ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି ; ୫୧.୫୪ ଲକ୍ଷ ପାଇଲେ ୧,୦୪,୧୨୯ କୋଟି
ଭୁବନେଶ୍ୱର : ପବିତ୍ର ନୂଆଁଖାଇ ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ରବି ୨୦୨୫-୨୬ ପାଇଁ ସି ଏମ୍ କିଷାନ ସହାୟତା ରାଶି ପ୍ରଦାନର ରାଜ୍ୟସ୍ତରୀୟ ଉତ୍ସବ ଓୟୁଏଟି ଭୁବନେଶ୍ୱର ସ୍ଥିତ କୃଷି ଶିକ୍ଷା ସଦନଠାରେ ଆୟୋଜିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ୍ କିଷାନ ସହାୟତାର ତୃତୀୟ କିସ୍ତିରେ ୫୧ ଲକ୍ଷ ୫୪ ହଜାର ୧୧୫ ଜଣ କ୍ଷୁଦ୍ର, ନାମମାତ୍ର ଚାଷୀ, ଭୂମିହୀନ କୃଷକ ପରିବାର, ଅନୁକୂତ ଜନଜାତି ସମୂହ ଓ ସହରାଞ୍ଚଳର କୃଷକଙ୍କୁ ଡିବିଟି ମାଧ୍ୟମରେ ମୋଟ ୧,୦୪,୧୨୯ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱଦ୍ୟାଳୟରେ ପ୍ରାୟ ୫୯ କୋଟି ଟଙ୍କା ବ୍ୟୟରେ ଏକ ‘କୃଷକ ଭବନ' ଏବଂ କୃଷି ଶିକ୍ଷା ସଦନର ଏକ ‘ଅଭ୍ୟର୍ଥନା ଗୃହ' ଉଦଘାଟନ ମଧ୍ୟ କରିଛନ୍ତି । କୃଷକ ପଞ୍ଜିକରଣ ଅବଧି ବୃଦ୍ଧି କରିବା ପାଇଁ ଖୁବ ଶୀଘ୍ର ଘୋଷଣା ହେବ ବୋଲି କହିଛନ୍ତି । କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ଆସିବା ମାତ୍ରେ ଚାଷୀ ମାନଙ୍କ ପ୍ରସଙ୍ଗକୁ ଗୁରୁତ୍ୱର ସହିତ ବିଚାରକୁ ନେଇଥିଲେ । ତେଣୁ ତୁରନ୍ତ ପ୍ରଥମ କ୍ୟାବିନେଟରେ ନିର୍ବାଚନ ପ୍ରତିଶୃତି ମୁତବକ ସମୃଦ୍ଧ କୃଷକ ଯୋଜନାକୁ ଅନୁମୋଦନ ଦେଇଥିଲେ। ଏଣୁ ଚାଷୀଙ୍କୁ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରଯାଇଥିଲା ଓ ରେକର୍ଡ ୯୨ ଲକ୍ଷ ୬୩ ହଜାର ମେଟ୍ରିକ ଟନ ଧାନ ସଂଗ୍ରହ କରିଥିଲା । ଆଉ ଆଜି ରାଜ୍ୟର ୫୧ ଲକ୍ଷରୁ ଅଧିକ କ୍ଷୁଦ୍ର-ନାମମାତ୍ର ଚାଷୀ ଏବଂ ୩୯,୨୩୯ ଭୂମିହୀନ କୃଷି ପରିବାରଙ୍କୁ ସିଏମ୍–କିଷାନ୍ ଯୋଜନାର ତୃତୀୟ କିସ୍ତି ଭାବରେ ୧,୦୪,୧୨୯ କୋଟି ଟଙ୍କା ଡିବିଟି. ମାଧ୍ୟମରେ ପ୍ରଦାନ କରାଗଲା । କେବଳ ଏହି ଗୋଟିଏ ପଦକ୍ଷେପରୁ ପଞ୍ଜୀକୃତ ଚାଷୀଙ୍କ ବାର୍ଷିକ ଆୟରେ ଅତି କମରେ ୩୮ ହଜାର ଟଙ୍କା ଯୋଡି ହୋଇଛି । ସୁଭଦ୍ରା ଯୋଜନାର ଦଶ ହଜାର ଓ ପିଏମ ଏବଂ ସିଏମ କିଷାନର ୧୦ ହଜାର ଟଙ୍କାକୁ ଯୋଡିବେ ତେବେ ସେମାନଙ୍କ ବାର୍ଷିକ ଆୟ ଅତି କମରେ ୫୮ ହଜାର ଟଙ୍କା ବୃଦ୍ଧି ପାଇଛି । କାରଣ, ପ୍ରାୟ ପ୍ରତ୍ୟେକ ସୁଭଦ୍ରା ହିତାଧିକାରୀ ହେଉଛନ୍ତି ଚାଷୀ ପରିବାରର । ଏହା ହେଉଛି ଆମ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହା ଅତ୍ୟନ୍ତ ଖୁସିର ବିଷୟ ଯେ ଚଳିତ ବର୍ଷ କୃଷକ ସମୃଦ୍ଧି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧୮ ଲକ୍ଷରୁ ଅଧିକ ଚାଷୀ ପଞ୍ଜିକରଣ କରିସାରିଛନ୍ତି । ଜଣେ ହେଲେ ଚାଷୀ ଯେମତି ଏଥିରୁ ବଞ୍ଚିତ ନ ହୁଅନ୍ତି, ମୁଁ ବ୍ୟକ୍ତିଗତ ଭାବେ ଧ୍ୟାନ ରଖିବି । କାରଣ ବିନା ଅନ୍ନଦାତାଙ୍କ ଉନ୍ନତିରେ ରାଜ୍ୟର ପ୍ରଗତି ଅସମ୍ଭବ ।
ସେ କହିଥିଲେଯେ, ପ୍ରତି ଫସଲ ଋତୁ ପାଇଁ କ୍ଷୁଦ୍ର ଓ ନାମମାତ୍ର କୃଷକଙ୍କୁ ୨୦୦୦ ଟଙ୍କା ହିସାବରେ (ବାର୍ଷିକ ୪୦୦୦ ଟଙ୍କା) ପ୍ରଦାନ କରାଯାଇଥାଏ ।
- ମିଳିଲା ସିଏମ-କିଷାନର ତୃତୀୟ କିସ୍ତି
- ବୃଦ୍ଧି ହେବ କୃଷକ ପଞ୍ଜିକରଣ ଅବଧି
ଆଳୁ ଓଡ଼ିଶାର ପ୍ରମୁଖ ପନିପରିବା ଫସଲ ମଧ୍ୟରୁ ଅନ୍ୟତମ ଏବଂ ଆଳୁ ଉତ୍ପାଦନରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବା ପାଇଁ ରାଜ୍ୟର ୩ ହଜାର ୧୧୫ କ୍ଲଷ୍ଟରରେ ୩୬ ହଜାରରୁ ଅଧିକ ଚାଷୀ ସଚେତନତା କାର୍ଯ୍ୟକ୍ରମ କରାଯାଇ ପ୍ରାୟ ୧ ଲକ୍ଷ ହିତାଧିକାରୀଙ୍କୁ ଆଳୁ ଚାଷରେ ସାମିଲ କରାଯାଇଛି । ରାଜ୍ୟରେ ଶୀତଳ ଭଣ୍ଡାର ସ୍ଥାପନ ନିମନ୍ତେ ଆର୍ଥିକ ସହାୟତା ଯୋଜନା ୨୦୨୫ ଜାନୁଆରିରେ କାର୍ଯ୍ୟକ୍ଷମ କରାଯାଇଛି । ରାଜ୍ୟରେ ଶୀତଳଭଣ୍ଡାର ଭିତ୍ତିଭୂମିକୁ ସୁଦୃଢ କରିବା ଲକ୍ଷ୍ୟ ନେଇ ପ୍ରତ୍ୟେକ ଉପଖଣ୍ଡ ସ୍ତରରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ଘରୋଇ ସହଭାଗିତାରେ ପ୍ରତିଷ୍ଠା କରାଯିବ । ଏହା ଦ୍ୱାରା ଅଭାବୀ ବିକ୍ରି ମଧ୍ୟ ରୋକାଯାଇ ପାରିବ । ଯୁବ କୃଷି ଉଦ୍ୟୋଗୀ ମାନଙ୍କୁ ବ୍ୟବସାୟ ଭିତ୍ତିକ ଭିତ୍ତିଭୂମି ପ୍ରତିଷ୍ଠା ସହ ନିଜର ଆର୍ଥିକ ଉନ୍ନତି ଏବଂ ରାଜ୍ୟର ଗ୍ରାମୀଣ ଅର୍ଥନୀତିରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ରିହାତି ଜରିଆରେ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯାଉଛି । ୨୦୨୪-୨୫ ଆର୍ଥିକ ବର୍ଷରେ ୧ ହଜାର ୪୦୬ ଟି ପ୍ରକଳ୍ପକୁ ୧୮୮ କୋଟି ୩୪ ଲକ୍ଷ ଟଙ୍କାର ରିହାତି ପ୍ରଦାନ କରାଯାଇଛି ବୋଲି ସେ କହିଥିଲେ । ଏହି ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ କହିଥିଲେ ଯେ ରାଜ୍ୟରେ କୃଷି ଓ କୃଷକର ଉନ୍ନତି ସାଧନ ନିମିତ୍ତ ସରକାର ଅଙ୍ଗୀକାରବଦ୍ଧ । ସମସ୍ତ ଅଭାବୀ ଚାଷୀକୁଳକୁ କିଛିଟା ଆର୍ଥିକ ସ୍ୱାବଲମ୍ବୀ କରିବାର ଲକ୍ଷ୍ୟ ନେଇ ରାଜ୍ୟ ସରକାର ନିଜସ୍ୱ ସମ୍ବଳରେ ଏହି କୃଷକ କଲ୍ୟାଣକାରୀ ଯୋଜନା ସିଏମ କିଷାନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବିଧାୟକ ବାବୁ ସିଂ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ. ପ୍ରଭାତ କୁମାର ରାଉଳ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ପ୍ରାୟ ୬୦୦ରୁ ଉର୍ଦ୍ଧ କୃଷକ ଏବଂ ଓୟୁଏଟି ର ୨୦୦ ଛାତ୍ରଛାତ୍ରୀ ସକ୍ରୀୟ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବା ବେଳେ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶୁଭମ ସକ୍ସେନା ଧନ୍ୟବାଦ ଦେଇଥିଲେ ।