ଜିଏସଟି ସଂସ୍କାର ଆର୍ଥିକ ବିଶ୍ୱାସ ବଢାଇବ : ଧର୍ମେନ୍ଦ୍ର

 ନୂଆଦିଲ୍ଲୀ/ଭୁବନେଶ୍ୱର  : ଜିଏସଟି ପରିଷଦ ବୈଠକରେ ହୋଇଥିବା ଐତିହାସିକ ନିଷ୍ପତି ଦ୍ୱାରା ସାଧାରଣ ବର୍ଗର ଲୋକମାନଙ୍କର ଆକାଂକ୍ଷା ପୂରା ହେବ ଓ ସମାଜରେ ଆର୍ଥିକ ଆତ୍ମବିଶ୍ୱାସ ବଢିବ ବୋଲି ନୂଆଦିଲ୍ଲୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମତପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତକାଲି ୫୬ତମ ଜିଏସଟି ପରିଷଦ ବୈଠକରେ ୫% ଓ ୧୮% ସ୍ଲାବ ଢାଞ୍ଚାରେ ନେଇ ଯେଉଁ  ନିଷ୍ପତି ହୋଇଛି, ତାହା ପ୍ରଶଂସନୀୟ ଓ ସ୍ୱାଗତଯୋଗ୍ୟ । ଏହି ନିଷ୍ପତି ଦ୍ୱାରା ଦୈନନ୍ଦିନ ବ୍ୟବହାର ଯୋଗ୍ୟ ସାମଗ୍ରୀ ଶସ୍ତା ହେବ । ସ୍କୁଲ ଯାଉଥିବା ଛାତ୍ରଛାତ୍ରୀମାନଙ୍କ ଠାରୁ ଆରମ୍ଭ କରି ଦେଶର ଗରିବ ଓ ସମାଜର ମଧ୍ୟମ ବର୍ଗର ନାଗରିକ, କୃଷକ, ଏମଏସଏମଇ, ମଧ୍ୟବିତ୍ତ, ମହିଳା ଏବଂ ଯୁବକମାନେ ଲାଭବାନ ହେବେ । ଏହି ପଦକ୍ଷେପ ଓଡ଼ିଶା ସମେତ ଦେଶବାସୀଙ୍କୁ ମୋଦି ସରକାରଙ୍କ ଦଶହରା ଓ ଦୀପାବଳି ଉପହାର ।  ପରବର୍ତ୍ତୀ ପିଢିର ଜିଏସଟି ସଂସ୍କାର ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ।