କୁଡିଆରେ ମନ୍ମଥଙ୍କ ପରିବାର
 ଯାଜପୁର : ନିଜର ବୋଲି ଜମି କିଛି ନାହିଁ । ପର ଜମିରେ ଝାଟିମାଟି କୁଡ଼ିଆଟେ କରି ରହୁଛନ୍ତି ମନ୍ମଥ ପରିବାର । କିନ୍ତୁ ଛପର କରିବାକୁ ସକ୍ଷମ ନୁହେଁ । ଛପର ଉଡିଯିବା ପରେ ଜରିପାଲ ଘୋଡାଇ ଥିଲେ ବି ଦିନରେ ଖରାକୁ ରାତିରେ ତାରା ଦେଖାଯାଉଛି । ଉଡିଯାଇଥିବା ଛପ ଦେଇ ବର୍ଷାବି ପଡୁଛି ଘର ଭିତରେ । କିନ୍ତୁ କିଂକର୍ତବ୍ୟ ବିମୂଢ ମନ୍ମଥ ଗୁରୁ । ଟୋକା ସମୟରେ ପାଚେରୀ ଡ଼େଇଁ ପାରୁଥିବା ମନ୍ମଥ କୃଷ୍ଣରୋଗରେ ଆକ୍ରାନ୍ତ ପରେ ଏକ ପ୍ରକାର ଅଚଳ ହୋଇପଡ଼ିଲା । କଷ୍ଟେମଷ୍ଟେ ବଡ଼ଝିିଅକୁ ବାହା ଦେବା ପରେ ସ୍ତ୍ରୀ, ପିଲାଙ୍କ ପେଟରେ ଦାନା ଦେବାକୁ ଅକ୍ଷମ । ବୋଝ ଉପରେ ଲଳିତା ବିଡ଼ା ସଦୃଶ ପରି ମଝିଆ ଝିଅ ଅର୍ଦ୍ଧ ମାନସିକ ରୋଗୀ । କିନ୍ତୁ ପାଖରେ ପଇସାଟିଏ ନଥିବାରୁ ଝିଅର ଚିକିତ୍ସା କରିବାକୁ କୋଉଠିକି ନେଇପାରୁନି । ସରକାରୀ ସ୍କୁଲରେ ପଢି ଦଶମ ପାସ କରିଥିବା ସାନ ଝିଅ ଉଚ୍ଚଶିକ୍ଷା ନିମନ୍ତେ ମଧ୍ୟ ପଇସାଟିଏ ଦେବା ସକ୍ଷମ ନୁହେଁ । ସ୍ତ୍ରୀ ଶାଲିଆ ଗାଁ ଗାଁ ବୁଲି ପାନ ପତ୍ର ବିକି ଯାହା ରୋଜଗାର କରି ଆଣେ ସେଇଥିରେ ୪ପ୍ରାଣୀ ଚଳନ୍ତି । ଦୁଃଖ, କଷ୍ଟଭରା ଜୀବନ ଜିଉଁଥିବା ପରିବାରକୁ ସରକାରୀ ସହାୟତା ବୋଇଲେ ଚାଉଳ ଯାହା ମିଳୁଛି । ନିଜର ଜମି ନଥିବାରୁ ଆବାସ ଘର ମିଳିବା ସ୍ୱପ୍ନ ହୋଇପଡିଛି । ୫୮ ବର୍ଷ ବୟସର ମନ୍ମଥ ଗୁରୁଙ୍କ ଘର ହେଉଛି ଖମଣ ପଞ୍ଚାୟତ ଗୁରୁସାହିରେ ।
ପରିବାର ବୋଇଲେ ସ୍ତ୍ରୀ ମାତାଜୀ, ବଡ଼ଝିଅ ସୀମା, ମଝିଆ ଝିଅ ଲିନା, ସାନ ଝିଅ ରୀମା ଏବଂ ପୁଅ । ପରିବାରର ୬ଜଣ ଗୋଟିଏ ବଖୁରିଏ ଘରେ ଦିନରାତି କାଟୁଥିଲେ । କିନ୍ତୁ ପିଲା ବଡ଼ ହେବାକୁ ମନ୍ମଥ ରୋଗାକ୍ରାନ୍ତ ହୋଇପଡ଼ିଲେ । ମନ୍ମଥ ବଡଝିଅକୁ ବାହା ଦେବା ପରେ ପୁଅ ମାନସକୁ ବାହା କଲେ । ହେଲେ ଘର ନଥିବାରୁ ପୁଅ ବୋହୂକୁ ଧରି କର୍ମକ୍ଷେତ୍ର ରାଉରକେଲାକୁ ପଳାଇଗଲା । କୃଷ୍ଣରୋଗରେ ଆକ୍ରାନ୍ତ ମନ୍ମଥର ଗୋଡ ଅଚଳ କାରଣରୁ କାମ କରିବାକୁ କୁଆଡେ ଯାଇପାରିଲାନି । ଦୁଇଝିଅ, ସ୍ତ୍ରୀ ଏବଂ ମନ୍ମଥ ଏବେ ଝାଟିମାଟି କୁଡ଼ିଆ ଘରେ ପଡ଼ି ରହିଛନ୍ତି । ମନ୍ମଥ ରୋଗାକ୍ରାନ୍ତ ହେବା ପରେ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି । ପାନ ବେପାର ହେଉ କି କାମକୁ ଯାଇ ରୋଜଗାର କରି ପରିବାର ଚଳାଉଥିବା ମନ୍ମଥ ଅଚଳ ହୋଇପଡିବା ପରେ ସ୍ତ୍ରୀ ଶାଲିଆ ହିଁ ପରିବାର ପାଇଁ ଭରସା ହେଲେ । ଗାଁ ଗାଁ ବୁଲି ପାନ ବେପାର କରି ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳେ । ହେଲେ ୧୬ବର୍ଷର ଲିନା ୧୦ବର୍ଷ ତଳେ ହଠାତ ବାଉଳି ଚାଉଳି ହେବା ପରେ ମନ୍ମଥ ତାକୁ ଧାରକରଜ କରି ମେଡିକାଲରେ ଭର୍ତି କରିଥିଲେ । ହେଲେ ଲିମା ସୁସ୍ଥ ହୋଇନଥିଲା । ଅର୍ଦ୍ଧ ମାନସିକ ରୋଗରେ ଆକ୍ରାନ୍ତ ଲିମାକୁ ବେଳେ ବେଳେ ଖଟରେ ବାନ୍ଧିକରି ରଖିବାକୁ ପଡେ । ସାନ ଝିଅ ଦଶମ ପାସ କରିଥିଲେ ବି ଉଚ୍ଚଶିକ୍ଷା ପାଇଁ ଅନାଇ ବସିଛି । ସରକାର ଗରୀବ, ବାସହରା, ଭୂମିହିନଙ୍କ ପାଇଁ ଯୋଜନା କରିଥିବା ବେଳେ ମନ୍ମଥ ପରିବାର ଏଥିରୁ ବଞ୍ଚତ କାହିଁକି? । ଅର୍ଦ୍ଧମାନସିକ ଲିନା ରୋଗମୁକ୍ତ ହୋଇ ବଞ୍ଚବାର କ’ଣ ଅଧିକାର ନାହିଁ? ହେଲେ ଆଶ୍ଚର୍ଯ୍ୟ ମନ୍ମଥ ପରିବାର ଦୁଖ କାହର ନଜରକୁ ଆସୁନି । ଯେତେ ବେଳେ ସରକାର ବିକାଶିତ ଓଡ଼ିଶାର କଥା କହୁଛନ୍ତି, ସେତେ ବେଳେ ମନ୍ମଥ ପରିବାର ଏବଂ ଦଦରା ଘରକୁ ଦେଖିଲେ ଏହାକୁ କେବଳ ଉପହାସ ଛଡ଼ା ଆଉ କ’ଣ କୁହାଯାଇପାରିବ । ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନ ମନ୍ମଥ ପରିବାର ପ୍ରତି ସଦୟ ହୋଇ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।                        
 
 Rasmita Behera
                                    Rasmita Behera                                 
    
 
    
 
 
 
