କାଳବୈଶାଖୀ : ଗଛ ଉପୁଡ଼ି ଏନ୍ଏଚ୍ ଅବରୋଧ
ବୌଦ୍ଧ : ଶନିବାର ସନ୍ଧ୍ୟାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ନାନା କ୍ଷୟକ୍ଷତି ହୋଇଛି । ଦକ୍ଷିଣ ଓଡ଼ିଶାରେ ପବନର ବେଗ ଅଧିକ ରହିବା ଯୋଗୁ ଏହି ଅଞ୍ଚଳର ବିଭିନ୍ନ ଜିଲ୍ଲାରେ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏହି କ୍ରମରେ ବୌଦ୍ଧଜିଲ୍ଲା ବାଉଁଶୁଣି ଅଞ୍ଚଳରେ ପ୍ରବଳ ଝଡ଼ତୋଫାନ ହେବାରୁ ରାସ୍ତାରେ ଗଛପଡ଼ି ଏନ୍ଏଚ୍ ଅବରୋଧ ହୋଇଥିଲା । ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବହୁ ସ୍ଥାନରେ ଗଛ ଭାଙ୍ଗିଯାଇ ରାସ୍ତା ଅବରୋଧ ହେବାରୁ ବାଉଁଶୁଣିରୁ ମନମୁଣ୍ଡାକୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଥିଲା । ଏଥିଯୋଗୁଁ ରାସ୍ତାର ଉଭୟ ପଟେ ଶହଶହ ସଂଖ୍ୟାରେ ଗାଡିମଟର ରାଜପଥ ଉପରେ ଅଟକି ରହିଛି । ଏହାଛଡା ପବନରେ ବହୁଲୋକଙ୍କ ଘରର ଛପର ଉଡାଇ ନେଇଥିବା ବେଳେ ଏନେଇ ସବିଶେଷ ବିବରଣୀ ମିଳିପାରି ନାହିଁ । ତେବେ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାରୁ ଗଛକୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ ଏବଂ ଓଡ୍ରାଫ୍ ଟିମ୍ । ଅନ୍ୟପକ୍ଷରେ ରାଜପଥର ଅନ୍ୟ କେଉଁ କେଉଁ ସ୍ଥାନରେ ଗଛ ଭାଙ୍ଗିଛି ସେନେଇ ସବିଶେଷ ବିବରଣୀ ମିଳିପାରି ନାହିଁ । ଶେଷ ଖବର ସୁଦ୍ଧା ଝଡ଼ତୋଫାନ ଯୋଗୁଁ ବିଦୁ୍ୟତ ଯୋଗାଣ ବ୍ୟାହତ ହୋଇଥିବାରୁ ସମ୍ପୂର୍ଣ୍ଣ ବାଉଁଶୁଣି ଅଞ୍ଚଳ ଅନ୍ଧାରମୟ ହୋଇଛି ।