ଖଣିରୁୁ ପରିବହନ ବନ୍ଦ ଦାବି          

କେନ୍ଦୁଝର : ବାଂଶପାଳ ବ୍ଲକ୍ ଉପର କାଦକଳା ଗ୍ରାମରେ ଥିବା ସିରକାଗୁଟ ଲୌହ ଓ ମାଙ୍ଗାନିଜ ଖଣି ରାସ୍ତାରେ ଆନେ୍ଦାଳନ ଯୋଗୁଁ ପରିବହନ କାର୍ଯ୍ୟ ବନ୍ଦ ରହିଛି । ଉକ୍ତ ଖଣିରେ ସ୍ଥାନୀୟ ଗ୍ରାମବାସୀଙ୍କ ସମେତ ବ୍ରହ୍ମେଶ୍ୱର ମହାକୁଡଙ୍କ ମା’ ତାରିଣୀ ଟ୍ରନ୍ସପୋର୍ଟ ସଂସ୍ଥା କାମ କରି ଆସୁଥିଲା । ତେବେ ଗତ ରବିବାର ଠାରୁ ମା’ତାରିଣୀ ଟ୍ରାନ୍ସପୋର୍ଟ ନାମକ ପରିବହନ ସଂସ୍ଥା ଏକ ଚାଟିଆ ପରିବହନ କାମ କରିବା ଦାବୀରେ ଖଣି ଠାରୁ ୫କିଲୋମିଟର ଦୂର ମାଲାଙ୍ଗଟୋଲୀରେ ବାହାର ଲୋକ ଲଗାଇ ରାସ୍ତା ବନ୍ଦ କରି ଆନେ୍ଦାଳନ କରୁଥିବାରୁ ପରିବହନ କାର୍ଯ୍ୟ ବନ୍ଦ ରହିଛି । ଏ ନେଇ ବିପିନ ମୁଣ୍ଡା,କ୍ରିଣ୍ଣା ମୁଣ୍ଡା,କଲୁ ଦେହୁରୀ,ଅଶୋକ କୁମାର ବାରିକ,ଆଦିକାନ୍ତ ଘଣା,କୃଷ୍ଣଚନ୍ଦ୍ର ଘଣା,ହେମନ୍ତ କୁମାର ଘଣା, ପୂର୍ଣ୍ଣଚନ୍ଦ୍ର ବାରିକ, ରାକେଶ ଚନ୍ଦ୍ର ଘଣା, ଇନ୍ଦ୍ରମଣି ଘଣା, ସୁଶାନ୍ତ ଘଣା, ରାକେଶ ମୁଣ୍ଡା, ରାଜକିଶୋର ଆପଟ୍ଟ, ଚିତ୍ରସେନ ଘଣ, ବନମାଳୀ ନାଏକ, ବିଘ୍ନେଶ୍ୱର ଘଣା, ବିମ୍ବା ଦେହୁରୀ, ସାନୁ ଦେହୁରୀ, ସଂଜୟ ମୁଣ୍ଡା, ମନମୋହନ ଘଣା ପ୍ରମୁଖ ପ୍ରଭାବିତ ଲୋକ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରି ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।
କିଛି ବାହାର ଲୋକଙ୍କୁ ଲଗାଇ ମା’ ତାରିଣୀ ଟ୍ରାନ୍ସପୋର୍ଟ ଆନେ୍ଦାଳନ କରୁଥିବାରୁ ଖଣିର ପରିବହନ କାର୍ଯ୍ୟ ୬ ଦିନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ବୋଲି ଅଭିଯୋଗ କରିଛନ୍ତି । ଜଣେ ଲୋକର ସ୍ୱାର୍ଥ ପାଇଁ ଖଣି ବନ୍ଦ ହେଲେ ଉପର କାଦକଳା ତଥା ଆଖପାଖ ଗ୍ରାମର ୩୦୦ ପରିବାରର ଜୀବନଜୀବିକା ଉପରେ ଘୋର ପ୍ରଭାବ ପଡିବ । ପରିବହନ ବନ୍ଦ ଯୋଗୁଁ ସରକାରଙ୍କ ବ୍ୟାପକ ରାଜସ୍ୱ ହାନୀ ହେବା ସହିତ ସ୍ଥାନୀୟ ଲୋକ କର୍ମ ସଂସ୍ଥାନ ନ ପାଇ ହଇରାଣ ହେଉଛନ୍ତି । ଗତ ୨୧ ତାରିଖ ଠାରୁ ବ୍ରହ୍ମେଶ୍ୱର ମହାକୁଡ ଓ ତାଙ୍କର କିଛି ସହଯୋଗୀ ପୀଢପୋଖରୀ ଓ ସମରସୁଆଁ ଗ୍ରାମର କିଛି ଲୋକଙ୍କୁ ନିୟୋଜିତ କରି ରାସ୍ତା ଅବରୋଧ କରିଛନ୍ତି । ଖଣିରେ ୧୦୦ ପ୍ରତିଶତ ପରିବହନ କାର୍ଯ୍ୟ କରିବା ଜିଦ୍ରେ ସେମାନେ ଅଟଳ ରହିଛନ୍ତି । ରାସ୍ତା ଅବରୋଧ ଯୋଗୁଁ ସାଧାରଣ ଲୋକଙ୍କ ଯାତାୟତରେ ମଧ୍ୟ ସମସ୍ୟା ଉପୁଜିବା ସହ ଆମ୍ବୁଲାନ୍ସ ଯାଇ ପାରୁନାହିଁ । ଖଣି କାର୍ଯ୍ୟ ଏବଂ ପରିବହନରେ କୌଣସି ଅସୁବିଧା ନ ହେବା ପାଇଁ ବେଆଇନ ଭାବେ ରାସ୍ତା ଅବରୋଧ କରିଥିବା ଲୋକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି । ଏ ନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଖଣି ପରିବହନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ସିରକାଗୁଟ ଲୌହ ଓ ମାଙ୍ଗାନିଜ ଖଣି ଉପରେ କଦମଡିହି, ଲାଲ ପାଣି, ମାଲୁଙ୍ଗିସାହି, ତଳ କାଦକଳା ଏବଂ ଉପର କାଦକଳା ଗ୍ରାମର ବହୁ ଲୋକ ଖଣିରେ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି । ସେହିପରି ଖଣି କମ୍ପାନୀ ପକ୍ଷରୁ ପ୍ରଭାବିତ ଲୋକଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ପାଇଁ ସିଏସ୍ଆରରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ଗ୍ରାମବାସୀ କହିଛନ୍ତି ।