କାର ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ
ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ ଝରିଗାଁ-ଡ଼ାବୁଗାଁ ମୁଖ୍ୟ ରାସ୍ତାରେ ଥିବା ଡାଇନିଗୁଡ଼ା ଗ୍ରାମ ନିକଟରେ ରାସ୍ତା କଡ଼ରେ ଥିବା ଗଛରେ ପିଟି ହେବା ଯୋଗୁଁ ଘଟଣା ସ୍ଥଳରେ ଦୁଇ ଭାଇଙ୍କ ମୃତ ହୋଇଥିବା ବେଳେ ସମ୍ପର୍କୀୟ ଭାଇ ଗୁରୁତର ହୋଇ ସଙ୍କଟାପନ୍ନ ଅବସ୍ଥାରେ ବିଶାଖାପାଟଣା ମେଡିକାଲକୁ ନେଉଥିବା ବେଳେ ବାଟରେ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଝରିଗାଁ ସିରାଗୁଡା ସାହିର ଚମ୍ପକ ଲାଲ ଜୈନଙ୍କ ପୁଅ ସାଗର ଜୈନ(୨୧) ସ୍ୱର୍ଗତ ମହାବୀର ଜୈନଙ୍କ ପୁଅ ଅଙ୍କୁର ଜୈନ(୩୦) ଏବଂ ମନମୋହନ ଜୈନଙ୍କ ପୁଅ କ୍ରିସ ଜୈନ(୧୮) ଗତ ରାତି ସମୟରେ ଗାଡି ନମ୍ବର ଓଡି ୦୨ ଏଇ ୮୦୭୩ରେ କୌଣସି ଏକ କାମରେ ଫୁପୁଗାଁ ରାସ୍ତାରେ ଯାଉଥିଲେ । ତେବେ ଡାଇନିଗୁଡ଼ା ଗ୍ରାମ ନିକଟରେ ଗାଡି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ତେନ୍ତୁଳି ଗଛ ଏବଂ ଆମ୍ବ ଗଛ ସହ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ସାଗର ଜୈନ ଏବଂ ଅଙ୍କୁର ଜୈନଙ୍କ ମୃତ୍ୟୁ ହୋଇଥିବା ବେଳେ କ୍ରିସ ଜୈନ ଗୁରୁତର ଅବସ୍ଥାରେ ଝରିଗାଁ ମେଡିକାଲ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ସାଙ୍ଗେ ସାଙ୍ଗେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିଲା ପରେ ନବରଙ୍ଗପୁର ରୁ ବିଶାଖାପାଟଣା ମେଡିକାଲକୁ ନେଉଥିବା ବେଳେ ସାଲୁର ଘାଟି ନିକଟରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଦୁର୍ଘଟଣା ପରେ ଝରିଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଏହି କାର ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅଞ୍ଚଳ ପାଇଁ ଦୁଃଖଦ ଘଟଣା ଘଟିଛି ଏବଂ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।