କଲମ୍ବିଆରେ ବିଶ୍ୱଶାନ୍ତି ବାର୍ତ୍ତା ଦେଲେ ରବିଶଙ୍କର 

ବାରଙ୍ଗ  : ଗତ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଦେଶ ତଥା ଦେଶ ବାହାରେ ଶାନ୍ତି ଓ ପ୍ରୀତିର ବାର୍ତ୍ତା ଦେଇ ଆସୁଥିବା ଗୁରୁ ରବିଶଙ୍କର ନିକଟରେ କଲମ୍ବିଆ ଗସ୍ତ କରିଛନ୍ତି  । ଏହି ଅବସରରେ ସେଠାକାର ବୋଗୋଟା ସହର ଅନ୍ତର୍ଗତ ପ୍ରସିଦ୍ଧ ‘ପ୍ଲାଜା ଲା ସାଣ୍ଟା ମାରିଆ’ ଠାରେ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ନେଇ ହଜାର ହଜାର ସ୍ଥାନୀୟ ଲୋକ ଏକତ୍ରିତ ହୋଇଥିଲେ  । ଗୁରୁ ରବିଶଙ୍କରଙ୍କ ହସ୍ତକ୍ଷେପ ଫଳରେ ହିଁ ସେଠାରେ ଚାଲିଥିବା ଦଶନ୍ଧି ଦଶନ୍ଧି ବ୍ୟାପୀ ସଂଘର୍ଷର ପରିସମାପ୍ତି ଘଟିଥିଲା  । ଏହି ଶାନ୍ତି ପ୍ରକ୍ରିୟାରେ ଗୁରୁଦେବ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ  । ତେଣୁ ସେଠାକାର ସରକାର ତାଙ୍କୁ ବିଶେଷ ଗୁରୁତ୍ୱ ଦେଇଥିଲେ  । ଗୁରୁଦେବ କଲମ୍ବିଆ ପାର୍ଲାମେଣ୍ଟକୁ ମଧ୍ୟ ସମ୍ବୋଧିତ କରିଥିଲେ  । କଲମ୍ବିଆ ସରକାରଙ୍କ ପକ୍ଷରୁ  ରବିଶଙ୍କରଙ୍କ ଅନୁଶାସନ ଓ ବିଶ୍ୱଶାନ୍ତି ନିମନ୍ତେ ନିରନ୍ତର କାର୍ଯ୍ୟ ନିମନ୍ତେ ଗତ ୨୦ରିଖରେ ‘କାର୍ଟାଜେନା-ଡି-ଇଣ୍ଡିଆସ୍’ର ମେୟର ଡୁମେକ ଟର୍ବ ପାଜ୍ ‘ବଲିଭର ଗଭର୍ଣ୍ଣରେଟ୍ ମେଡାଲ୍’ ପ୍ରଦାନ କରି ସମ୍ମାନିତ କରିଥିଲେ  । ଦକ୍ଷିଣ ଆମେରିକାର ବୋଗୋଟା, ମେଡେଲିନ୍ ଓ କାର୍ଟାଜେନାର ଅଧିବାସୀମାନଙ୍କୁ, ସେଠାକାର ସାଂସଦ, ବ୍ୟବସାୟୀ ଏବଂ ଶିକ୍ଷାବିତ୍ମାନଙ୍କୁ ଧ୍ୟାନ ଓ ଯୋଗର ଗଭୀର ଅନୁଭବ ସମ୍ପର୍କରେ ଅବଗତ କରାଇଥିଲେ  । କଲମ୍ବିଆ ସଂସଦକୁ ସମ୍ବୋଧିତ କରି କହିଥିଲେ, “ଏଭଳି ଏକ ସଂସାର ଗଢ଼ିବା ନିମନ୍ତେ ଆମେ ସମସ୍ତେ ଆଗେଇ ଆସିବା ଦରକାର, ଯାହା ଥିବ ଯନ୍ତ୍ରଣାବିହୀନ, ପ୍ରେମପୂର୍ଣ୍ଣ, ସୁଖ ଓ ଶାନ୍ତିପୂର୍ଣ୍ଣ  । ଏହା ଶୁଣିବାକୁ ‘ୟୁଟୋପିଆ’ ଭଳି ଲାଗୁଥାଇପାରେ  । କିନ୍ତୁ ଯେ କୌଣସି ଉଦ୍ୟମର ଆରମ୍ଭ ତ ଏକ ସ୍ୱପ୍ନରୁ ହିଁ ହୋଇଥାଏ ।” ତାଙ୍କର ଏହି ଉକ୍ତି ଏସବୁ ସହରର ବାସିନ୍ଦାଙ୍କୁ ଖୁବ୍ ପ୍ରଭାବିତ କରିଥିଲା  ।