛନ୍ତି ପ୍ରଶାସନର ଦୃଷ୍ଟି ଆଢୁଆଳରେ । ତାଙ୍କ ଦୁଃଖ ଶୁଣିବାକୁ କେହି ଯେପରି ନାହାଁନ୍ତି । ନାଁ ତାଙ୍କର ଜଗବନ୍ଧୁ କାଣ୍ଡି । କିନ୍ତୁ ସବୁଠି ତାଙ୍କୁ କଳାକାଣ୍ଡି କହିଲେ ଜାଣନ୍ତି । କାରଣ ସେ ଜଣେ କଳାର ଗନ୍ତାଘର । କଳାକାଣ୍ଡି ନାଁ ହିଁ ଯଥେଷ୍ଟ । ଏବେ ମଧ୍ୟ ବାର୍ଦ୍ଧକ୍ୟରେ ସେ ଚଳଚଂଚଳ । ଜଗବନ୍ଧୁ କାଣ୍ଡି (୮୬) ଚିତ୍ରୀ ପଞ୍ଚାୟତର ନୁଆସାହିରେ ରୁହନ୍ତି । ଶ୍ରୀକୃଷ୍ଣଙ୍କ ସହସ୍ର ନାମ, ଦଶ ଅବତାର ଜପ କରି ନିଜର ଥିବା ପୁରୁଣା ସାଇକେଲରେ ବାହାରି ପଡନ୍ତି ଗାଁ କୁ ଗାଁ । ସେ ଜୀବନରେ ଜଣେ ନାମକରା ଶିଳ୍ପୀ ଭାବରେ ଜଣାଶୁଣା, ମାଟି ମୂର୍ତ୍ତିୀ, ସିମେଣ୍ଟ ମୂର୍ତ୍ତି, ମନ୍ଦିର ନିର୍ମାଣ ଓ ଚିତ୍ରକର ଭାବେ ଜୀବନ ବ୍ୟାପୀ ଯାଜପୁର ଜିଲ୍ଲା ସହ ପଡୋଶୀ କେନ୍ଦୁଝର, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା ଓଡିଶା ସାରା ବୁଲି ନିଜର ଯାଦୁକର ହାତରେ ମୂର୍ତୀ ଗୁଡିକୁ ଜୀବନ୍ତ ରୂପ ଦେଇ ବହୁତ ପ୍ରଶଂସା ସାଉଁଟିଛନ୍ତି । ତାଙ୍କର ଅନ୍ୟ ଏକ ପରିଚୟ ହେଲା ସେତେ ବେଳେ ମାତ୍ର ତୃତୀୟ ପର୍ଯ୍ୟନ୍ତ ପାଠ ପଢିଥିବା ଜଗବନ୍ଧୁ ଯାହାକୁ ଦେଖିବେ ତାଙ୍କୁ ଦେଖି ଗୀତ ବୋଲି ଦେବେ । ସେ ଦାନଗଦୀ ଅଞ୍ଚଳରେ ଆଶୁକବି ଭାବେ ପରିଚିତ । ଆଉ ଏକ ତାଙ୍କର ପ୍ରତିଭା ହେଲା ସେ ସୁନ୍ଦର ଭାବେ ବିଭିନ୍ନ ସ୍ୱରରେ ବଂଶୀ ବାଦନ କରନ୍ତି ଓ ନିଜେ ବଂଶୀ ତିଆରି କରନ୍ତି । ଦାସକାଠିଆ, କେନ୍ଦରା, ମୃଦଙ୍ଗ, ତବଲା, ହାରମୋନୀୟମ ବଜାଇ ବିଭିନ୍ନ ପୌରାଣିକ ଗୀତ ଓ ପଲ୍ଲୀ ଅଂଚଳର ନିଜ ସ୍ୱ-ରଚିତ ଗୀତ ଗୁଡିକୁ ଗାନ କରନ୍ତି । ତେଣୁ ସାଇକେଲରେ ସେ ଯେଉଁ ଗାଁକୁ ଯାଆନ୍ତି ସେଠାରେ ପିଲାମାନଙ୍କ ଠାରୁ ବୟସ୍କ ଲୋକ ତାଙ୍କ ସୁ-ମଧୁର ସ୍ୱରରେ ଗୀତ ଶୁଣିବା ପାଇଁ ତାଙ୍କ ଚାରିପଟେ ଭିଡ଼ ଜମାନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ କଥା ଆଜିର ଦୁନିଆରେ ଗ୍ରାଜୁଏଟ ପଢିଥିବା ଯୁବକ ତାଙ୍କ ପାଖରେ ହାର ମାନି ଯିବେ ସେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ପୁରାତନ କବିଙ୍କର ରଚିତ ଛାନ୍ଦ, ଚମ୍ପୁ, ଚୌପଦୀକୁ ସୁନ୍ଦର ଭାବେ ଗାନ କରିବା ସହ ଅର୍ଥ କରି ବ୍ୟାଖ୍ୟା କରି ବୁଝାଇ ପାରନ୍ତି । ଧରଣୀଧର ଦତସ୍ମୁତି ସଂସଦ, ଶୁଭ ଶଙ୍ଖ ସାହିତ୍ୟ ସଂସଦ, ରାଜ୍ୟସ୍ତରୀୟ ପୁସ୍ତକ ମେଳା, ଅନନ୍ୟ ସାହିତ୍ୟ ସଂସଦ, ଏପରି ଅନେକ ଅନୁଷ୍ଠାନ ପକ୍ଷରୁ ସେ ଜୀବନରେ ସମ୍ବର୍ଦ୍ଧିତ ହୋଇଛନ୍ତି । କିନ୍ତୁ  ଦୁର୍ଭାଗ୍ୟର କଥା ସେ ଏବେ ବହୁତ ଦୁଃଖ କଷ୍ଟରେ କାଳାତିପାତ କରୁଛନ୍ତି । କାରଣ ତାଙ୍କର ପ୍ରକୃତ ବୟସ ଆଧାରରେ ୮୬ ଥିଲା ବେଳେ, ଭୋଟର ପରିଚୟ ପତ୍ରରେ ୮୩ । ଏଣୁ ବରିଷ୍ଠ ନାଗରିକ ଭତ୍ତା କି କଳାକାର ଭତ୍ତା ପାଇ ପାରୁନାହାନ୍ତି । ଜିଲ୍ଲାପାଳଙ୍କ ଅଫିସ, ବ୍ଲକ୍ ଅଫିସ ଦୌଡି ଦୌଡି ନିରାଶ ହୋଇ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଗୀତ ମାଧ୍ୟମରେ ନିଜର ଦୁଃଖ ଜଣାଇଛନ୍ତି । ରାଷ୍ଟ୍ରପତିଙ୍କ ଅଫିସରୁ ଚିଠି ମଧ୍ୟ ଆସିଛି । କିନ୍ତୁ କୌଣସି ଅଧିକାରୀ ଦୁଃଖ ଶୁଣୁ ନାହାନ୍ତି । ଶେଷରେ ନିରାଶ ହୋଇ ନିଜ ଦୁଃଖ କଥା ପ୍ରଶାସନ ଦୃଷ୍ଟି କୁ ଆଣିବା ପାଇଁ ସେ ଗଣ ମାଧ୍ୟମ ଜରିଆରେ ନିବେଦନ କରିଛନ୍ତି । ଓଡିଶାର କଳାକାର, ଓଡ଼ିଆ ଅସ୍ମିତା କଥା କହୁଥିବା ନେତା ମହୋତ୍ସବରେ ଅଣ ଓଡ଼ିଆ ବାହାରୁ କଳାକାରଙ୍କୁ ଡାକି ଲକ୍ଷଲକ୍ଷ ଟଙ୍କା ଉଡେଇ ଦେଉଥିବା ବେଳେ, ଏପରି ଦୃଷ୍ଟି ଆଢୁଆଳରେ ମାଟିର କଳାକାରଙ୍କୁ ରଖିବା ବଡ଼ ଦୁଃଖ ଓ ପରିତାପର ବିଷୟ । ଏବିଷୟରେ ଦାନଗଦୀ ବ୍ଲକର ବିଡିଓଙ୍କ ପଚାରିବାରୁ ସେ କହିଛନ୍ତି ସେ ଯାହା ଦରକାର ଆଉଥରେ ସବୁ ଆବେଦନ କରନ୍ତୁ ତାହା ହୋଇଯିବ । ଭୋଟର ଆଧାରରେ ବୟସ ଠିକ ଥିବା ବେଳେ, କାହିଁକି ବରିଷ୍ଠ ନାଗରିକ ଭତ୍ତା ମିଳୁନାହିଁ । ଦାନଗଦୀ ବ୍ଲକ ଅଞ୍ଚଳର ଜଣେ ପୁରାତନ କଳାକାରଙ୍କୁ ଉପଯୁକ୍ତ ସମ୍ମାନ ଦେବା ସହ ସେ ବାର୍ଦ୍ଧକ୍ୟ ବୟସରେ ବଞ୍ଚôବା ପାଇଁ ଭତ୍ତା ଯୋଗାଇ ଦେବାର ବ୍ୟବସ୍ଥା କେବେ ପ୍ରଶାସନ କରୁଛନ୍ତି ତାହା ଦେଖିବାର ଅଛି ।