କାନ୍ଝାରୀ ଡ୍ୟାମର ବାମ ପାଶ୍ୱର୍ କେନାଲ ପୁନରୁଦ୍ଧାର କାମ ଆରମ୍ଭ 

 କେନ୍ଦୁଝର: କାନ୍ଝାରୀ ଡ୍ୟାମର ବାମ ପାଶ୍ୱର୍ କେନାଲ ପୋତି ହୋଇ ଭାଙ୍ଗି ରୁଜି ଯାଇ ତଳ ମୁଣ୍ଡକୁ ପାଣି ଯିବାରେ ସମସ୍ୟା ଦେଖାଯାଉଥିଲ । ଏହାର ମରାମତି ସହ ପଙ୍କ ଉଦ୍ଧାର କରିବାକୁ ଚାଷୀମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ । ଜଳସେଚନ ପାଇଁ ନଦୀବନ୍ଧ ନିର୍ମାଣ କରାଯାଇଥିଲେ ମଧ୍ୟ ଏଗୁଡିକର ରକ୍ଷଣାବେକ୍ଷଣ ହେଉନଥିବାରୁ ଆୟକଟ ଏରିଆକୁ ଜଳସେଚନ ସଂପୂର୍ଣ୍ଣ ଭାବେ ହୋଇ ପାରୁନଥିଲା । କାନ୍ଝାରୀ ବାମ ପାଶ୍ୱର୍ କେନାଲର ଚକ ଠାରୁ କଂଟିଆପଡା ଏବଂ ଗୋଡିପୋଖରୀ ପର୍ଯ୍ୟନ୍ତ ୨୧ କିଲୋମିଟର କେନାଲ ଭାଙ୍ଗି ରୁଜି ଯାଇଥିବାରୁ ତଳ ମୁଣ୍ଡକୁ ଜଳସେଚନ ସୁବିଧା ମିଳୁନଥିଲା । ଫଳରେ ଚକ, ଡୁମୁରିଆ, ଜଗନ୍ନାଥପୁର, ତାଳପଦା, କଂଟିଆପଡା, ଯମୁନାପଶି, ଗୋଡିପୋଖରୀ, ବରୁଡିପଶି, କୋଡଖମଣ, ପଦ୍ମକେଶରପୁର, ଭୃଙ୍ଗରାଜପଶି ଏବଂ ନୂଆଗାଁ ଗ୍ରାମକୁ ଜଳ ପହଁଚି ପାରୁନଥିଲା । ଏହାର ମରାମତି ପାଇଁ ଚାଷୀମାନେ ଦୀର୍ଘଦିନ ହେବ ଦାବି କରି ଆସୁଥିଲେ ହେଁ ବାମ ପାଶ୍ୱର୍ କେନାର ମରାମତି ଏବଂ ପଙ୍କ ଉଦ୍ଧାର କରାଯାଉନଥିବାରୁ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଥିଲା ।  ଦୀର୍ଘ ୩୫ବର୍ଷ ଧରି ସ୍ଥାୟୀ ମରାମତି ହୋଇନଥିବାରୁ ଅନେକ ସ୍ଥାନରେ ପାଣି ଲିକ୍ ହୋଇ ତଳ ମୁଣ୍ଡକୁ ପାଣି ଯାଇ ପାରୁନଥିଲା । ପ୍ରତିବର୍ଷ ରବି ଋତୁରେ ଏହି ସମସ୍ୟା ଦେଖାଦେଉଥିଲା । ଏହାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ପକ୍ଷରୁ ବାମ ପଟ କେନାଲର ୪ଟି ମାଇନର କେନାଲର ସ୍ଥାୟୀ ମରାମତି ପାଇଁ ଟେଣ୍ଡର କରାଯାଇ କାମ ଆରମ୍ଭ ହୋଇଛି । ଡୁମୁରିଆ, ଗମ୍ଭାରିଆ, ପଦ୍ମପୁର ଏବଂ ଗୋଡିପୋଖରୀ ମାଇନର କେନାଲର କାମ ଆରମ୍ଭ ହୋଇଥିବାରୁ କେନାଲରେ ପାଣି ଛଡାଯାଉନାହିଁ । ଏଥିସହ ବାମପଟ ମୁଖ୍ୟ କେନାଲର ସଫେଇ କାମ ଏବଂ କଂକ୍ରିଟ ଲାଇନିଙ୍ଗ କାମ କରାଯାଉଛି । ମେ ମାସ ମଧ୍ୟରେ ଏହାର ସଂପୂର୍ଣ୍ଣ କାମ ଶେଷ ହେବ । ଚଳିତ ବର୍ଷ ବାମ ପଟ କେନାଲରେ ପାଣି ଛଡା ଯିବ ନାହିଁ । ସଂପୂର୍ଣ୍ଣ କାମ ସରିବା ପରେ ପାଣି ଛଡାଯିବ । ଏଥିପାଇଁ କାନଝାରୀ ଜଳସେଚନ ଉପଖଣ୍ଡ ଅଧିକାରୀ ଚତୁର୍ଭୁଜ ନାୟକ ଜନସାଧାରଣ ତଥା ଚାଷୀ ଭାଇଭଉଣୀମାନଙ୍କୁ ସହଯୋଗ କାମନା କରିଛନ୍ତି । ବାମପଟ କେନାଲର କାମ ଶେଷ ହେଲେ ଅଧିକ ୨ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିପାରିବ ବୋଲି ଶ୍ରୀ ନାୟକ କହିଛନ୍ତି । 
ସୂଚନାଯୋଗ୍ୟ ଯେ, କୃଷିକ୍ଷେତ୍ରର ବିକାଶ ପାଇଁ କେନ୍ଦୁଝର ଜିଲ୍ଲା କାନଝାରୀ ଠାରେ କାନଝାରୀ ମଧ୍ୟମ ଜଳସେଚନ ପ୍ରକଳ୍ପ କରାଯାଇଥିଲା । ଏହି ପ୍ରକଳ୍ପ ୧୯୮୯ ମସିହାରେ କାର୍ଯ୍ୟକ୍ଷମ ହୋଇ ଚାଷୀଙ୍କୁ ପାଣି ଯୋଗାଇ ଆସୁଥିଲା । ଏହି ପ୍ରକଳ୍ପ ହେବାର ୩୫ ବର୍ଷ ପରେ କେନାଲ ଭାଙ୍ଗି ପୋତି ହୋଇଯାଇଥିବା ବେଳେ ଡ୍ୟାମର ଜଳଧାରଣ କ୍ଷମତା ହ୍ରାସ ହେଲାଣି । ପଙ୍କ ଏବଂ ମାଟିରେ ନଦୀ ବନ୍ଧ କ୍ରମଶଃ ପୋତି ହୋଇ ଯାଉଥିବାରୁ ତଳ ମୁଣ୍ଡକୁ ଖରା ଦିନରେ ଜଳ ସେଚନରେ ସମସ୍ୟା ହେଉଥିଲା । କାନଝାରୀ ନଦୀ ବନ୍ଧ ଉପରେ ସଦର, ଘଟଗାଁ ଏବଂ ପାଟଣା ବ୍ଲକର ୭ଟି ପଂଚାୟତ ଅଧିନସ୍ଥ ୯୬ ଟି ଗ୍ରାମର ଚାଷୀ ଉପକୃତ ହେଉଛନ୍ତି । ଜଳ ଧାରଣ କ୍ଷମତା ଦିନକୁ ଦିନ କମୁଥିବାରୁ ଖରିଫ୍ ଋତୁରେ ୬୫୦୦ ହେକ୍ଟର ଏବଂ ରବି ଋତୁରେ ୨୮୦୦ ହେକ୍ଟର ଜମିକୁ ଜଳସେଚନ ହୋଇପାରୁଛି ।